ବୌଦ୍ଧ : କରୋନାର ଦ୍ବିତୀୟ ଲହର ଶାନ୍ତ ପଡ଼ିବା ପରେ ସୋମବାର ସ୍କୁଲ ଖୋଲିଛି। ହାଇସ୍କୁଲର ଦଶମ ଶ୍ରେଣୀ ଓ ଉଚ୍ଚ ମାଧ୍ୟମିକ ସ୍କୁଲର ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀ ସ୍କୁଲ ଆସିଛନ୍ତି। ତେବେ କଟକଣା କଡ଼ାକଡ଼ି କରାଯାଇଛି। ଏହା ପୂର୍ବରୁ ଗତକାଲି ସ୍ଥାନୀୟ ପ୍ରଶାସନ, ଦମକଳ ବାହିନୀ ସହାୟତା ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ଉଦ୍ୟମରେ ଶ୍ରେଣୀଗୃହ ବିଶୋଧନ କରାଯାଇଥିଲା। ଛାତ୍ରଛାତ୍ରୀମାନେ ସ୍କୁଲକୁ ପଶିବା ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ସ୍କୁଲ ଗେଟ୍‌ରେ ଥର୍ମାଲ ସ୍କ୍ରିନିଂ କରାଯିବା ସହ ସାନିଟାଇଜରରେ ହାତ ବିଶୋଧନର ବ୍ୟବସ୍ଥା କରାଯାଇଛି। ସ୍କୁଲ ପରିସରରୁ ଶ୍ରେଣୀ ଗୃହରେ ‌ପ୍ରବେଶ କରିବା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ଅବଲମ୍ବନ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ଶ୍ରେଣୀ ଗୃହରେ ବ୍ୟବଧାନରେ ଛାତ୍ରଛାତୀଙ୍କୁ ବସିବାର ବ୍ୟବସ୍ଥା କରାଯାଇଛି।

ଦୀର୍ଘ ଦିନ ପରେ ସ୍କୁଲରେ ପାଦ ମାଡ଼ିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଦଶଟାରୁ ଦେଢ଼ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ପାଠପଢ଼ାରେ ଛାତ୍ରଛାତ୍ରୀଙ୍କୁ ୭ ଦିନର ପାଠ୍ୟ ସାରଣୀ ପ୍ରଦାନ କରାଯାଇଛି। ଜିଲ୍ଲାରେ ଥିବା ସମସ୍ତ ୪୦ଟି ସରକାରୀ ହାଇସ୍କୁଲ, ୨୯ଟି ବ୍ଲକ ଗ୍ରାଣ୍ଟ ସ୍କୁଲ, ଗୋଟିଏ ନ୍ୟୁଆଡେଡ୍‌ ହାଇସ୍କୁଲ, ୩ ଟି ଘରୋଇ ସ୍କୁଲ ଓ ୩ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆଜି ଖୋଲିଥିବା ଜଣାଯାଇଛି।

ଏସ୍‌.ରାମପୁର: ଡୁଙ୍ଗୁରିପାଲି ବ୍ଲକ୍‌ ରାମପୁର ହାଇସ୍କୁଲ, ନୋଡାଲ ହାଇସ୍କୁଲ, ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଏବଂ ଶ୍ରୀରାମ ମହାବିଦ୍ୟାଳରେ ସୋମାବାର ପାଠପଢ଼ା ଆରମ୍ଭ ହେଲା। କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲାଯାଇଛି। ‌ସୋମବାର ବହୁଦିନ ପରେ ସ୍କୁଲ ଖୋଲିଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ସବୁ ସ୍କୁଲରେ ଉତ୍ତମ ଉପସ୍ଥାନ ଥିଲା। ସାମାଜିକ ଦୂରତା ରକ୍ଷା କରି ପାଠପଢ଼ା ଆରମ୍ଭ ‌ହୋଇଥିଲା।

The post ବୌଦ୍ଧ: ଆରମ୍ଭ ହେଲା ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା first appeared on Sambad.

from ଜିଲ୍ଲା | Sambad https://ift.tt/3eZPINI