କଂଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍‌ କାର୍ଯ୍ୟାଳୟରେ କାର୍ଯ୍ୟରତ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ (ଜିପିଇଓ) ଗୋବିନ୍ଦ ଭୋଇଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ଉ କରାଯାଇଥିବାବେଳେ ୧ କୋଟି ୬୬ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ଜଣାପଡ଼ିଛି।

ଜିପିଇଓ ଶ୍ରୀ ଭୋଇ ତୁରେକେଲା ବ୍ଲକ୍‌ର ମୋଟ ୧୯ଟି ପଂଚାୟତ ପାଇଁ କାମ କରୁଥିଲେ। ପଂଚାୟତଗୁଡ଼ିକର ସମସ୍ତ କାଗଜପତ୍ର କାମ କରିବା ସହ ବ୍ୟାଙ୍କ ସହ ଲିଙ୍କ୍‌ ରଖୁଥିଲେ। ଅନେକ ସମୟରେ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହୋଇ ଆସୁଥିଲା। ଶୁକ୍ରବାର ‌ସକାଳ ୫ଟାରୁ କଂଟାବାଞ୍ଜି ପଟେଲ କଲୋନିରେ ଥିବା ଶ୍ରୀ ଭୋଇଙ୍କ ଘରେ ପ୍ରଥମେ ଏହି ଟିମ୍‌ ଚଢ଼ଉ କରିଥିଲା। ସେହିପରି ତୁରେକେଲା ବ୍ଲକ୍‌ କାର୍ଯ୍ୟାଳୟ ସମେତ ଏକାଥରକେ ୫ଟି ସ୍ଥାନରେ ଚଢ଼ଉ କରିଥିଲା ଟିମ୍‌। ପଟେଲ କଲୋନିସ୍ଥିତ ବାସଭବନରୁ ଶ୍ରୀ ଭୋଇଙ୍କ ଘରୋଇ କାଗଜ ପତ୍ର, ଆବାସ, ଯାନବାହନ, ଜମିବାଡ଼ି, ସୁନାଗହଣା, ଘରକରଣା ସାମଗ୍ରୀ ଏବଂ ବ୍ୟାଙ୍କ ଜମାଖାତା ଯାଞ୍ଚ କରିଥିଲା। କଂଟାବାଞ୍ଜି ପଟେଲ କଲୋନିରେ ୨ତାଲା ବିଶିଷ୍ଟ ବିଳାସପୂର୍ଣ୍ଣ ଘର, ବଲାଙ୍ଗୀର ଲର୍କିପାଲି, କଂଟାବାଞ୍ଜି, ଚଟୁଅନକା ଆଦି ସ୍ଥାନରେ ମୋଟ ୧୦ଟି ପ୍ଲଟ ଥିବା ସୂଚନା ମିଳିଥିଲା। ୨ଟି ଚାରିଚକିଆ ଗାଡ଼ି, ୩ଟି ବାଇକ୍ ସହ ଅନ୍ୟ ସମସ୍ତ ସାମଗ୍ରୀ ଠାବ କରାଯାଇଥିଲା। ଏସବୁର ମୂଲ୍ୟ ପ୍ରାୟ ୧ କୋଟି ୬୬ଲକ୍ଷ ହେବ ବୋଲି ଆକଳନ କରାଯାଇଛି। ଏହା ବାଦ୍‌ ଅନ୍ୟ ସମସ୍ତ ସ୍ଥାନର ଯାଂଚ ଚାଲିଥିବା ମଧ୍ୟ ସୂଚନା ମିଳିଛି।

The post ତୁରେକେଲା ଜିପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ଉ: ୧ .୬୬ କୋଟି ଟଙ୍କାର ସଂପତ୍ତି ଠାବ first appeared on Sambad.

from ଜିଲ୍ଲା | Sambad https://ift.tt/3iFH2x8