
ବରଗଡ଼ : ଗତମାସ ୨୯ ତାରିଖ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ଅର୍ବାନ ସିଏଚ୍ସି ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ୨୩ଟି ପଦବି ସୃଷ୍ଟି ସକାଶେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛି। ଏଥିରେ ମେଡିକାଲ୍ ସୁପରିଟେଣ୍ଡେଣ୍ଟ, ଶିଶୁରୋଗ, ମେଡିିସିନ୍ ସ୍ପେସାଲିଷ୍ଟ, ଷ୍ଟାଫ୍ ନର୍ସ, ରେଡିଓଗ୍ରାଫର୍, ଡେଣ୍ଟାଲ ସର୍ଜନଙ୍କ ସମେତ କନିଷ୍ଠ କିରାଣି ଏବଂ ଅନ୍ୟ ପଦବି ରହିଛି। କେବେ ଉକ୍ତ ପଦବି ଗୁଡ଼ିକ ପୂରଣ ହେବ ଏବଂ ସ୍ବାସ୍ଥ୍ୟସେବା ବ୍ୟାପକ ହେବ, ତାହା ଅଲଗା କଥା। କିନ୍ତୁ ଏଠାରେ ରୋଗୀଙ୍କୁ ସାମାନ୍ୟତମ ଚିକିତ୍ସା ସୁବିଧା ଏଯାଏଁ ମିଳୁନଥିବା ଚିନ୍ତାର କାରଣ ପାଲଟିଛି।
ସାମାନ୍ୟ ଟିଟାନସ୍ ଇଞ୍ଜେକ୍ସନ୍ ନେବାକୁ ରୋଗୀଙ୍କୁ ୮ କିଲୋମିଟର୍ ଦୂର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ପଡ଼ୁଛି। ଆଶ୍ଚର୍ଯ୍ୟର କଥା ଅର୍ବାନ୍ ସିଏଚ୍ସିରେ କୁକୁର କାମୁଡ଼ା ଇଞ୍ଜେକ୍ସନ୍ ବି ମହଜୁଦ ନାହିଁ। କୌଣସି ବ୍ୟକ୍ତିଙ୍କୁ କୁକୁର କାମୁଡ଼ିଲେ କିମ୍ବା ସାମାନ୍ୟ ଖଣ୍ଡିଆ ହେଲେ ପ୍ରଥମିକ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ଟିଟାନସ୍ ନେବାକୁ ବି ୮ କିଲୋମିଟର୍ ବାଟ ଯିବାକୁ ପଡ଼ୁଛି। ସଦ୍ୟ ଭାବେ ଏଭଳି ଏକ ଘଟଣା ବି ନଜରକୁ ଆସିଛି। କାଳୀ ମନ୍ଦିର ଛକ ପାଖରେ ରହୁଥିବା ଅଶୋକ ପ୍ରଧାନ ନାମକ ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ଶନିବାର ସକାଳେ ଗୋଟିଏ କୁକୁର କାମୁଡ଼ି ଦେଇଥିଲା। ଶ୍ରୀ ପ୍ରଧାନ ପ୍ରାତଃଭ୍ରମଣରେ ଯାଇଥିବାବେଳେ ଥାନା ଛକ ପାଖରେ କୁକୁର କାମୁଡ଼ି ଥିଲା। ସେ କିଛି ସମୟ ପରେ ଟିଟାନସ୍ ନେବାକୁ ନିକଟସ୍ଥ ଅର୍ବାନ ସିଏଚ୍ସିକୁ ଯାଇଥିଲେ। କିନ୍ତୁ ସେଠାରେ ତାହା ଉପଲବ୍ଧ ନଥିଲା। ଏପରିକି କୁକୁର କାମୁଡ଼ା ଇଞ୍ଜେକ୍ସନ୍ ବି ମହଜୁଦ ନଥିଲା। ଫଳରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ପଡ଼ିଛି। ଯଦି ଜଣେ ରୋଗୀ ସାମାନ୍ୟ ଟିଟାନସ୍ ପାଇଁ ଏତେ ଦୂର ବାଟ ଯିବ, ତେବେ ଅନ୍ୟ ରୋଗୀ ସେବା କିଭଳି ଚାଲିଛି, ତାହା ସ୍ପଷ୍ଟ ଅନୁମେୟ।

ଅନ୍ୟପକ୍ଷରେ ପୁୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅସାମାଜିକ ବ୍ୟକ୍ତିଙ୍କ ଉତ୍ପାଦ ଦିନକୁ ଦିନ ବଢ଼ି ଚାଲିଛି। ଏଠାରେ ଭର୍ତି ହେଉଥିବା ରୋଗୀ କିମ୍ବା ପରିଜନ ସୁରକ୍ଷିତ ନୁହନ୍ତି। ରାତିରେ ଚୋରି ହେବା ନିୟମିତ ଘଟଣା ପାଲଟି ଯାଇଛି। ପର୍ସ, ମୋବାଇଲ୍ ଏବଂ ଅନ୍ୟ ଅସବାବପତ୍ର ଆଖି ପିଛୁଳାକେ ଏଠାରୁ ଚୋରି ହେଉଛି। ସୁରକ୍ଷାକର୍ମୀ ଚୋରକୁ ଧରିଲେ ପଲଟା ସେମାନଙ୍କୁ ମାଡ଼ ହେଉଛି। ଚୋର ଏବଂ ସେମାନଙ୍କ ସହଯୋଗୀ ସ୍ପଷ୍ଟ ଦିବାଲୋକରେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ତେଣୁ ନିରନ୍ତର ପୁଲିସ୍ ପଇଁତରା ବ୍ୟବସ୍ଥା ପାଇଁ ମଧ୍ୟ ସାଧାରଣରେ ଦାବି ହୋଇଛି।
The post ବରଗଡ଼: ଟିଟାନସ୍ ନେବାକୁ ୮ କିଲୋମିଟର ଯିବାକୁ ପଡ଼ୁଛି first appeared on Sambad.from ଜିଲ୍ଲା | Sambad https://ift.tt/2TDLfbX
0 Comments