ବଲାଙ୍ଗୀର : ବଲାଙ୍ଗୀରରେ ହାଇୱେ ଲୁଟେରାଙ୍କ ଆତଙ୍କ ଖେଳିଥିଲା। ଟ୍ରକ୍‌ ଅଟକାଇ ଡ୍ରାଇଭରମାନଙ୍କଠାରୁ ଲୁଟ୍‌ କରୁଥିଲେ। ଏବେ ସେହି ଲୁଟେରା ଗ୍ୟାଙ୍ଗ୍‌ର ୬ ଜଣଙ୍କୁ ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଏନେଇ ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି। ସେମାନଙ୍କ ପାଖରୁ ପୁଲିସ ଏକ ଖେଳଣା ବନ୍ଧୁକ, ଷ୍ଟଡ୍‌ ରଡ଼ ଓ ଏକ ବାଇକ୍‌ ଜବତ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୨୩ ତାରିଖ ଟ୍ରକ୍‌ ସିଜି ୭ ସିଏ୬୭୯୮ ଖମାରମୁଣ୍ଡା ଛକରେ ବ୍ରେକ୍‌ଡାଉନ୍‌ ହୋଇପଡ଼ିଥିବାର ସୁଯୋଗ ନେଇ ଲୁଟେରାମାନେ ପିସ୍ତଲ ଓ ମାରଣାସ୍ତ୍ର ଦେଖାଇ ଡ୍ରାଇଭରଠାରୁ ୬ ହଜାର ଟଙ୍କା ଲୁଟି ନେଇଥିଲେ। ଏହି ଘଟଣାର ତଦନ୍ତ କରିବାରେ ବଲାଙ୍ଗୀର ଆମପଡ଼ା, ଚିମିନିଭାଟି, ମାଧିଆପାଲି ଓ ଜାମସର ଗାଁର କିଛି ଯୁବକ ସଂପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଥିଲା। ତେଣୁ ହାଇୱେ ଲୁଟେରାଙ୍କୁ କାବୁ କରିବା ପାଇଁ ସଦର ଏସ୍‌ଡିପିଓଙ୍କ ନେତୃତ୍ୱରେ ଟାଉନ ଥାନା, ପୁଇଁନ୍ତଲା ଥାନା ଏବଂ ସଦର ଥାନା ଅଧିକାରୀଙ୍କୁ ନେଇ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ପୁଲିସ ବିଭିନ୍ନ ଜାଗାରେ ଚଢ଼ଉ କରିଥିଲା। ଚଢ଼ଉରେ ୬ ଜଣ ହାଇୱେ ଲୁଟେରାଙ୍କୁ କାବୁ କରିବାରେ ପୁଲିସ ସଫଳ ହୋଇଛି। ସୋମବାର ଉକ୍ତ ୬ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଆଗାମୀ ଦିନରେ ମଧ୍ୟ ପୁଲିସ ହାଇୱେ ଲୁଟେରାମାନଙ୍କୁ ଖୋଜି ବାହାର କରିବ ବୋଲି କହିଛି।

ହାଇୱେ ଲୁଟେରାଙ୍କୁ ପୁଲିସ କୋର୍ଟଚାଲାଣ କରିବା ପୂର୍ବରୁ କ୍ରାଇମ୍‌ ସିନ୍‌ ରିକ୍ରିଏସ୍‌ନ କରିଥିଲା। ଲୁଟ୍‌ କରିଥିବା ଘଟଣାସ୍ଥଳକୁ ପୁଲିସ ସବୁ ଅଭିଯୁକ୍ତଙ୍କୁ ଧରି ପହଞ୍ଚିଥିଲା। ପ୍ରଥମ ଥର ପାଇଁ ଏସ୍‌ଡିପିଓଙ୍କ ନେତୃତ୍ୱରେ ହାଇୱେ ଲୁଟେରାମାନଙ୍କୁ ରାସ୍ତା ଉପରେ ସିନ୍‌ ରିକ୍ରିଏସନ୍‌ କରାଯାଇଥିଲା। ଲୁଟେରାମାନେ ମୁହଁରେ ମୁଖା ପିନ୍ଧି ରାସ୍ତା ଉପରେ ତାଙ୍କ ଲୁଟ୍‌ କାରବାରର ଡେମୋ ଦେଖାଇଥିଲେ। ଏକ ଟ୍ରକ୍‌କୁ ଅଟକାଇ ସେମାନେ କିଭଳି ଭାବରେ ଲୁଟ କରୁଥିଲେ ସେମାନେ ଦେଖାଇଥିଲେ। ସଂଯୋଗବଶତଃ ପୁଲିସ ଡେମୋ ଦେଖାଇବା ପାଇଁ ଯେଉଁ ଟ୍ରକ୍‌କୁ ଅଟକାଇଥିଲା ସେହି ଟ୍ରକ୍‌ର ଡ୍ରାଇଭର ମଧ୍ୟ ଆଗରୁ ଲୁଟ୍‌ର ଶିକାର ହୋଇଥିବା କହିଥିଲେ।

The post ଧରାପଡ଼ିଲେ ୬ ହାଇୱେ ଲୁଟେରା first appeared on Sambad.

from ଜିଲ୍ଲା | Sambad https://ift.tt/2UPZ73A