
ରାଉରକେଲା : ମା’ଙ୍କ ମୃତ୍ୟୁ ପରେ ନବଜାତ ଶିଶୁ କନ୍ୟାକୁ ନେଇଥିବା ଅଙ୍ଗନବାଡି କର୍ମୀଙ୍କୁ ଠାବ କରିଛି ଚାଇଲ୍ଡ ଲାଇନ୍ ଟିମ୍। ଶନିବାର ଉଭୟ ଅଙ୍ଗନବାଡିକର୍ମୀ ଓ ନବଜାତ ଶିଶୁକନ୍ୟାକୁ ସିଡବ୍ଲ୍ୟୁସିରେ ହାଜର କରାଯାଇଥିଲା। ସିଡବ୍ଲ୍ୟୁସିର ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା ଅଙ୍ଗନବାଡିକର୍ମୀଙ୍କୁ ପଚରାଉଚୁରା କରିଥିଲେ। ଅଙ୍ଗନବାଡିକର୍ମୀ ଜଣକ କୌଣସି ସନ୍ତୋଷ ଜନକ ଉତ୍ତର ରଖି ପାରି ନଥିବାରୁ ଆସନ୍ତା ସୋମବାରକୁ ପରବର୍ତ୍ତୀ ତାରିଖ ରଖାଯାଇଛି। ବର୍ତ୍ତମାନ ସ୍ଥିତିରେ ନବଜାତ ଶିଶୁକନ୍ୟାକୁ ଅଙ୍ଗନବାଡିକର୍ମୀ ପାଖରେ ରଖାଯାଇଛି । ସେପଟେ ଅଙ୍ଗନବାଡିକର୍ମୀଙ୍କ ପକ୍ଷରୁ କୋର୍ଟର ନୋଟାରିଙ୍କ ନିକଟରେ କରାଯାଇଥିବା ପୋଷ୍ୟସନ୍ତାନ ରାଜିନାମା ସମ୍ପୂର୍ଣ୍ଣ ବେଆଇନ ବୋଲି ସିଡବ୍ଲ୍ୟୁସି ଅଧ୍ୟକ୍ଷ ଶ୍ରୀ ବେହେରା କହିଛନ୍ତି। ଆସନ୍ତା ସୋମବାର ଏ ସଂମ୍ପର୍କିତ ମାମଲା ବିଚାର ସରିବା ପରେ ନବଜାତଶିଶୁକୁ ଚାଇଲ୍ଡ ଲାଇନରେ ରଖାଯିବ ବୋଲି ଜଣାପଡିଛି।
ଉଲ୍ଲେଖଯୋଗ୍ୟ, ସୂଚନା ମୁତାବକ ନୂଆଗାଁ ଅଞ୍ଚଳର ଜଣେ ଯୁବତୀ ଗଞ୍ଜୁଟୋଲାର ଜଣେ ଯୁବକକୁ ବିବାହ କରିଥିଲେ। ଯୁବତୀ ଜଣକ ଗର୍ଭବତୀ ଅବସ୍ଥାରେ କରୋନା ଆକ୍ରାନ୍ତ ହୋଇଥିଲେ। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଚିକିତ୍ସା ପାଇଁ ସ୍ବାମୀ ଓ ପରିବାର ଲୋକ ଉଦିତନଗରସ୍ଥିତ ଶାନ୍ତି ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଗତ ମେ ୨ ତାରିଖରେ କନ୍ୟାସନ୍ତାନକୁ ଜନ୍ମ ଦେଇଥିଲେ। କିନ୍ତୁ ନବଜାତ ଶିଶୁକନ୍ୟା କରୋନା ମୁକ୍ତ ଥିଲେ। ଦିନକ ପରେ ଅର୍ଥାତ୍ ୩ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କର ମୃତ୍ୟୁ ହୋଇଯାଇଥିଲା। ମହିଳାଙ୍କ ସ୍ବାମୀ ନବଜାତ ଶିଶୁକନ୍ୟାକୁ ଘରକୁ ନେଇଥିଲେ। ଏହି ଖବର ପାଇ ସେଠାରେ ଏକ ଅଙ୍ଗନବାଡିରେ କାମ କରୁଥିବା ଉଦିତନଗର ଓରାମପଡାର ମହିଳା ମୃତ ମହିଳାଙ୍କ ଘରେ ପହଞ୍ଚିଥିଲେ। ତାଙ୍କ ସ୍ବାମୀଙ୍କୁ ବୁଝାବୁଝି କରି ନବଜାତ ଶିଶୁକନ୍ୟାଟିକୁ ନିଜ ଘରକୁ ନେଇଆସିଥିଲେ। ପଡୋଶୀ ଲୋକ ଏ ସଂକ୍ରାନ୍ତରେ ଜାଣିବା ପରେ ଚାଇଲ୍ଡ ଲାଇନକୁ ସୂଚନା ସହ ମହିଳାଙ୍କ ଠିକଣା ମଧ୍ୟ ଦେଇଥିଲେ।
The post ନବଜାତ ଶିଶୁକନ୍ୟାକୁ ଟେକି ଦେବା ଘଟଣା: ସିଡବ୍ଲ୍ୟୁସିରେ ହଜାର ହେଲେ ଅଙ୍ଗନବାଡି କର୍ମୀ first appeared on Sambad.from ଜିଲ୍ଲା | Sambad https://ift.tt/36cuWpe
0 Comments