ରାଉରକେଲା: କୁଆରମୁଣ୍ଡା ବ୍ଲକର ଦୁଇ ଜଣ ଶିକ୍ଷୟିତ୍ରୀ ନକଲି ଓଟିଇଟି ପାସ୍‌ ସାର୍ଟିଫିକେଟ୍‌ ଦେଇ ନିୟମିତ ଶିକ୍ଷୟିତ୍ରୀର ମାନ୍ୟତା ପାଇବା ସହ ବର୍ଦ୍ଧିତ ଦରମା ନେଇଚାଲିଛନ୍ତି। ଏଭଳି ଅନୈତିକ କାରବାର କେବଳ କୁଆରମୁଣ୍ଡା‌ ବ୍ଲକରେ ସୀମିତ ରହିନାହିଁ; ବରଂ ଅନ୍ୟ ବ୍ଲକରେ ମଧ୍ୟ ମାଡ଼ିଛି। ତେବେ ଏହି ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ଆସିବାରେ ଲାଗିଛି। ପ୍ରକୃତରେ ଯାଜପୁରର ଦୁଇ ଜଣ ଦଲାଲ ହିଁ ଏହି ରୢାକେଟ୍‌ ଚଲାଇଛନ୍ତି। ଶିକ୍ଷକଙ୍କଠାରୁ ୯୦ ହଜାର ଲେଖାଏଁ ଅର୍ଥ ଆଦାୟ କରି ସେମାନଙ୍କୁ ନକଲି ଓଟିଇଟି ପାସ୍‌ ସାର୍ଟିଫିକେଟ୍‌ ଦେଇଛନ୍ତି। ଏହି ନକଲି ସାର୍ଟିଫିକେଟ୍‌ ମାଧ୍ୟମରେ ହିଁ ଶିକ୍ଷକଶିକ୍ଷୟିତ୍ରୀମାନେ ଏଯାବତ୍‌ ଶିକ୍ଷକତା କରୁଛନ୍ତି।

କିଛି ଦିନ ପୂର୍ବେ ସୂଚନା ଅଧିକାର ଆଇନ ବଳରେ ଏହି ଚାଞ୍ଚଲ୍ୟକର ତଥ୍ୟ ମିଳିଥିଲା। ତେବେ ଏହି ଜାଲିଆତି ୨ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଜଣାପଡ଼ିଛି। ୨୦୧୧ ମସିହା ପରଠାରୁ ଶିକ୍ଷକ ନିଯୁକ୍ତି/ସ୍ଥାୟୀ ଶିକ୍ଷକ ମାନ୍ୟତା ପାଇଁ ଓଟିଇଟି ପରୀକ୍ଷା ପାସ୍‌ କରିବା ଅନିବାର୍ଯ୍ୟ। ଏଣୁ ପ୍ରତିବର୍ଷ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅଫଲାଇନ୍‌ରେ ଓଟିଇଟି ପରୀକ୍ଷା ହୋଇଥାଏ। ତେବେ ୨୦୧୯ ମସିହାରେ ପ୍ରଥମଥର ପାଇଁ ଅନଲାଇନ୍‌ରେ ଓଟିଇଟି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଅନଲାଇନ୍‌ ପରୀକ୍ଷାବେଳେ କିନ୍ତୁ ଭୁଲ୍‌ ପ୍ରଶ୍ନପତ୍ର ତଥା ଅନ୍ୟାନ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଏହାକୁ ପରୀକ୍ଷାର୍ଥୀମାନେ ତୀବ୍ର ବିରୋଧ କରିଥିଲେ। ପୁନଃ ପରୀକ୍ଷା ଆୟୋଜନ ଅନ୍ୟଥା ଗ୍ରେସ୍‌ ମାର୍କ ଦେବାକୁ ଦାବି କରିଥିଲେ। ଶେଷରେ ବୋର୍ଡ ଦାବିକୁ ମାନି ନେଇ ଗ୍ରେସ୍‌ ମାର୍କ ସହ ଫଳ ପ୍ରକାଶନ କରିଥିଲା। ଗ୍ରେସ୍‌ ମାର୍କ ସତ୍ତ୍ବେ କିଛି ପରୀକ୍ଷାର୍ଥୀ ଫେଲ୍‌ ହୋଇଥିଲେ। ଏହି ଫଳକୁ କିନ୍ତୁ ଗ୍ରହଣ କରିନଥିଲେ ସେମାନେ। ପୁନର୍ବାର ମୂଲ୍ୟାଙ୍କନ କରିବାକୁ ଦାବି କରିଥିଲେ। ସେତେବେଳେ କିନ୍ତୁ ବୋର୍ଡ ଆଉ ଦାବିକୁ ବିଚାରକୁ ନେଇନଥିଲା। ଠିକ୍‌ ଏତିକିବେଳେ ଦଲାଲ୍‌ମାନଙ୍କ ଆବିର୍ଭାବ ଘଟିଥିଲା। ଦଲାଲମାନେ ଫେଲ୍‌ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଯୋଗାଯୋଗ ଆରମ୍ଭ କରିଦେଇଥିଲେ। ସୁନ୍ଦରଗଡ଼ ଜିଲ୍ଲାରେ ଯାଜପୁରର ଦୁଇ ଜଣ ଦଲାଲ ସବୁ ଘୋଟାଲା କରିଥିଲେ। ବିଶେଷକରି ଜିଲ୍ଲାର କୁଆରମୁଣ୍ଡା, ରାଜଗାଙ୍ଗପୁର, ନୂଆଗାଁ, ଲାଠିକଟା ବ୍ଲକରେ ଏକାଧିକ ଶିକ୍ଷକଙ୍କୁ ଟାର୍ଗେଟ୍‌ କରିଥିଲେ। ୮୦/୯୦ ହଜାର ଟଙ୍କା ନେଇ ଏକାଧିକ ଶିକ୍ଷକଙ୍କୁ ନକଲି ପାସ୍‌ ସାର୍ଟିଫିକେଟ୍‌ ଦେଇଥିଲେ।

