
ଚଣ୍ଡିଖୋଲ/ବଡ଼ଚଣା : ଦର୍ପଣଗଡ଼ ଗ୍ରାମଦେବୀ ମା’ କୋଟ୍ରାକ୍ଷୀ ମୂର୍ତ୍ତି ଚୋରି ହେବାର ୬ ମାସ ବିତିଗଲାଣି। ମାତ୍ର ଏହି ଚୋରି ଘଟଣା ଉପରୁ ରହସ୍ୟ ହଟାଇ ପାରିନାହିଁ ପୁଲିସ। ବଡ଼ଚଣା ଥାନା ଧାନମଣ୍ଡଳ ଫାଣ୍ଡି ଦର୍ପଣଗଡ଼ ଗ୍ରାମରେ କାହିଁ କେଉଁ କାଳରୁ ଗ୍ରାମଦେବତୀ ଭାବେ ମା’ କୋଟ୍ରାକ୍ଷୀ ପୂଜା ପାଇ ଆସୁଥିଲେ। ଅଷ୍ଟଧାତୁରେ ନିର୍ମିତ ମା’ଙ୍କର ଏହି ମୂର୍ତ୍ତିର ଓଜନ ୫୦ କିଲୋଗ୍ରାମ ହେବ। ଏହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଗ୍ରାମବାସୀ ସୂଚନା ଦେଇଥିଲେ। ଗତ ଜାନୁଆରି ୧୧ ତାରିଖ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ମା’ ଙ୍କର ଏହି ମୂଲ୍ୟବାନ ମୂର୍ତ୍ତିକୁ ଚୋରି କରି ନେଇଥିଲା। ଏହି ଘଟଣା ଗ୍ରାମବାସୀଙ୍କ ଭାବାବେଗକୁ ଆଘାତ ଦେଇଥିଲା।
ଯଦିଓ ପୁଲିସ ପକ୍ଷରୁ ସେତେବେଳେ କିଛି ଦିନ ଧରି ତତ୍ପରତା ପ୍ରକାଶ ପାଇଥିଲା, କିନ୍ତୁ ଦୁର୍ବୃତ୍ତଙ୍କ ପାଖରେ ପହଞ୍ଚିବାରେ ବିଫଳ ହୋଇଥିଲା। ଯାଜପୁର ଏସ୍ପି ଦୁଇଥର ଦର୍ପଣଗଡ଼ ଗ୍ରାମ ପରିଦର୍ଶନରେ ଆସି ଚୋରି ସମ୍ପର୍କରେ ପଚରାଉଚରା କରିଥିଲେ। ଖୁବ୍ଶୀଘ୍ର ଦୁର୍ବୃତ୍ତମାନଙ୍କୁ ଧରାଯିବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହା ଭିତରେ ୬ ମାସ ବିତିଯାଇଛି। ଧୀରେଧୀରେ ଏ ପ୍ରସଙ୍ଗ ଥଣ୍ଡା ପଡ଼ିଗଲାଣି। ପୁଲିସ ତଦନ୍ତ ମଧ୍ୟ ଶିଥିଳ ପଡ଼ିଯାଇଥିବା ପରି ଲାଗୁଛି। ଗ୍ରାମବାସୀ କିନ୍ତୁ ଦେବୀ ମୂର୍ତ୍ତି ଚୋରି ହେବା ଘଟଣାକୁ ଭୁଲି ପାରୁନାହାନ୍ତି। ଏହି ମାମଲାର ଉପଯୁକ୍ତ ତଦନ୍ତ କରାଯାଇ ଅଷ୍ଟଧାତୁ ମୂର୍ତ୍ତି ଉଦ୍ଧାର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
The post ୬ ମାସ ବିତିଲା, ମା’ କୋଟ୍ରାକ୍ଷୀ ମୂର୍ତ୍ତି ଚୋରି ରହସ୍ୟ ଫିଟିଲାନି first appeared on Sambad.from ଜିଲ୍ଲା | Sambad https://ift.tt/3i0lJpt
0 Comments