ରାଉରକେଲା : ଗରିବ ଲୋକଙ୍କ ବିକାଶ ପାଇଁ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁ ଅନେକ ଯୋଜନା ଗରିବଙ୍କ ପାଖରେ ପହଞ୍ଚୁନି। ସରକାରୀ ସୁବିଧା ସୁଯୋଗ ବଞ୍ଚିତ ବୁଧୁ ମୁଣ୍ଡା (୬୦) ବର୍ଷ ବର୍ଷ ଧରି ଦୟନୀୟ ଜୀବନ ବିତାଉଛନ୍ତି। ନା’ ଅଛି ଘର, ନା ମିଳିଛି ବାର୍ଦ୍ଧକ୍ୟ ଭତ୍ତା। ବନ୍ଧୁ ପରିଜନ, ସମ୍ପର୍କୀୟ ସମସ୍ତେ ଭୁଲି ଯାଇଛନ୍ତି। ତାଙ୍କ ଏବେ ଠିକଣା ପାଲଟିଛି ଓଡ଼ିଶା-ଝାଡ଼କଣ୍ଡ ସୀମାନ୍ତ ମହିପାଣି ରେଳଫାଟକ୍‌ ସିଗ୍‌ନାଲ୍‌ ଅଫିସ୍ ବାରଣ୍ଡା। ଯେଉଁଠି ଖରା, ବର୍ଷା ଓ ଶୀତରେ ରାତି କାଟୁଛନ୍ତି। ଭିକ ମାଗି ପେଟ ପୋଷୁଛନ୍ତି। ନ ମିଳିଲେ କୋଭିଲା ପେଟରେ ଶୋଇ ପଡୁଛନ୍ତି। ଯଦି ଏଭଳି ସମୟରେ ସରକାରଙ୍କ ସରକାର ସାହାଯ୍ୟ ଓ ସହଯୋଗ ମିଳିପାରନ୍ତା ବୁଧୁଙ୍କ ଶେଷ ଜୀବନ ଖୁସିରେ ବିତିଯାଆନ୍ତା।

ବୁଧୁଙ୍କ ଘର ବିଶ୍ରା ଭାଲୁଲତା ପଞ୍ଚାୟତ ଅନ୍ତର୍ଗତ ମହିପାଣି ଗାଁରେ। ଯେତେବେଳେ ବୁଧୁର ଯୌବନ ଅବସ୍ଥା ଥିଲା ଦିନ ମଜୁରିଆ ଭାବେ କାମ କରି ପେଟ ପୋଷୁଥିଲେ। ବିବାହ କରି ନଥିବାରୁ ଯାହା କିଛି ରୋଜଗାର କରୁଥିଲେ ବନ୍ଧୁ ଓ ସମ୍ପର୍କୀୟ ଲୋକଙ୍କୁ ଦେଉଥିଲେ। କରୋନା ପୂର୍ବରୁ ବାହାର ରାଜ୍ୟରେ କାମ କରି ବେଶ୍‌ ଖୁସିରେ ଥିଲେ। କରୋନାର ପ୍ରଥମ ଲହର ତାଙ୍କ ରୋଜଗାର ଛଡାଇ ନେଇଥି‌ଲା। କାମ କରୁଥିବା ସଂସ୍ଥାର ମାଲିକ ତାଙ୍କୁ ବାହାର କରି ଦେଇଥିଲେ। ଫେରିଆସିଲେ ଗାଁକୁ। ବାର୍ଦ୍ଧକ୍ୟ ଛୁଇଁଲା ପରେ ସମସ୍ତେ ଦୂରେଇଗଲେ। ଛାଟିମାଟି ଘର ମାଟିରେ ମିଶିଯାଇଥିବାରୁ ପେଟ ପୋଷିବାକୁ ବାଛି ନେଇଥିଲେ ମହିପାଣି ରେଳଫାଟକକୁ। ଯେଉଁଠି ପ୍ରାୟ ବର୍ଷରୁ ଅଧିକ ସମୟ ଧରି ଜୀବନ କାଟୁଛନ୍ତି।

ସବୁଠୁ ଆଶ୍ଚର୍ଯ୍ୟ କଥା ବୁଧୁଙ୍କ ପାଖରେ ନାହିଁ ରାସନ କାର୍ଡ। କେବଳ ରାସନ କାର୍ଡ ନୁହେଁ ଅନ୍ୟାନ୍ୟ ସରକାରୀ ଯୋଜନା ମଧ୍ୟ ତାଙ୍କ ପାଖରେ ପହଞ୍ଚିନି। ବୁଧୁ କହିଛନ୍ତି, ସରକାରଙ୍କ କେତେ କ’ଣ ଯୋଜନା ରହିଛି। ସବୁ ମୋ ପାଇଁ ସାତ ସପନ ହୋଇଛି। ଏଭଳି ଜଟିଳ ସମୟରେ ସରକାର ମୋର ଦୁଃଖ ଶୁଣିଲେ, ଶେଷ ନିଶ୍ବାସ ପର୍ଯ୍ୟନ୍ତ ଟିକେ ଖୁସିରେ ରହି ପାରନ୍ତି ବୋଲି କହିଛନ୍ତି ସେ।

The post ସାତସପନ ସରକାରୀ ଯୋଜନା: ରେଳଫାଟକ ଅଫିସ୍‌ ବାରଣ୍ଡାରେ ବିତୁଛି ବୁଧୁଙ୍କ ଜୀବନ first appeared on Sambad.

from ଜିଲ୍ଲା | Sambad https://ift.tt/3dHFvFc