ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକ୍‌ ବିଜେପୁର ମାଳିଯୁବାଙ୍ଗ ପଞ୍ଚାୟତବାସୀ ତହସିଲାଦାରଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହି ପଞ୍ଚାୟତବାସୀ କର୍କଚୁଆଁ ଓ ସିକପଦର ସଂରକ୍ଷିତ ଜଙ୍ଗଲରେ ପୁରୁଷାନୁକ୍ରମେ ରହି ଆସୁଥିଲେ। କିନ୍ତୁ ଏମାନଙ୍କ ଜମିକୁ କେତେକ ଲୋକେ ଜବରଦଖଲ କରିଥିବାରୁ ବିବାଦ ହୋଇଛି। ୨ ସପ୍ତାହ ତଳେ ମାଳିଯୁବାଙ୍ଗ, ବିଜେପୁର ତଥା ଲାଖବାହାଲି ପଞ୍ଚାୟତର କେତୋଟି ଗାଁର ଲୋକଙ୍କ ମଧ୍ୟରେ ବିବାଦ ହୋଇ ପୁଲିସ ପାଖରେ ମାମଲା ପହଞ୍ଚିଥିଲା। ପରେ ବିବାଦର ସମାଧାନ ପାଇଁ ତହସିଲଦାର ଓ ବିଜେପୁର ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି। ଶାନ୍ତିରକ୍ଷା ପାଇଁ ପୁଲିସ ପକ୍ଷରୁ ଉଭୟ ପକ୍ଷର ୮ ଜଣଙ୍କ ନାଁରେ ୧୦୭ ଦଫାରେ ମାମଲା ରୁଜୁ କରାଯାଇ ନୋଟିସ୍ ହୋଇଛି।

ବିଜେପୁର ଓ ମାଳିଯୁବାଙ୍ଗ ପଞ୍ଚାୟତର କନକସର୍ପା, ମାଳିଯୁବାଙ୍ଗ, କନ୍ଧଯୁବାଙ୍ଗ, ଖଜୁରଗୁଡ଼ା, କରନମୁଣ୍ଡା, ବେଙ୍ଗଭଟା, ପ୍ରଧାନୀପଡ଼ା, ସିନ୍ଧିଭଟା ଗାଁର ଶତାଧିକ ଲୋକେ ବିଶ୍ବନାଥପୁରସ୍ଥିତ କାର୍ଯ୍ୟାଳୟରେ ତହସିଲଦାର ମୁନୀନ୍ଦ୍ର ହୋନ୍ନାଗାଙ୍କୁ ସାକ୍ଷାତ କରି ସମ୍ପୃକ୍ତ ଜମିରେ ତାଙ୍କର ହକ୍‌ ଥିବା ଦାବି କରିଥିଲେ। ଏହା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ହୋଇଥିବାରୁ ବନ ବିଭାଗ ନିକଟରେ ଦାବି ଜଣାଇବାକୁ ତହସିଲଦାର ପରାମର୍ଶ ଦେଇଥିଲେ। ପରେ ଅଭିଯୋଗକାରୀ ବିଶ୍ବନାଥପୁର ବନାଞ୍ଚଳ ଅଧିକାରୀ ଲକ୍ଷ୍ୟ ମହାନନ୍ଦଙ୍କୁ ଭେଟି ନିଜର ଦାବି ଜଣାଇଥିଲେ। ଶ୍ରୀ ମହାନନ୍ଦ ରବିବାର ଘଟଣାସ୍ଥଳ ପରିଦର୍ଶନ କରିବେ ବୋଲି ଜଣାପଡ଼ିଛି।

The post ଜଙ୍ଗଲ ଜମି ମାଲିକାନା ବିବାଦ: ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ମାଳିଯୁବାଙ୍ଗ ଓ ବିଜେପୁର ପଞ୍ଚାୟତବାସୀ first appeared on Sambad.

from ଜିଲ୍ଲା | Sambad https://ift.tt/3eUZOzg