ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ପୁଲିସକୁ ପୁଣିଥରେ କିଛି ଅପରାଧୀ ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି। ୨ ଜଣ ଦୁର୍ବୃତ୍ତ ଜଣେ କଲେକ୍‌ସନ୍‌ ମ୍ୟାନେଜର୍‌ଙ୍କୁ ବନ୍ଧୁକ ଦେଖାଇ ୮୭,୭୦୦ ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ସ୍ପନ୍ଦନା ସ୍ପୃର୍ତି ମାଇକ୍ରୋ ଫାଇନାନ୍ସରେ ଏରିଆ କଲେକ୍ସନ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ବରଗଡ଼ର ସୁଧାଂଶୁ ମହାନନ୍ଦ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୁଧାଂଶୁ କୁଲୁଥକାନିଠାରେ ରୁହନ୍ତି। ଶନିବାର ସନ୍ଧ୍ୟାରେ ସେ ବାଇକ୍‌ରେ ପଡ଼ିଆବାହାଲରୁ କଲେକ୍‌ସନ୍‌ ସାରି କୁଲୁଥକାନି ଫେରୁଥିଲେ। ତୁରିପଡ଼ା କେନାଲ ରୋଡ କବରାପାଲି ଛକ ନିକଟରେ ହଠାତ୍‌ ୨ ଜଣ ଦୁର୍ବୃତ୍ତ ତାଙ୍କ ସାମ୍ନାକୁ ଚାଲି ଆସିଲେ ଆଉ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦେଲେ। ସୁଧାଂଶୁ ଧରିଥିବା ଟଙ୍କା ଭର୍ତି ବ୍ୟାଗକୁ ନେଇଗଲେ। ଏହା ସହିତ ସୁଧାଂଶୁଙ୍କ ମୋବାଇଲ୍‌ ଫୋନ୍‌କୁ ଫୋପଡ଼ି ଦେଇ ସେଠାରୁ ଚମ୍ପଟ ମାରିଥିଲେ। ସୁଧାଂଶୁ ମୋବାଇଲ୍‌ ଖୋଜି ପାଇବା ପରେ ପୁଲିସକୁ ଫୋନ୍‌ କରିଥିଲେ। ପରେ ସଦର ଥାନାକୁ ଆସି ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ବ୍ୟାଗରେ ୮୭,୭୦୦ ଟଙ୍କା ଥିବା ସେ କହିଛନ୍ତି।

ଅପରାଧୀମାନେ ଖୋଲାଖୋଲି ଭାବେ ବନ୍ଧୁକ ଦେଖାଇ ଲୁଟ୍‌ କରିବା ସମ୍ବଲପୁରରେ ସାଧାରଣ ଘଟଣା ପାଲଟି ଗଲାଣି। ଏଭଳି କରି ଦୁର୍ବୃତ୍ତମାନେ ପୁଲସକୁ ଖୋଲା ଚ୍ୟାଲେଞ୍ଜ ଦେଉଥିବା ବେଳେ ସଦର ପୁଲିସ ଶନିବାର ସୁଧାଂଶୁଙ୍କୁ ପଚରା ଉଚରା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

The post ପୁଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ: ବନ୍ଧୁକ ଦେଖାଇ ଲୁଟିନେଲେ ୮୭ ହଜାର ଟଙ୍କା first appeared on Sambad.

from ଜିଲ୍ଲା | Sambad https://ift.tt/3yICFrl