
ସିନାପାଲି : ଜଙ୍ଗଲ ଜମି ପଟ୍ଟା ଦାବି ନେଇ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ସ୍ଥିତ ନଙ୍ଗଲବୋଡ଼ରେ ବନବାସୀ ତାତିଛନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଶନିବାର ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଡିଏଫ୍ଓ ନଆସିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ହକ୍ ନମିଳିବା ଯାଏ ବନ କର୍ମଚାରୀଙ୍କୁ ଗାଁ’ରେ ପୁରାଇ ଦିଆଯିବ ନାହିଁ ବୋଲି ଚରମ ବାଣୀ ଶୁଣାଇଛନ୍ତି।
ପ୍ରକାଶ ଯେ, ଉପରୋକ୍ତ ଦାବି ନେଇ ଜଙ୍ଗଲ ଜମି ମୁକ୍ତି ଆନ୍ଦୋଳନ ତରଫରୁ ଶନିବାର ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ସ୍ଥିତ ନଙ୍ଗଲବୋଡ଼ରେ ଏକ ସଭା ହୋଇଥିଲା। ଏଥିରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ସିନାପାଲି ରେଞ୍ଜର ବିମଳ ଟପ୍ନୋ, ଖଡ଼ିଆଳ ରେଞ୍ଜର ସଂସ୍କୃତି ଗଡ଼ନାୟକଙ୍କ ଉପସ୍ଥିତିରେ ୨୦୦୬ ଜଙ୍ଗଲ ଜମି ଆଇନ କାର୍ଯ୍ୟକାରିତା ଉପରେ ଆଲୋଚନା ହୋଇଥିଲା। ଗୋଷ୍ଠୀଗତ ଅଧିକାର ପାଇଁ ବନବାସୀମାନେ ଦୀର୍ଘ ଦିନ ହେଲା ଆବେଦନ କରି ସବିଶେଷ ଫର୍ମ ଦାଖଲ କରିଛନ୍ତି। କିନ୍ତୁ ବନବିଭାଗ ଟାଳଟୁଳ ନୀତି ଅବଲମ୍ବନ କରି ଦସ୍ତଖତ କରୁନାହିଁ। ଏହି ଘଟଣାକୁ ନେଇ ଖଡ଼ିଆଳ ଡିଏଫ୍ଓ ବିବେକଙ୍କୁ ଗତ କିଛିଦିନ ତଳେ ନଙ୍ଗଲବୋଡ଼ରେ ବନବାସୀମାନେ ୨ ଘଣ୍ଟା ଅଟକ ରଖିଥିଲେ। ୨୪ ତାରିଖ (ଅର୍ଥାତ୍ ଆଜି) ବୈଠକ କରାଯାଇ ସମାଧାନ କରାଯିବ ବୋଲି ଡିଏଫଓ ସେତେବେଳେ କହିଥିଲେ। କିନ୍ତୁ ଶନିବାର ଡିଏଫ୍ଓ ବୈଠକକୁ ଆସିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଆମର ହକ୍ ନମିଳିବା ଯାଏ ଗାଁ ମଧ୍ୟକୁ ବନ କର୍ମଚାରୀଙ୍କୁ ପୂରାଇ ଦେବୁନାହିଁ ବୋଲି ପୋଷ୍ଟର ଲଗାଇ ଗ୍ରାମବାସୀ ପ୍ରତିବାଦ ଜଣାଇଥିଲେ। ବାରମ୍ବାର ଗୁହାରି କରିବା ସତ୍ତ୍ୱେ ପ୍ରଶାସନ କର୍ଣ୍ଣପାତ କରୁନଥିବାରୁ ବନବାସୀମାନେ ଶେଷରେ ତାତିଛନ୍ତି। ଆଗାମୀ ଦିନରେ କୋଭିଡ୍ କଟକଣାକୁ ନ ମାନି ଡିଏଫ୍ଓ ଅଫିସ ସହିତ ଜିଲ୍ଲାପାଳ ଅଫିସ ଘେରାଉ କରାଯିବ ବୋଲି ବନବାସୀମାନେ ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ ଡିଏଫ୍ଓ ସିନ୍ଦୂରଶୀଳ ଗ୍ରାମକୁ ଗତ ୧୯ ତାରିଖ ଦିନ ଯାଇଥିଲେ। ସେହି ଗ୍ରାମର ଲୋକଙ୍କ ସହିତ ଆଲୋଚନା କରି କେବଳ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ଦିଆଯିବ ବୋଲି କହିବା ପରେ ଅସନ୍ତୋଷ ବୃଦ୍ଧି ପାଇଛି। ସରକାରଙ୍କ ଜଙ୍ଗଲ ନିୟମ ଅନୁଯାୟୀ କୌଣସି ବ୍ୟକ୍ତି ଯଦି ୨୦୦୫ ମସିହା ଡିସେମ୍ବର ସୁଦ୍ଧା ଜଙ୍ଗଲ ଜମି ଦଖଲ କରିଥିଲେ, ସେହି ବ୍ୟକ୍ତି ପଟ୍ଟା ପାଇବା ପାଇଁ ହକ୍ ରହିଛି। କିନ୍ତୁ ପ୍ରଶାସନ ତରଫରୁ କିଛି ଆଦିବାସୀଙ୍କୁ ପଟ୍ଟା ଦିଆଯାଇଛି। ଅଣ ଆଦିବାସୀଙ୍କୁ ଆଜି ପର୍ଯ୍ୟନ୍ତ ପଟ୍ଟା ଦିଆଯାଇ ନାହିଁ ବୋଲି ଆଜିର ବୈଠକରେ ଆଲୋଚନା କରାଯାଇ ଅସନ୍ତୋଷ ପ୍ରକାଶ କରିଥିଲେ। ପ୍ରଶାସନ ଆଗାମୀ ଦିନରେ କି ପଦକ୍ଷେପ ନେଉଛି ତାହାକୁ ଅପେକ୍ଷା କରାଯାଉଛି, ଦାବି ପୂରଣ ନହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ମେଳିରେ ଚେତାବନୀ ଦିଆଯାଇଛି। ଏଥିରେ ଡବ୍ଲୁଇଓ ସୂର୍ଯ୍ୟକାନ୍ତ ଭୋଇ, ଜିଲ୍ଲାପରିଷଦ ସଦସ୍ୟ ଗିରିରାଜ ମାଝି, ଆନ୍ଦୋଳନର ସଂଯୋଜକ ଖୁଟୁରାମ ସୁନାନୀ, ହୀରାଧର ମାଝି, ମେଘନାଥ ଖର୍ସେଲ, ହନୁରାମ୍ ମାଝି, ଗଣେଶ ପୋଢ଼, ଜଗଦୀଶ ମାଝି, ତୁଳସୀରାମ ମାଝି, ସୌଦାଗର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
The post ଜଙ୍ଗଲ ଜମି ପଟ୍ଟା ଦାବିରେ ଏକଜୁଟ୍ ହେଲେ ବନବାସୀ, ବଡ଼ ଆନ୍ଦୋଳନ ପାଇଁ ସଜବାଜ first appeared on Sambad.from ଜିଲ୍ଲା | Sambad https://ift.tt/2TxlEBw
0 Comments