ରାଉରକେଲା : ଜିଲ୍ଲାରେ ଥମୁନି ଯୋଗାଣ ବିଭାଗର କେଳେଙ୍କାରୀ। କେତେବେଳେ ଗୋଦାମରୁ ଚାଉଳ ଓ ଗହମ ଯୋଗାଣ ତ ଅନ୍ୟ କେତେବେଳେ ବଣ୍ଟନର ବ୍ୟାପକ ‌ହେର୍‌ଫେରକୁ ନେଇ ଆସୁଛି ଗଣ୍ଡା ଗଣ୍ଡା ଅଭିଯୋଗ ଆସୁଛି। କାଁ ଭାଁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେଉଛି। ତଥାପି ସଜାଗ ହେଉନାହାନ୍ତି ବିଭାଗୀୟ ଅଧିକାରୀ। ସେମିତି ଦୁଇଟି ସାଂଘାତିକ ଅଭିଯୋଗ ଆସିଛି ରାଉରକେଲା ଛେଣ୍ଡ କଲୋନି ଓ ସେକ୍ଟର-୨୦ ମିଶ୍ରା ଖଟାଲରେ।

ହିତାଧିକାରୀଙ୍କ ଖାଉଟି ସାମଗ୍ରୀ ବଣ୍ଟନ ହେରଫେର ମାମଲାରେ ଛେଣ୍ଡ ଜଗତଜନନୀ ମାର୍କେଟର କଣ୍ଟ୍ରୋଲ ଦୋକାନୀଙ୍କୁ ସହକାରୀ ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ ନିଲମ୍ବନ କରିଥିଲେ। ଜ‌ୈନିକ କଣ୍ଟ୍ରୋଲଦୋକାନୀ ଯୋଗାଣ ବିଭାଗର କିଛି କରିତକର୍ମା ଅଧିକାରୀଙ୍କ ସହ ଭିତିରି ସଲାସୁତୁରା ପୁଣି ସେହିସବୁ କାର୍ଡକୁ ହାସଲ କରିଛନ୍ତି। ଯେଉଁସବୁ କାର୍ଡ ତାଙ୍କୁ ମିଳିଥିଲା ସେହି କାର୍ଡଧାରୀଙ୍କୁ ଛେଣ୍ଡ ଭିଏସ୍‌ଏସ୍‌ ମାର୍କେଟର ସମ୍ପର୍କୀୟ କଣ୍ଟ୍ରୋଲ ଦୋକାନୀଙ୍କ ସହାୟତାରେ ଖାଉଟି ସାମଗ୍ରୀ ବଣ୍ଟନ କରୁଛନ୍ତି। ଯୋଗାଣ ବିଭାଗର ଏଭଳି ବିଚିତ୍ର ନିୟମକୁ ନେଇ ପ୍ରଶ୍ନ ଉଠାଇଛନ୍ତି କାର୍ଡଧାରୀ ରଶ୍ମିତା ନାୟକ, ସାବିତ୍ରୀ ମିଶ୍ର, ମମତା ମଲ୍ଲିକ, ସ୍ବର୍ଣ୍ଣଲତା ନାୟକ ଓ ଏ.ପି. ରାଉତ। ହିତାଧିକାରୀଙ୍କ ସୁବିଧା ଦୃଷ୍ଟିରୁ ନିଲମ୍ବିତ କଣ୍ଟ୍ରୋଲ ଦୋକାନୀଙ୍କ କାର୍ଡକୁ ନିକଟରେ ଅନ୍ୟ କଣ୍ଟ୍ରୋଲ ଦୋକାନୀଙ୍କୁ ଟ୍ୟାଗ୍‌ କରିବାର ନିୟମ ରହିଛି। କିନ୍ତୁ ଜଗତଜନନୀ ମାର୍କେଟର ନିଲମ୍ବିତ କଣ୍ଟ୍ରୋଲ ଦୋକାନୀଙ୍କ କ୍ଷେତ୍ରରେ ଏହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି। ପରୋକ୍ଷରେ ସେହିସବୁ କାର୍ଡକୁ ନିଜ ପାଖରେ ରଖିବାକୁ ଯୋଗାଣବିଭାଗ ଅଧିକାରୀଙ୍କ ସହ ସଲାସୁତୁରା କରି ସମ୍ପର୍କୀୟ କଣ୍ଟ୍ରୋଲ ଦୋକାନୀଙ୍କ ସହ ଟ୍ୟାଗ୍‌ କରି ଦେଇଛନ୍ତି। ସେଇଠି ବସି ପୂର୍ବପରି ଚାଉଳ, ଗହମ କାର୍ଡଧାରୀଙ୍କୁ ବାଣ୍ଟୁଛନ୍ତି।

