
ଅତାବିରା : ଅବଧି ସରିଯାଇଥିବା କିମ୍ବା ଟୋକନ ଆସି ନଥିବା ଚାଷୀଙ୍କୁ ପୁନଃ ଟୋକନ ଜାରି କରି ଧାନ କିଣିବା ଦାବି ନେଇ ଓଡ଼ିଶା ରାଜ୍ୟ କୃଷକ ସଂଗଠନର ବ୍ଲକ୍ ଶାଖା ପକ୍ଷରୁ ବୁଧବାରରୁ ଚାଲିଥିବା ଚାଷୀ ଆନ୍ଦୋଳନ ଗୁରୁବାର ଦ୍ବିତୀୟ ଦିନରେ ପହଂଚିଛି। ଗତକାଲି ବରଗନ ଜିଲ୍ଲାର ଅତାବିରା ତହସିଲ, ବ୍ଲକ୍ ଅଫିସ, ବ୍ଲକ୍ କୃଷି କାର୍ଯ୍ୟାଳୟ, ଏନ୍ଏସି, ସ୍ଥାନୀୟ ଆର୍ଆଇ ଅଫିସରେ ଚାଷୀମାନେ ଧାନ ଗଦାକରି ପ୍ରତିବାଦ ଜଣାଇଥିଲେ। ଚାଷୀଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସମସ୍ତ ଅଫିସରେ ତାଲା ପକାଇ ସରକାରୀ କଳକୁ ସଂପୂର୍ଣ୍ଣ ଅଚଳ କରାଯିବ ବୋଲି ଚାଷୀନେତାମାନେ ଚେତାବନୀ ଦେଇଥିଲେ। ଆନ୍ଦୋଳନର ଦ୍ବିତୀୟ ଦିନରେ ସ୍ଥାନୀୟ ବ୍ଲକ୍ ଅଫିସ ସମ୍ମୁଖରେ ବହୁ ଚାଷୀ, କୃଷକ ସଂଗଠନର ସଭ୍ୟମାନେ ଧାରଣା ଚଳାଇଛନ୍ତି।
ଗୁରୁବାର ଅପରାହ୍ଣରେ ସାଢ଼େ ୩ଟାରେ ଉପଜିଲ୍ଲାପାଳ ଶୁଭେନ୍ଦୁ ସାମଲ, ଏଏସ୍ପି ପ୍ରଦ୍ୟୁମ୍ନ ମିଶ୍ର, ଏସ୍ଡିପିଓ ଦୀପକ ଗୋଚ୍ଛାୟତ, ଥାନାଧିକାରୀ ଦିଲୀପ ବେହେରା, ବିଡିଓ ବିଶ୍ବନାଥ ସାହୁ, ତହସିଲଦାର ଦୁର୍ଯୋଧନ ଭୋଇ, ଏସିଏସ୍ଓ ସଂଜୁ ପ୍ରଧାନ, ବ୍ଲକ୍ ଯୋଗାଣ ନିରୀକ୍ଷକ ବିଶ୍ବରଂଜନ ସାହୁ, ସହକାରୀ ସମବାୟ ଅଧିକାରୀ ସରୋଜ ମେହେର ଧାରଣାରତ ଚାଷୀ ନେତାଙ୍କ ସହ ଆଲୋଚନା କରିଥିଲେ। ଟୋକନ ସମସ୍ୟାର ସମାଧାନ ସ୍ଥାନୀୟ ପ୍ରଶାସନ ପାଖରେ ନାହିଁ, ସରକାର ଏ ନେଇ ତୁରନ୍ତ ପଦକ୍ଷେପ ନେଉଛନ୍ତି। ସରକାରଙ୍କ ପକ୍ଷରୁ କିଛି ପଦକ୍ଷେପ ନ ଆସିବା ପର୍ଯ୍ୟନ୍ତ ଚାଷୀମାନେ ଆନ୍ଦୋଳନରୁ ଓହରି ଅଫିସଗୁଡ଼ିକ ସ୍ବାଭାବିକ ଭାବରେ ଚଳାଇବାକୁ ଅଧିକାରୀଗଣ ନିବେଦନ କରିଥିଲେ।
ବହୁ ପଂଜୀକୃତ ଚାଷୀଙ୍କ ଟୋକନ ଆସି ନାହିଁ, ବର୍ଷା ଯୋଗୁଁ ଧାନ ଅମଳ କରିବାରେ ବିଳମ୍ବ ହେବାରୁ ଟୋକନ ଗୁଡ଼ିକ ଲାପ୍ସ ହୋଇଗଲା । ଟୋକନ ପୁଣି ଆସିବ ବୋଲି କହିଲେ, ହେଲେ ଆସିଲା ନାହିଁ। ଏଣୁ ପଂଜୀକୃତ ଚାଷୀଙ୍କ ଆସି ନଥିବା ଟୋକନ, ଲାପ୍ସ ହୋଇଥିବା ଟୋକନ ପୁଣି ପ୍ରଚଳନ କରି ଧାନ ନ କିଣିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀନେତାମାନେ ରୋକଠୋକ୍ ଶୁଣାଇ ଦେଇଥିଲେ। ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲେ ହେଁ କୌଣସି ସମାଧାନ ସୂତ୍ର ନ ବାହାରି ନଥିଲା। ଶେଷରେ ଆସିଥିବା ଅଧିକାରୀଗଣ ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ପୁଣି ପରବର୍ତ୍ତୀ ସୂଚନା ଦିଆଯିବ ବୋଲି କହି ସେଠାରୁ ଚାଲିଯାଇଥିଲେ। ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ନିହାର ରଂଜନ ମହାନନ୍ଦ, ବିଜେପି ନେତା ମିଳନ ସେଠ, ବଣିକ ସଂଘ, ଜନକଲ୍ୟାଣ କୁଲତା ସମାଜ, ଓକିଲ ସଂଘ ସଭାପତି ଉନ୍ନି ନାୟାର, ବରିଷ୍ଠ ଆଇନଜୀବୀ ବୀରେନ୍ଦ୍ର ବାଂକାଙ୍କ ସମେତ ବହୁ ଆଇନଜୀବୀ ଏବଂ ଅତାବିରା ଶାଖା କୃଷକ ସଂଗଠନର ସଭାପତି ବୀରେନ୍ଦ୍ର କର, ସୁବାସ ବିଶ୍ବାଳ, କସ୍ତୁଭ ପ୍ରଧାନ, ଟିକେଲାଲ ମିଶ୍ର, ସୁରେନ୍ଦ୍ର ସ୍ବାଇଁ ପ୍ରମୁଖ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନାରେ ଭାଗ ନେଇଥିଲେ।
The post ଅତାବିରାରେ ଚାଷୀ ଆନ୍ଦୋଳନ ଜାରି first appeared on Sambad.from ଜିଲ୍ଲା | Sambad https://ift.tt/3jvv6Qx
0 Comments