କୋରେଇ : କୋରେଇ ଥାନା ଅନ୍ତର୍ଗତ ହଳଦୀଗଡ଼ିଆ ପଞ୍ଚାୟତ ଶିଶୁଆ ଗ୍ରାମରେ ଗତ ୧୬ ତାରିଖରେ ଜମିଜମା ବିବାଦକୁ ନେଇ ଜଣେ ବୃଦ୍ଧାଙ୍କୁ କେତେକ ଦୁର୍ବୃତ୍ତ ବାନ୍ଧି ମାଡ଼ ମାରିଥିଲେ। ଏହି ଘଟଣାରେ ରବିବାର କୋରେଇ ପୁଲିସ୍‌ ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି। ପୁଲିସ୍‌ ଏହି ଘଟଣାରେ ଦୁଇଦିନ ଧରି ତଦନ୍ତ କରିବା ପରେ ରବିବାର ୪ ଜଣଙ୍କୁ ଗିରଫ କରିଥିଲା। ସେଥିମଧ୍ୟରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଅନ୍ୟ ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କୋରେଇ ଥାନା ଅନ୍ତର୍ଗତ ଖସାଗଡ଼ିଆ ଗ୍ରାମର ପଦ୍ମିନୀ ମହାରଣା, ଅଲେଖ ମହାରଣା ଓ ରାମଚନ୍ଦ୍ର ମହାରଣା। କୋରେଇ ଥାନା କେସ ନମ୍ବର ୨୦୯/୨୧ ତଥା ବିଭିନ୍ନ ଦଫାରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ପ୍ରକାଶ ଯେ, ଶିଶୁଆ ଗ୍ରାମର ଗନ୍ଧର୍ବ ମହାରଣା ଓ ତାଙ୍କର ଦୁଇ ଭାଇ କୈଳାସ ଏବଂ ଅଲେଖଙ୍କ ମଧ୍ୟରେ ୨୦ବର୍ଷ ହେଲା ଜମିଜମାକୁ ନେଇ ବିବାଦ ରହିଥିଲା। ୧୬ ତାରିଖ ଅପରାହ୍ଣରେ କୈଳାସ, ଅଲେଖ, ପଦ୍ମିନୀ, କୈଳାସଙ୍କ ଦୁଇପୁଅ ଓ ଅନ୍ୟ କେତେକ ସମ୍ପର୍କୀୟ ପହଞ୍ଚି ଗନ୍ଧର୍ବଙ୍କ ଘରକୁ ଭଙ୍ଗାରୁଜା କରିଥିଲେ। ଏହି ସମୟରେ ଅଭିଯୁକ୍ତମାନେ ଗନ୍ଧର୍ବଙ୍କ ପତ୍ନୀ ବାସନ୍ତୀଙ୍କୁ ଦଉଡ଼ିରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଅଭିଯୋଗ ପରେ ପୁଲିସ ୧୦ ଜଣଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା।

The post ଜମିବାଡ଼ି ପାଇଁ ବୃଦ୍ଧାଙ୍କୁ ବାନ୍ଧି ପିଟିବା ଘଟଣା: ୩ କୋର୍ଟ ଚାଲାଣ first appeared on Sambad.

from ଜିଲ୍ଲା | Sambad https://ift.tt/3hMARIg