ନିଲମ୍ବିତ କଣ୍ଟ୍ରୋଲ ଦୋକାନୀଙ୍କ ପାଖରେ ପ୍ରାୟ ୩୦୦ରୁ ଅଧିକ କାର୍ଡ ରହିଛି। କାହା ସ୍ବାର୍ଥରେ ଏମିତି କରାଯାଇଛି ? ନିଲମ୍ବିତ କଣ୍ଟ୍ରୋଲ ଦୋକାନୀଙ୍କ କାର୍ଡ ତାଙ୍କ ସମ୍ପର୍କୀୟ ପାଖକୁ କେମିତି ଗଲା ? ଏସବୁର ବିଧିବଦ୍ଧ ତଦନ୍ତ ହେବାର ଆବଶ୍ୟକତା ରହିଛି। ଗତ ମେ ମାସରେ ଭିଡ ଏଡାଇବା ଆଳ ଦେଖାଇ ସ୍ଥାନୀୟ ଅଞ୍ଚଳର କିଛି ହିତାଧିକାରୀଙ୍କୁ ଚାଉଳ, ଗହମ ନଦେଇ ବାୟୋମେଟ୍ରିକ୍‌ ମେସିନ୍‌ର ଟିପ ଚିହ୍ନ ନେଇ ଯାଇଥିଲେ। ଗୋଟିଏ ଲେଖାଏଁ ଟୋକନ ଧରାଇ ଦେଇ ଚାରି ଦିନ ପରେ ଆସିବାକୁ କହିଥିଲେ। ପ୍ରତିବାଦରେ କିଛି ହିତାଧିକାରୀ ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ଘଟଣାର ତଦନ୍ତ କରିବାକୁ ଯୋଗାଣ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅଧିକାରୀ ପହଞ୍ଚି କାଗଜପତ୍ର ଯାଞ୍ଚ କରିଥିଲେ। ଯାଞ୍ଚରୁ କାଗଜପତ୍ରରେ ଚାଉଳ, ଗହମ ବଣ୍ଟନ କରାଯାଇଥିବା ଦର୍ଶାଯାଇଥିଲା। ମାତ୍ର ଗୋଦାମରେ ସେସବୁ ଚାଉଳ ଓ ଗହମ ମଜହୁଦ ଥିବା ଜଣାପଡିବା ପରେ ସହକାରୀ ଯୋଗାଣଅଧିକାରୀ ନିଲମ୍ବିତ କରିଥିଲେ।

ସେମିତି ସେକ୍ଟର-୨୦ ମିଶ୍ରା ଖଟାଲର ଏକ ସ୍ବୟଂ ସହାୟକ ଗୋଷ୍ଠୀର ମିଳିଥିବା କଣ୍ଟ୍ରୋଲ ଦୋକାନ ଗୋଟିଏ ନାଁରେ। ଦୋକାନରେ ବ୍ୟବହାର ହେଉଥିବା ଓଜନ ସାମଗ୍ରୀ ଅନ୍ୟ ନାଁରେ। ପିଡିଏସ୍‌ ସାମଗ୍ରୀ ନେବାକୁ ଆସୁଥିବା ଅନେକ ହିତାଧିକାରୀ କାହିଁକି ଏମିତି କରୁଛି ବୋଲି ବଣ୍ଟନ ଦାୟିତ୍ବରେ ଥିବା ମହିଳାଙ୍କୁ ପ୍ରଶ୍ନ କରିଥିଲେ। ମହିଳାମାନେ କିଛି ସନ୍ତୋଷଜନକ ଉତ୍ତର ନ ଦେଇ ହିତାଧିକାରୀଙ୍କୁ ଓଲଟା ଗାଳି ଗୁଲଜ କରିଥିଲେ। କଥା ଯାଇ ଯୋଗାଣ ବିଭାଗର ବିଭାଗୀୟ ଅଧିକାରୀଙ୍କ ପାଖରେ ପହଞ୍ଚିଛି। କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ୍‌। ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ସହରର ୧୬୮ କଣ୍ଟ୍ରୋଲ ଦୋକାନୀଙ୍କ ମଧ୍ୟରୁ କିଛି କଣ୍ଟ୍ରୋଲ ଦୋକାନୀ ଏମିତି ବେଆଇନ କାମ କରୁଛନ୍ତି। ଯୋଗାଣ ଅଧିକାରୀ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଓଲଟା ସେମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି। ଏ ଅଭିଯୋଗ ସଂକ୍ରାନ୍ତରେ ସହକାରୀ ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍‌ ଉଠାଇ ନଥିଲେ। ଏଥିରୁ ‌ସହରରେ ଯୋଗାଣ ବିଭାଗ କେମିତି ଚାଲୁଛି ସ୍ପଷ୍ଟ ବାରି ହୋଇପଡୁଛି।

The post ଯୋଗାଣ ବିଭାଗ ‌କେଳେଙ୍କାରୀ: ନିଲମ୍ବିତ କଣ୍ଟ୍ରୋଲ ଦୋକାନୀ ବାଣ୍ଟୁଛନ୍ତି ପିଡ଼ିଏସ୍‌ ସାମଗ୍ରୀ first appeared on Sambad.

from ଜିଲ୍ଲା | Sambad https://ift.tt/3hct0Ud