ବ୍ରହ୍ମପୁର : ସ୍ବତନ୍ତ୍ର ଓପିଆଇଡି କୋର୍ଟ ଏକ ଚିଟ୍‌ଫଣ୍ଡ ଠକେଇ ମାମଲାର ଶୁଣାଣି କରି ଦୁଇଜଣଙ୍କୁ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ସେମାନେ ହେଲେ ଶ୍ରୀ ରାମକ୍ରିଷ୍ଣା ଇଲେକ୍‌ଟ୍ରୋ କଣ୍ଟ୍ରୋଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଏମ୍‌ଡି ଚନ୍ଦ୍ରକାନ୍ତ ଭାରଗବ ଗୋଲେ ଏବଂ ମ୍ୟାନେଜର ସୁରେଶ ଚନ୍ଦ୍ର ପାଢ଼ୀ। ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଥିବା ଯୋଗୁଁ କୋର୍ଟ ଉଭୟଙ୍କୁ ୭ବର୍ଷ ‌୬ମାସ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ୫୦ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ହୋଇଛି। ଜରିମାନା ଟଙ୍କା ନ‌େଦଲେ ଆହୁରି ୬ମାସ ଜେଲ୍‌ଦଣ୍ଡରେ ଦଣ୍ଡିତ କରିବାକୁ ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି।

ବ୍ରହ୍ମପୁର ଜନାନା ହସ୍ପିଟାଲ୍‌ ରୋଡ଼ରେ କୋଲକାତାର ଚନ୍ଦ୍ରକାନ୍ତ ନାମକ ଜଣେ ବ୍ୟକ୍ତି ଏକ ଅର୍ଥଲଗାଣକାରୀ ସଂସ୍ଥା ଖୋଲିଥିଲେ। ସଂସ୍ଥାରେ ଟଙ୍କା ଜମା କଲେ ଅଧିକ ହାରରେ ସୁଧ ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଚନ୍ଦ୍ରକାନ୍ତ ସଂସ୍ଥାର ଏମ୍‌ଡି ଓ ସୁରେଶ ଶାଖା ପରିଚାଳକ ଭାବେ କାର୍ଯ୍ୟ କରୁଥିଲେ। ଅଧିକ ସୁଧ ପାଇବା ଆଶାରେ ବହୁ ଲୋକ ଏହି ସଂସ୍ଥାରେ ଟଙ୍କା ଜମା କରିଥିଲେ। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକାଂଶ ଲୋକଙ୍କ ତାଙ୍କର ଟଙ୍କା ଫେରି ପାରି ନଥିଲେ।

ଗତ ୨୦୧୩ ଅଗଷ୍ଟ ୨୭ତାରିଖରେ ପୁଲିସ ଏକ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଥିଲା। ମାମଲାର ତଦନ୍ତ କରି ପୁଲିସ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିବା ପରେ ବିଚାରଣା ଆରମ୍ଭ ହୋଇଥିଲା। ସ୍ବତନ୍ତ୍ର ଓପିଆଇଡି କୋର୍ଟ ଜଜ୍‌ ଦେବାଶିଷ ପଣ୍ଡା ମାମଲାର ବିଚାରଣା କରି ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଥିବା ଯୋଗୁଁ ସଂସ୍ଥାର ଏମ୍‌ଡି ଏବଂ ମ୍ୟାନେଜର୍‌ଙ୍କୁ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପିପି ବିଜୟ ପ୍ରଧାନ ମକଦ୍ଦମା ପରିଚାଳନା କରିଥିଲେ।

The post ଚିଟ୍‌ଫଣ୍ଡ ଠକେଇ: ଏମ୍‌ଡି, ମ୍ୟାନେଜର୍‌ଙ୍କୁ ୭ବର୍ଷ ୬ ମାସ ଜେଲ୍‌ first appeared on Sambad.

from ଜିଲ୍ଲା | Sambad https://ift.tt/3kXR1jQ