ରାଉରକେଲା: ସ୍ମାର୍ଟସିଟି ରାଉରକେଲାରେ ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମିର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ୨୦୨୩ରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍ ଲାଗି ବିପିୟୁଟି କ୍ୟାମ୍ପସରେ ସହିଦ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ନିର୍ମାଣ କରାଯାଉଛି। ସେହିପରି ବ୍ୟାଡମିଣ୍ଟନ ଓ ଲନ୍ ଟେନିସ ଖେଳ ଲାଗି ରାଉରକେଲା ସ୍ମାର୍ଟସିଟି ପ୍ରକଳ୍ପ ଅଧୀନରେ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଚାଲିଛି। ଖୁବଶୀଘ୍ର ଏହି ଷ୍ଟାଡିୟମ ପ୍ରସ୍ତୁତ ହେବାକୁ ଯାଉଛି।

‘‘ରାଉରକେଲା ସ୍ମାର୍ଟସିଟି ଅଧୀନରେ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଭିତରୁ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ହେଉଛି ଏକ ପ୍ରମୁଖ ପ୍ରକଳ୍ପ। ଏହା କାର୍ଯ୍ୟକ୍ଷମ ହେଲେ ସ୍ମାର୍ଟସିଟି ରାଉରକେଲା ରାଜ୍ୟର କ୍ରୀଡ଼ା ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ପାଇବ। କିଛି ମାସ ମଧ୍ୟରେ ଏହି ଆଧୁନିକ କ୍ରୀଡ଼ା ଭିତ୍ତିଭୂମି ପ୍ରସ୍ତୁତ ହେବାକୁ ଯାଉଛି। ଖେଳାଳିମାନଙ୍କ ପାଇଁ ଏହି ଷ୍ଟାଡିୟମରେ ଅନ୍ତର୍ଜାତୀୟ ମାନର ବ୍ୟବସ୍ଥା କରାଯାଉଛି’’, କହିଛନ୍ତି ରାଉରକେଲା ସ୍ମାର୍ଟସିଟି ସିଇଓ ତଥା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା।

ପାନପୋଷଠାରେ ପ୍ରାୟ ଅଢ଼େଇ ଏକର ଜମିରେ ଏହି ଷ୍ଟାଡିୟମ ନିର୍ମାଣ କରାଯାଉଛି। ଏହା କାର୍ଯ୍ୟକ୍ଷମ ହେଲେ ଏଠାରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ବ୍ୟାଡମିଣ୍ଟନ ଓ ଲନ୍ ଟେନିସ୍ ମ୍ୟାଚ ଆୟୋଜନ କରାଯାଇପାରିବ। ଏହା ସହିତ ସ୍ଥାନୀୟ ଯୁବପିଢ଼ି ଓ ଖେଳାଳିମାନେ ମଧ୍ୟ ଏଠାରେ ଅଭ୍ୟାସ କରିବାର ସୁଯୋଗ ପାଇବେ।

ଏହି ଷ୍ଟାଡିୟମରେ ବିଶ୍ୱ ବ୍ୟାଡମିଣ୍ଟନ ଫେଡେରେସନ ମାନର ତିନୋଟି ଇନଡୋର ବ୍ୟାଡମିଣ୍ଟନ କୋର୍ଟ କରାଯାଉଛି। ସେହିପରି ଆଉଟଡୋର ଲନ୍ ଟେନିସ୍ କୋର୍ଟ ମଧ୍ୟ ନିର୍ମାଣ କରାଯାଉଛି। ଏକା ସାଙ୍ଗେ ୩୫୦ ଜଣ ଦର୍ଶକ ବସି ଖେଳ ଉପଭୋଗ କରିବାର ସୁବିଧା ରହିବ। ଖେଳାଳିମାନଙ୍କ ସହିତ ଅମ୍ପାୟାର ଏବଂ ଅନ୍ୟ ଅଧିକାରୀମାନଙ୍କ ଲାଗି ଏଠାରେ ସ୍ୱତନ୍ତ୍ର କୋଠରୀର ବ୍ୟବସ୍ଥା କରାଯାଉଛି।

ସ୍ଥାନୀୟ ଖେଳାଳି ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଖେଳାଳିମାନଙ୍କ ଫିଟନେସ ପାଇଁ ଏଠାରେ ଏକ ଅତ୍ୟାଧୁନିକ ଜିମ୍ନାସିୟମ୍ କରାଯାଉଛି। ଏହି ଜିମ୍ନାସିୟମକୁ ସ୍ଥାନୀୟ କ୍ରୀଡ଼ାବିତମାନେ ମଧ୍ୟ ବ୍ୟବହାର କରିପାରିବେ।

The post କ୍ରୀଡ଼ା ଭିତ୍ତିଭୂମିରେ ଯୋଡ଼ି ହେବାକୁ ଯାଉଛି ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ: ୩୫୦ ଜଣ ଦର୍ଶକ ବସିବାର ରହିଛି ସୁବିଧା first appeared on Sambad.

from ଜିଲ୍ଲା | Sambad https://ift.tt/3yTcDli