ବାଲିକୁଦା : ଦର୍ପଣ ତହସିଲ ଅଶିଆ ପର୍ବତମାଳାର ଧାଉଡ଼ିଆପଦା ଠାରେ ପ୍ରଶାସନ ପକ୍ଷରୁ ବେଆଇନ ଖାଦାନ ପ୍ରବେଶ ପଥରେ ଟ୍ରେଞ୍ଜ ଖୋଳାଯାଇଛି। ଏଠାରୁ ବର୍ଷବର୍ଷ ଧରି କିଛି ମାଫିଆ ମେଟାଲ ଓ ମୋରମ ଆଦି ବେଆଇନ୍ ଭାବେ ଚୋରାଚାଲାଣ କରିଆସୁଥିଲେ। ପୂର୍ବରୁ କିଛି ଅସାଧୁ ସରକାରୀ କର୍ମଚାରୀଙ୍କ ସହାୟତାରେ ଚୋରା କାରବାର ଚାଲୁଥିବା ବେଳେ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ତହସିଲଦାର ପ୍ରଦୀପ୍ତ କୁମାର ସେଠୀ ଏହି କାରବାରକୁ ବନ୍ଦ କରିବା ପାଇଁ ଉଦ୍ୟମ କରୁଥିଲେ। ଏହି ଅଞ୍ଚଳରେ ୧୪୪ ଧାରା ଲଗାଇବା ସହ ଘନଘନ ଚଢ଼ଉ କରୁଥିଲେ। ତେବେ ବି ମାଫିଆମାନେ ଲୁଚିଛପି କାରବାର ଜାରି ରଖିଥିଲେ।

ଶନିବାର ଦିନ ଦର୍ପଣ ତହସିଲଦାର ଶ୍ରୀ ସେଠୀ, ବାଲିଚନ୍ଦ୍ରପୁର ଆରଆଇ, ବାଲିଚନ୍ଦ୍ରପୁର ପୁଲିସ ଓ ବନବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ଜେସିବି ମେସିନ୍‌ରେ ଟ୍ରେଞ୍ଚ ଖୋଳାଯାଇଥିଲା। କିଛିଦିନ ପୂର୍ବରୁ ଏହି କାରବାରକୁ ରୋକିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ପକ୍ଷରୁ ବାଲିଚନ୍ଦ୍ରପୁର ଥାନାରେ ମଧ୍ୟ ଏତଲା ଦିଆଯାଇଥିଲା। ପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରି ସଂଲଗ୍ନ ଏହି ପାହାଡ଼ ତାଡ଼ିନେବା ଦ୍ବାରା ଏହାର ସବୁଜିମା ନଷ୍ଟ ହୋଇଯାଉଛି। ବିଶ୍ବ ଐତିହ୍ୟରେ ସ୍ଥାନିତ ହେବାରେ ପ୍ରତିବନ୍ଧକ ସୃଷ୍ଟିକରୁଛି। ପାହାଡ଼ ତାଡ଼ିନେବା ଦ୍ବାରା ଉଦୟଗିରି ଚତୁଃପାର୍ଶ୍ଵରେ ନିର୍ମିତ ହୋଇଥିବା ପାଚେରି ମଧ୍ୟ ଅସୁରକ୍ଷିତ ହୋଇପଡ଼ିଛି।

The post ଚୋରାଚାଲାଣ ରୋକିବାକୁ ଖାଦାନ ରାସ୍ତାରେ ଟ୍ରେଞ୍ଚ ଖୋଳିଲେ ତହସିଲଦାର first appeared on Sambad.

from ଜିଲ୍ଲା | Sambad https://ift.tt/3evaxAq