କୋରେଇ : ରାସନ ସାମଗ୍ରୀ ହଡ଼ପ ଅଭିଯୋଗରେ କୋରେଇ ବ୍ଲକ ଅମୃତିଆ ପଞ୍ଚାୟତର ରିଟେଲର ଶରତ ଚନ୍ଦ୍ର ମହାପାତ୍ରଙ୍କୁ ଯାଜପୁର ଉପଜିଲ୍ଲାପାଳ ନିଲମ୍ବିତ କରିଛନ୍ତି। ସେ ନିଜ ପରିବାର ନାଁରେ ରାସନକାର୍ଡ ହାତେଇ ସାମଗ୍ରୀ ନେଇଥିବା ସଂକ୍ରାନ୍ତରେ ଅଭିଯୋଗ ‌ହୋଇଥିଲା। ଏହାର ତଦନ୍ତ କରି ତାଙ୍କୁ ନିଲମ୍ବିତ କରାଯିବା ସହ ସେ ନେଇଥିବା ସମାଗ୍ରୀର ମୂଲ୍ୟ ତାଙ୍କଠାରୁ ଆଦାୟ କରିବାକୁ ଉପଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଉପଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୨୫୮/୧୯–୭–୨୦୨୧ଜରିଆରେ ଏହି ନିର୍ଦେଶ ଦିଆଯାଇଛି। ୭ଦିନ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବାକୁ ପତ୍ରରେ ଉଲ୍ଲେଖ କରାଯାଇଛି।

ଅମୃତିଆ ଗ୍ରାମର ଶରତ ଚନ୍ଦ୍ର ମହାପାତ୍ର ରିଟେଲର ଥାଇ ସାଧାରଣ ଲୋକଙ୍କୁ ଠିକଭାବେ ଯୋଗାଣ ସାମଗ୍ରୀ ଦେଉ ନଥିଲେ। ଏ ସଂକ୍ରାନ୍ତରେ ଗ୍ରାମର ଜନୈକ ବ୍ୟକ୍ତି ସୂଚନା ଅଧିକାର ବଳରେ ତଥ୍ୟ ମାଗିଥିଲେ। ଏଥିରେ ପ୍ରତିକ୍ରିୟାଶୀଳ ହୋଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ରିଟେଲର ଦୁର୍ବ୍ୟବହାର କରିଥିଲେ। ଏନେଇ ବ୍ଲକ ଯୋଗାଣ ବିଭାଗ ନିରୀକ୍ଷକଙ୍କ ସମେତ କୋରେଇ ବିଡିଓ ଓ ଉପଜିଲ୍ଲପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଘଟଣାର ସତ୍ୟାସତ୍ୟ ଜଣାପଡ଼ିବା ପରେ ତାଙ୍କୁ ପ୍ରଦାନ କରାଯାଉଥିବା ଯୋଗାଣ ସାମଗ୍ରୀର କୋଟା ଗତ ଜାନୁଆରି, ଫେବ୍ରୁଆରି ଓ ମାର୍ଚ୍ଚ ମାସରେ ବନ୍ଦ କରାଯାଇଥିଲା। ପୁନର୍ବାର ଯୋଗାଣ ବିଭାଗ ସାମଗ୍ରୀ ଦେବାକୁ ଧାର୍ଯ୍ୟ କରିବା ପରେ ସେ ଏକମାସର କୋଟା ଉଠାଇ ବଣ୍ଟନ କରିଥିଲେ। ଏହା ବିରୋଧରେ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିର୍ଦେଶରେ କୋରେଇ ବ୍ଲକ ଯୋଗାଣ ନିରୀକ୍ଷକ ପ୍ରଶାନ୍ତ କୁମାର ନାୟକଙ୍କ ସମେତ ଦାନଗଦୀ ଯୋଗାଣ ନିରୀକ୍ଷକ ଦୀପା ବେହେରା, ସୁକିନ୍ଦା ଯୋଗାଣ ନିରୀକ୍ଷକ ଦେବାଶିଷ କର ତଦନ୍ତ କରିଥିଲେ।

ଉପଜିଲ୍ଲାପାଳ ତଦନ୍ତ ରିପୋର୍ଟ ପାଇବା ପରେ ସାମଗ୍ରୀ ଆତ୍ମସାତ୍‌ କରିଥିବାରୁ ତାଙ୍କଠାରୁ ୩୪ହଜାର ୪୬୪ଟଙ୍କା ଆଦାୟ କରାଯିବାକୁ ଗତ ୧୯ତାରିଖରେ ନିର୍ଦେଶ ଦିଆଯାଇଛି। ଏଥିସହ ଗତ ୨୨ ତାରିଖରେ ନିଲମ୍ବନ କରାଯାଇଛି।

The post ସାମଗ୍ରୀ ହଡ଼ପ କରି ରିଟେଲର ନିଲମ୍ବିତ, ଟଙ୍କା ଆଦାୟ ନିର୍ଦେଶ first appeared on Sambad.

from ଜିଲ୍ଲା | Sambad https://ift.tt/376HUp8