କଣ୍ଟାମାଳ : ଜଣେ ବ୍ୟକ୍ତି ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇ ଟାଙ୍ଗିଆ ଧରି ଦୌଡୁଥିବା ବେଳେ ପ୍ରତିପକ୍ଷ ଲୋକେ ତାଙ୍କୁ ହତ୍ୟା କରିଥିବା ଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ବଡ଼ ଡୁଙ୍ଗୁରିପାଲି ଗ୍ରାମରେ।

ସୂଚନା ଅନୁସାରେ, ଏହି ଗ୍ରାମର ନରେଶ ଭୋଇ ଓରଫ ପାଡୁ ଓ ଲଳିତ ସାହୁଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନରୁ ଶତ୍ରୁତା ରହିଥିଲା। ମଝିରେ ମଝିରେ ମଦ ପିଇ ପାଡୁ ଟାଙ୍ଗିଆ ଧରି ଲଳିତଙ୍କ ପରିବାରର ସମସ୍ତଙ୍କୁ ମାରି ଦେବାକୁ ଧମକ ଦେଇ ଆସୁଥିଲା। ପୂର୍ବରୁ ପାଡୁ ଜଣେ ଯୁବକଙ୍କୁ ହତ୍ୟା କରିଥିଲା। ଦୋଷୀ ସାବ୍ୟସ୍ତ ହୋଇ ସଜା କାଟି ଗତ ୬ ବର୍ଷ ପୂର୍ବେ ଘରକୁ ଫେରିଥିଲା। ତେଣୁ ଲଳିତଙ୍କ ପରିବାର କବାଟ ଦେଇ ଘର ଭିତରେ ଆତଙ୍କିତ ହୋଇ ରହୁଥିଲେ।

ଗୁରୁବାର ରାତି ୮ଟାରୁ ପାଡୁ ନାନା ଆଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ଲଳିତଙ୍କ ଘର ସାମ୍ନାକୁ ବାରମ୍ବାର ଯାଇ ଟାଙ୍ଗିଆରେ ହାଣି ଦେବ ବୋଲି କହିବାରୁ ଏଥିରେ ଲଳିତଙ୍କ ପରିବାର ଉତ୍ତେଜିତ ହୋଇ ତାଙ୍କ ୨ ପୁଅ ଗାଁ ଦାଣ୍ଡରେ ପାଡୁକୁ ହାଣି ଦେଲେ। ଘଟଣାସ୍ଥଳରେ ହିଁ ପାଡୁର ମୃତ୍ୟୁ ଘଟିଥିବା ଗ୍ରାମବାସୀ କହିଛନ୍ତି। ତେବେ ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାଯାଇଛି।

The post ହତ୍ୟା କରିବାକୁ ଯାଇ ହତ୍ୟାର ଶିକାର ହେଲେ ଯୁବକ first appeared on Sambad.

from ଜିଲ୍ଲା | Sambad https://ift.tt/3qYuZyp