ବାଲେଶ୍ବର : ଚହଟାପୋଖରୀ ସ୍ଥିତ ଏକ ନଳକୂପ ନିକଟରୁ ସନ୍ଦେହଜନକ ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହକୁ ରେମୁଣା ଥାନା ପୁଲିସ ଜବତ କରିଛି। ସେ ହେଲେ ଚହଟାପୋଖରୀ ଅଞ୍ଚଳର ମାମାଲି ମଲ୍ଲିକ(୨୫)। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ପୁଲିସ ସୂଚନା ମୁତାବକ, ମଙ୍ଗଳବାର ରାତିରେ ମାମାଲି ପାଣି ଆଣିବାକୁ ନିକଟ ନଳକୂପକୁ ଯାଇଥିଲେ। ହେଲେ ଫେରିବାରେ ବିଳମ୍ବ ହେବାରୁ ସ୍ବାମୀ ଅଜୟ ମଲ୍ଲିକ ଖୋଜାଖୋଜି କରିଥିଲେ। ସେ ନଳକୂପ ନିକଟକୁ ଯିବା ବେଳକୁ ପତ୍ନୀ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେଠାରେ ପଡ଼ିଥିବା ଦେଖି ଚକିତ ହୋଇପଡ଼ିଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ସହ ଦେହର କେତେକ ସ୍ଥାନରେ କ୍ଷତ ଥାଏ। ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ବଡ଼ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ରାତି ପାଖାପାଖି ସାଢ଼େ ୧୨ଟାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପଟେ ତାଙ୍କ ମୃତ୍ୟୁକୁ ନେଇ ପୁଲିସ ସନ୍ଦେହ କରିଛି। ତାଙ୍କ ମୁଣ୍ଡରେ କିଭଳି କ୍ଷତ ହେଲା? ନା କିଏ ତାଙ୍କୁ ଆକ୍ରମଣ କରି ହତ୍ୟା ପରେ ସେଠାରେ ଫୋପାଡ଼ି ଦେଇଛି? ଏସବୁ ଦିଗ ଉପରେ ପୁଲିସ ଯାଞ୍ଚ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ‌ଆସିବାପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ପୁଲିସ କହିଛି।

The post ସନ୍ଦେହଜନକ ଅବସ୍ଥାରେ ନଳକୂପ ନିକଟରୁ ମହିଳାଙ୍କ ମୃତଦେହ ଜବତ, ହତ୍ୟା ସନ୍ଦେହ! first appeared on Sambad.

from ଜିଲ୍ଲା | Sambad https://ift.tt/3l4AYB5