ସୂଚନା ଯଦି ସତ, ତା’ହେଲେ ଜିଲ୍ଲାରେ ଏଭଳି ନକଲି ସାର୍ଟିଫିକେଟ ଦେଇ ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କୁ ସଂଖ୍ୟା ୫୦ ଟପିବ। ବିଡ଼ମ୍ବନା, ସମଗ୍ର ରୢାକେଟ୍‌ର କିଙ୍ଗପିନ୍‌ ଖୋଦ୍‌ ଜଣେ ଫେଲ୍‌ ହୋଇଥିବା ଶିକ୍ଷକ। ଏହି ଦଲାଲ ଜଣକ ମାତ୍ର ୬୭ ମାର୍କ ପାଇ ସ୍ଥାୟୀ ଶିକ୍ଷକ ପାଇଁ ଅଯୋଗ୍ୟ ବିବେଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ କିନ୍ତୁ ତାଙ୍କର ମାର୍କ ଆଶ୍ଚର୍ଯ୍ୟଜନକଭାବେ ୮୦କୁ ବୃଦ୍ଧି ପାଇଥିଲା। ଉକ୍ତ ନକଲି ସାର୍ଟିଫିକେଟ୍‌ ମାଧ୍ୟମରେ ସେ ବି ଏବେ ନିୟମିତ ଶିକ୍ଷକକର ମାନ୍ୟତା ପାଇସାରିଲେଣି। ଏହି ସଫଳତାକୁ ଦର୍ଶାଇ ଦଲାଲ ଜଣକ ଜିଲ୍ଲାରେ ମଧ୍ୟ କାୟାବିସ୍ତାର କରିଥିଲା। ବହୁ ଶିକ୍ଷକଙ୍କୁ ଥୋପ ପକାଇଥିଲା। ତା’ର ଜାଲରେ କିନ୍ତୁ ଜିଲ୍ଲାର ୫୦ରୁ ଅଧିକ ଶିକ୍ଷକ ଫସିଯାଇଛନ୍ତି। ବିଡ଼ମ୍ବନା ଏହା ଯେ, ଶିକ୍ଷା ବିଭାଗ ସବୁ ଜାଣିଛି। ହାତଗୁଞ୍ଜା ନେଇ ଚୁପ୍‌ ବସିଥିବା ଅଭିଯୋଗ ହେଉଛି। ଇତିମଧ୍ୟରେ ତିନି ତିନି ଥର ସାର୍ଟିଫିକେଟ୍‌ ଯାଞ୍ଚ ସଂପନ୍ନ ହୋଇଛି; କିନ୍ତୁ ଥରୁଟିଏ ବି ଏହି ନକଲି ଶିକ୍ଷକ ଧରାପଡ଼ିନାହାନ୍ତି; ଯାହାକି ବିଭାଗୀୟ ଅଧିକାରୀଙ୍କ ସଂପୃକ୍ତି ସନ୍ଦେହକୁ ସ୍ପଷ୍ଟ କରେ।

The post ୯୦ ହଜାର ଦେଲେ ମିଳୁଛି ନକଲି ଓଟିଇଟି ସାର୍ଟିଫିକେଟ୍‌ first appeared on Sambad.

from ଜିଲ୍ଲା | Sambad https://ift.tt/3xkfraL