ଜୟପୁର: ଜୟପୁର ରକ୍ତଭଣ୍ଡାରରେ ଗତ କିଛି ଦିନ ହେବ ରକ୍ତର ଅଭାବ ଲାଗି ରହିଛି। ଅଦଳବଦଳରେ କାମ ଚାଲିଛି। ସ୍ବେଚ୍ଛାକୃତ ରକ୍ତଦାନ ଶିବିର ବି ହୋଇ ପାରିନି। ଏହା ଫଳରେ ଜରୁରୀ ରୋଗୀଙ୍କୁ ଗୋଟିଏ ୟୁନିଟ୍ ରକ୍ତ ବି ରକ୍ତଭଣ୍ଡାର ପକ୍ଷରୁ ଯୋଗା ଯାଉନାହିଁ। ଏଭଳି ଜରୁରୀ ସମୟରେ ଗୋଟିଏ ୟୁନିଟ୍ ରକ୍ତ ଖୋଜିବା ପାଇଁ ରୋଗୀଙ୍କ ସମ୍ପର୍କୀୟଙ୍କୁ ହନ୍ତସନ୍ତ ହେବାକୁ ପଡ଼ୁଛି। ଏଭଳି ଜରୁରୀ ସମୟରେ ଜଣେ ମହିଳା ଓ ଜଣେ ଯୁବ ବ୍ୟବସାୟୀ ରକ୍ତଦାନ କରି ୩ଟି ଜୀବନ ବଞ୍ଚାଇ ଦେଇ ନିଜର ମହାନତାର ପରିଚୟ ଦେଇଛନ୍ତି।

ସୂଚନା ଅନୁଯାୟୀ, ହର୍ଦ୍ଧଳୀ ଅଞ୍ଚଳର ଡମାଇ ହରିଜନ ୪ମାସର ଗର୍ଭବତୀ। ତାଙ୍କର ହେମୋଗ୍ଲୋବିନ୍ କମ୍ ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ସେ ଚିକିତ୍ସାଧୀନ ଅଛନ୍ତି। ଚିକିତ୍ସା କରୁଥିବା ଡାକ୍ତର ଜଣକ ତାଙ୍କୁ ୪ ୟୁନିଟ୍ ‘ଓ’ ପଜିଟିଭ୍ ରକ୍ତ ନେବାକୁ ପଡ଼ିବ ବୋଲି କହିଥିଲେ। ପରିବାରବର୍ଗ ବହୁ ଖୋଜାଖୋଜି କରିବା ପରେ ରକ୍ତଦାତା ପ୍ରବର୍ତ୍ତକ କାର୍ତ୍ତିକ ରାଉତଙ୍କୁ ଯୋଗାଯୋଗ କରିଥିଲେ। ସେ ପାରାବେଡ଼ା ଅଞ୍ଚଳର ନମିତା ପାତ୍ରଙ୍କୁ ମହିଳାଙ୍କ ଅବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ। ସେ ଏହା ଜାଣିବା ପରେ ରକ୍ତଭଣ୍ଡାରକୁ ଆସି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି। ଏହା ଫଳରେ ଡମାଇଙ୍କ ସହ ତାଙ୍କ ପେଟରେ ଥିବା ଛୁଆ ବଞ୍ଚି ଯାଇଛନ୍ତି। ସୂଚନାଯୋଗ୍ୟ ନମିତା ଏଥିପୂର୍ବରୁ ବିଭିନ୍ନ ରକ୍ତଦାନ ଶିବିର ଓ ଜରୁରୀ ରୋଗୀଙ୍କୁ ୧୪ଥର ରକ୍ତଦାନ କରିସାରିଛନ୍ତି।

Sambad

ସେଭଳି ଲାଛନାଗୁଡ଼ା ଅଞ୍ଚଳର ଅର୍ଚ୍ଚନା ରାୟ ନାମକ ମହିଳା ଜଣକ ଜ୍ବରରେ ପୀଡିତ ହୋଇ ରକ୍ତହୀନତାର ଶୀକାର ହୋଇଥିଲେ। ସେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କୁ ‘ଓ’ ପଜିଟିଭ୍ ରକ୍ତର ଆବଶ୍ୟକତା ପଢ଼ିଥିବା ଚିକିତ୍ସା କରୁଥିବା ଡାକ୍ତର ପରିବାରବର୍ଗକୁ କହିଥିଲେ। ପରିବାରବର୍ଗ ବହୁ ଖୋଜାଖୋଜି କରିଥିଲେ। ଯୁବ ବ୍ୟବସାୟୀ ସୁବ୍ରତ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଯୋଗାଯୋଗ କରିଥିଲେ। ସେ ଜୟପୁର ରକ୍ତଭଣ୍ଡାରକୁ ଆସି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଏଥି ପୂର୍ବରୁ ସୁବ୍ରତ ଜୟପୁର, ନବରଙ୍ଗପୁର, ବୋରିଗୁମ୍ମା ଆଦି ସ୍ଥାନରେ ହୋଇଥିବା ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ଜରୁରୀ ରୋଗୀଙ୍କୁ ୧୬ଥର ରକ୍ତଦାନ କରିଛନ୍ତି। ଜଣକର ଅତ୍ୟନ୍ତ ଜରୁରୀ ତଥା ଜୀବନ ମରଣ ସମୟରେ ସହଯୋଗ କରି ନିଜକୁ ଆନନ୍ଦିତ ମନେ କରୁଛୁ ବୋଲି ଉଭୟ କହିଛନ୍ତି। ଭଗବାନ ଦେଇଥିବା ମୂଲ୍ୟବାନ ମଣିଷ ଜୀବନରେ କିଛି ଭଲ କାମ ମଧ୍ୟରେ ରକ୍ତଦାନ କରିବାକୁ ଉଭୟ ଆହ୍ବାନ ଦେଇଛନ୍ତି।

The post ମହିଳା ଓ ଯୁବ ବ୍ୟବସାୟୀଙ୍କ ବଦାନ୍ୟତା; ରକ୍ତଦାନ କରି ଗର୍ଭବତୀ ଓ ମହିଳାଙ୍କ ଜୀବନ ବଞ୍ଚାଇଲେ first appeared on Sambad.

from ଜିଲ୍ଲା | Sambad https://ift.tt/3iJXj3X