
ରେଢ଼ାଖୋଲ/ରିଆମାଳ : ବିଷାକ୍ତ ସାପ କାମୁଡ଼ାର ଶିକାର ହୋଇ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣେ ମହିଳାଙ୍କ ଶନିବାର ମୃତ୍ୟୁ ଘଟିଛି। ମହିଳା ଜଣକ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଟୁହିଲାମାଳ ଗ୍ରାମର ଚନ୍ଦ୍ରିକା ନାୟକ (୪୦ ବର୍ଷ) ବୋଲି ଜଣାପଡ଼ିଛି।
ପ୍ରାପ୍ତ ସୂଚନାନୁସାରେ ଗୁରୁବାର ରାତିରେ ଚନ୍ଦ୍ରିକା ତାଙ୍କ ଘରେ ଖାଇପିଇ ଶୋଇଥିଲେ। ରାତିରେ ତାଙ୍କୁ ଏକ ସାପ କାମୁଡ଼ି ଦେବାରୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ପ୍ରଥମେ ନାକଟିଦେଉଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ସଂକଟାପନ୍ନ ଥିବାରୁ ଶୁକ୍ରବାର ତାଙ୍କୁ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସନ୍ଧ୍ୟାରେ ସାମାନ୍ୟ ସୁସ୍ଥ ହେବା ପରେ ପରିବାର ଲୋକ ତାଙ୍କୁ ଘରକୁ ନେଇ ଯାଇଥିଲେ। ମାତ୍ର ଶନିବାର ପୁଣି ଥରେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଆଉ ଥରେ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି।
ଖବରପାଇ ପୁଲିସ୍ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକନ୍ତୁ ହସ୍ତାନ୍ତର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଚନ୍ଦ୍ରିକାଙ୍କ ୨ଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି। ତାଙ୍କ ପରିବାରକୁ ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି। ରିଆମାଳ ଆର୍ଆଇ ଗାଁ’ରେ ପହଞ୍ଚି ତଦନ୍ତ କରିଥିବା ଜଣାପଡ଼ିଛି।
The post ବିଷାକ୍ତ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ first appeared on Sambad.from ଜିଲ୍ଲା | Sambad https://ift.tt/3ycpbUC
0 Comments