
ବରଗଡ଼ : ବରଗଡ଼ ସହରର ପରିସୀମା ବଢ଼ି ଚାଲିଛି। ସହରର ସବୁ ପଟେ ଜାତୀୟ ଏବଂ ରାଜ୍ୟ ରାଜପଥ ଘେରି ରହିଛି। କିନ୍ତୁ ସହରକୁ ଲାଗି ଏମିତି ଏକ ପଡ଼ା ଅଛି, ଯେଉଁଠି ଲୋକେ ଯମ ଯନ୍ତ୍ରଣା ଭୋଗୁଛନ୍ତି। ବର୍ଷତମାମ ଲୋକେ ମୌଳିକ ସୁବିଧାରୁ ବଂଚି ରହିଛନ୍ତି। ସହରରୁ ରାଜପଥ ଡେଇଁ ଘୁଲିପାଲି ପାଖରେ ରହିଛି ଏହି ପଡ଼ା। ଏହାର ନାମକରଣ ବି ହୋଇନାହିଁ। ଏହି ବେନାମୀ ପଡ଼ାରେ ୪୦ଟି ପରିବାରର ୨ଶହରୁ ଅଧିକ ଲୋକେ ରହୁଛନ୍ତି। ମାତ୍ର ୮ଶହ ମିଟର୍ ଦୂରତାରେ ପୌରାଞ୍ଚଳର ପରିସୀମା ସରୁଛି। ସେଠାରୁ ହିଁ ଏହି ପଡ଼ାର ଦୁର୍ବିସହ ଦୃଶ୍ୟ ବାରି ହେଉଛି।
ଏହି ପଡ଼ାବାସୀ ନା ପୌରାଞ୍ଚଳରେ ଗଣାଯାଉଛନ୍ତି, ନା ନିକଟସ୍ଥ ଖଲିଆପାଲି ପଞ୍ଚାୟତ ଅଧୀନରେ ଆସୁଛନ୍ତି। ଭୋଟର୍ ପରିଚୟ ପତ୍ର କହୁଛି, ଏଠାକାର ଲୋକେ ୱାର୍ଡ ନମ୍ବର ୧୮ ଅନ୍ତର୍ଗତ। ପୌର ନିର୍ବାଚନ ବେଳେ ଭୋଟ୍ ବି ଦେଉଛନ୍ତି। କିନ୍ତୁ ପୌରାଞ୍ଚଳର କିଛି ସୁବିଧା ଏମାନଙ୍କ ପାଖରେ ନାହିଁ। ପଡ଼ାକୁ କିଛି ରାସ୍ତା ହିଁ ନାହିଁ। ବିଲ ଭିତରେ ଘଞ୍ଚ ବୁଦା ଦେଇ ପାଦ ଚଲା ରାସ୍ତା ରହିଛି। କିନ୍ତୁ ବର୍ଷା ହେଲେ ରାସ୍ତାରେ ଚାଲି ବି ହୁଏନି। ଏହି ପଡ଼ା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼େ। ଏଭଳି ସ୍ଥିତିରେ କୌଣସି ରୋଗୀଙ୍କୁ ଡାକ୍ତରଖାନା ନେବାକୁ ବି ବିକଳ୍ପ ନାହିଁ। କାରଣ ଦୁଇ କିଲୋମିଟର୍ ବାଟ ଗଲା ପରେ ହିଁ କୌଣସି ଭଡ଼ା ଗାଡ଼ି କିମ୍ବା ଆମ୍ବୁଲାନ୍ସ ଆସି ପାରିବ। ତେଣୁ ଗର୍ଭବତୀ କିମ୍ବା ରୋଗୀଙ୍କୁ ଖଟିଆରେ ବୁହା ହେବା ଭଳି ଦୃଶ୍ୟ ଏଠାରେ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ପଡ଼ାରେ ପାଣି, ବିଜୁଳି କିମ୍ବା ରାସ୍ତାର କିଛି ସୁବିଧା ନାହିଁ। ମାତ୍ର ୮ଶହ ମିଟର୍ ଦୂର ଯାଏ ପୌରାଞ୍ଚଳକୁ ପାଇପ୍ ପାଣି ସଂଯୋଗ ରହିଛି। ହେଲେ ଏଠାରେ ଗୋଟିଏ ନଳକୂପ ବି ଖୋଳା ଯାଇନି। ପଡ଼ାକୁ ଆଜି ଯାଏଁ ଚାରିଚକିଆ ଯାନ ବି ପହଂଚି ପାରିନି।
ଏହି ପଡ଼ାରୁ ଜାତୀୟ ରାଜପଥର ଦୂରତା ମାତ୍ର ଦେଢ଼ କିଲୋମିଟର୍। ହେଲେ ସେଠାକୁ ପହଂଚିବାକୁ ଏଠାରୁ କିଛି ରାସ୍ତା ନଥିବା ଚିନ୍ତାର କାରଣ ପାଲଟିଛି। ନକ୍ସାରେ ପଡ଼ା ଦେଇ ଚାରି ଦିଗକୁ ରାସ୍ତା ଥିବା ଦର୍ଶାଯାଇଛି। ହେଲେ ବାସ୍ତବରେ ରାସ୍ତାର କିଛି ଚିହ୍ନବର୍ଣ୍ଣ ହିଁ ନାହିଁ। ଅନ୍ୟ ଏକ ଉଦ୍ବେଗର ବିଷୟ ହେଲା, ରାସନ ସାମଗ୍ରୀ। ଯେହେତୁ ପଡ଼ାବାସୀ ପୌରାଞ୍ଚଳରେ ଆସୁ ନାହାନ୍ତି, ସେମାନଙ୍କୁ ପୌର ପ୍ରଶାସନ ପକ୍ଷରୁ କିଛି ରାସନ ମିଳୁନାହିଁ। ଅଥଚ ସମସ୍ତଙ୍କ ଭୋଟର୍ କାର୍ଡରେ ସେମାନେ ୱାର୍ଡ ନମ୍ବର ୧୮ ଅନ୍ତର୍ଭୁକ୍ତ ବୋଲି ଦର୍ଶାଯାଇଛି। ତେଣୁ ଭୋଟର୍ କାର୍ଡ ଆଧାରରେ ସେମାନଙ୍କୁ ନିକଟସ୍ଥ ପଞ୍ଚାୟତରୁ ବି ରାସନ ମିଳୁନାହିଁ। ପଡ଼ାବାସୀ ନା ଏ କୂଳର, ନା ସେ କୂଳର। ଏମାନଙ୍କ ପ୍ରତି କେବେ ବିଚାର ହେବ ଏବଂ କିଏ ବିଚାର କରିବ, ତାହା ସମୟ କହିବ।
The post ବରଗଡ଼: ଖଟିଆରେ ବୁହା ହେଉଛନ୍ତି ରୋଗୀ first appeared on Sambad.from ଜିଲ୍ଲା | Sambad https://ift.tt/3y4rF7H
0 Comments