
କୋକସରା: କୋକସରା ବ୍ଲକ୍ରେ ଆବାସ ଯୋଜନା ଟଙ୍କା ହଡ଼ପ ଘଟଣାରେ ଏକ୍ସନମୋଡ଼କୁ ଆସିଛି ପ୍ରଶାସନ। ଚଞ୍ଚକତା କରି ଟଙ୍କା ହଡ଼ପ କରିଥିବା ଜଣେ ଜିଓଟେଗର୍ ଜେଲ୍ ଯିବା ପରେ ବ୍ଲକ୍ ପ୍ରଶାସନ ୪ଟି ଟିମ୍ ଗଠନ କରି ଏହାର ତନାଘନା ଆରମ୍ଭ କରିଛି। ଘର ଘର ବୁଲି ଟିକିନିକି ଯାଞ୍ଚ କରୁଛନ୍ତି ଏହି ଟିମ୍ର ସଦସ୍ୟମାନେ।
ପ୍ରକାଶ ଯେ, ବ୍ଲକ୍ ଅନ୍ତର୍ଗତ ପୋଡ଼ାଗୁଡା ପଞ୍ଚାୟତରେ ୬ ଜଣ ହିତାଧିକାରୀଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘରକୁ ଚଞ୍ଚକତା କରି ପଞ୍ଚାୟତର ଜିଓଟେଗର୍ ସଂଜୀବ ଦାସ ପ୍ରାୟ ୭ ଲକ୍ଷ ୮୦ ହଜାର ଟଙ୍କା ହଡ଼ପ କରିଥିବା ଜଣାପଡ଼ିଥିଲା। ଏନେଇ ବିଡିଓ ଆମପାଣି ଥାନାରେ ଏତଲା ଦେଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ଜିଓଟେଗର ସଂଜୀବଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ଦୁର୍ନୀତିରେ ଆଉ କିଛି ପଞ୍ଚାୟତ ଓ ବ୍ଲକ୍ କର୍ମଚାରୀଙ୍କ ହାତ ଥିବା ଅଭିଯୋଗ ହେବା ପରେ ବ୍ଲକ୍ ପ୍ରଶାସନ ତନାଘନା ଆରମ୍ଭ କରିଛି।
ଶନିବାର ବ୍ଲକ ପକ୍ଷରୁ ୪ଗୋଟି ଟିମ୍ ଗଠନ କରି ବଡ଼ପୋଡ଼ାଗୁଡା ପଞ୍ଚାୟତରେ ତଦନ୍ତ କରାଯାଇଥିଲା। ହିତାଧିକାରୀମାନଙ୍କ ଘରକୁ ଯାଇ ସବିଶେଷ ତଦନ୍ତ କରାଯାଇଥିଲା। ବିଡିଓ ମନୀଷା ଦାସ, ଏବିଡିଓ ପୁରୁଷୋତ୍ତମ ଧରୁଆ, ସହକାରୀ ଯନ୍ତ୍ରୀ ତିଳୋତ୍ତମା ମାଝୀ ଓ କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର ପଟ୍ଟନାୟକଙ୍କ ସହ ପିଇଓମାନେ ହିତାଧିକାରୀମାନଙ୍କ ଘରକୁ ଯାଇ ସମସ୍ତ କାଗଜପତ୍ର ଯାଞ୍ଚ କରିଥିଲେ। ସେମାନଙ୍କ ଆକାଉଣ୍ଟ୍ ନମ୍ବର, ଆଧାର, ମୋବାଇଲ ନମ୍ବର ସଂଗ୍ରହ କରିଥିଲେ। ଏଭଳିକି ସେମାନଙ୍କୁ ଶୀଘ୍ର ଘର କାମ ସାରି ବୋନସ୍ର ଫାଇଦା ଉଠାଇବାକୁ କହିଥିଲେ।
The post କୋକସରା ବ୍ଲକ୍ରେ ଆବାସ ଟଙ୍କା ହଡ଼ପ ଘଟଣା, ବ୍ଲକ୍ ପ୍ରଶାସନର ତନାଘନା ଆରମ୍ଭ first appeared on Sambad.from ଜିଲ୍ଲା | Sambad https://ift.tt/3hRlhdc
0 Comments