
କଟକ: ରାଜ୍ୟର ସର୍ବପୁରାତନ ମହିଳା ମହାବିଦ୍ୟାଳୟ କଟକର ଶୈଳବାଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ନ କରି ଭୁବନେଶ୍ବରର ରମାଦେବୀ ମହିଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କରାଯିବା ଘଟଣାକୁ ନେଇ କଟକରେ ପୂର୍ବରୁ ଅସନ୍ତୋଷ ତୀବ୍ର ହୋଇଥିଲା। ଏ ପରିପ୍ରେକ୍ଷୀରେ ଆଜି ରାଜ୍ୟସଭା ସାଂସଦ ସୁବାସ ସିଂହ ଶୈଳବାଳା ମହାବିଦ୍ୟାଳୟକୁ ହେରିଟେଜ୍ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଁ ଦାବି ରଖିଛନ୍ତି। ଶ୍ରୀ ସିଂହ କହିଛନ୍ତି ଯେ ୟୁଜିସି ନିୟମାବଳୀ ଅନୁଯାୟୀ ୧୦୦ବର୍ଷର ପୁରୁଣା ଅନୁଷ୍ଠାନକୁ ହେରିଟେଜ ବିଶ୍ଵବିଦ୍ୟାଳୟ ମାନ୍ୟତା ଦେବା ବ୍ୟବସ୍ଥା ରହିଛି। ଏହି ମହାବିଦ୍ୟାଳୟର ୨ୟ କ୍ୟାମ୍ପସ ପାଇଁ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିବା ସହିତ ଏହାର ଜାଗା ପ୍ରଦାନ କରିବା ପାଇଁ ଦାବି ଉପସ୍ଥାପନ କରାଯାଇଛି। ଏହା ସହିତ ବିଭିନ୍ନ ବିଭାଗରେ ଖାଲିପଡ଼ିଥିବା ୪୮ପଦବିକୁ ପୂରଣ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗର ସଚିବଙ୍କ ସହିତ ଖୁବଶୀଘ୍ର ଆଲୋଚନା କରିବେ ବୋଲି ଶ୍ରୀ ସିଂହ କହିଛନ୍ତି। ସାଂସଦ ସୁବାସ ସିଂହ ଏହି ଅନୁଷ୍ଠାନକୁ ପରିଦର୍ଶନ କରିବା ସହିତ ଅନୁଷ୍ଠାନର ସାମଗ୍ରିକ ବିକାଶ ସମ୍ପର୍କରେ ସମୀକ୍ଷା କରିଥିଲେ। ନିର୍ମାଣାଧୀନ ୪୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ, ବିଜ୍ଞାନାଗାର, ୫ ମହଲା କ୍ଲାସରୁମ ଇତ୍ୟାଦି ବୁଲି ଦେଖିବା ସହିତ ଏହାକୁ ତୁରନ୍ତ ଶେଷ କରିବାକୁ ପରାମର୍ଶ ଦେଇଥିଲେ।
ଏହି ସମୀକ୍ଷା ବୈଠକରେ ଅଧ୍ୟକ୍ଷ ପ୍ରଫେସର ସୁରେଖା ସୁନ୍ଦରୀ ସ୍ୱାଇଁ, ସିଏମସି ଡେପୁଟି କମିଶନର ଅଜୟ କୁମାର ମହାନ୍ତି, ଚାରୁବାଲା ପାଣି, ଡକ୍ଟର ଯୋଗମାୟା ପଣ୍ଡା, ସିପ୍ରା ରାୟ, ଜାମିନୀ ରଞ୍ଜନ ମହାନ୍ତି, ବିକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ ୧୯୧୩ ମସିହାରେ ପ୍ରତିଷ୍ଠିତ ଏହି କଲେଜରେ ୩୩୦୦ ଛାତ୍ରୀ ପଢୁଥିବା ବେଳେ ୧୨ ଟି ବିଷୟରେ ପି.ଜି , ୬ ଟି ବିଷୟରେ ଏମ.ଫିଲ ଶିକ୍ଷାଦାନ ବ୍ୟବସ୍ଥା ରହିଛି। ଜାତୀୟ ବନମହୋତ୍ସବ ସପ୍ତାହ ପରିପ୍ରେକ୍ଷୀରେ ସାଂସଦ ଶ୍ରୀ ସିଂହ କଲେଜ ପରିସରରେ ବୃକ୍ଷରୋପଣ କରିଥିବା ବେଳେ ଅଧକ୍ଷ ପ୍ରଫେସର ସୁରେଖା ସୁନ୍ଦରୀ ସ୍ୱାଇଁଙ୍କ ସମେତ ଆଇନଜୀବୀ ଶଶିଭୂଷଣ ଦାସ, ପୂର୍ବତନ କର୍ପୋରେଟର ବିକାଶ ବେହେରା, ରମଜାନ ଖାଁ, ଉଷାରାଣୀ ସାହୁ, ଇତିଶ୍ରୀ ଦାସ, ଯୁବନେତା ଜଗନ୍ନାଥ ସ୍ୱାଇଁ, ପ୍ରଦୀପ ବାରିକ ପ୍ରମୁଖ ସେଠାରେ ବୃକ୍ଷରୋପଣ କରିଥିଲେ। ଏହି ମହାବିଦ୍ୟାଳୟ କ୍ୟାମ୍ପସକୁ ସବୁଜ ବନାନୀରେ ପରିଣତ କରିବା ପାଇଁ ସାଂସଦ ଶ୍ରୀ ସିଂହ ଡେପୁଟି କମିସନରଙ୍କ ସହିତ ଆଲୋଚନା କରିଥିଲେ।
The post ଶୈଳବାଳା ମହାବିଦ୍ୟାଳୟକୁ ହେରିଟେଜ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି କଲେ ସାଂସଦ ସୁବାସ ସିଂହ first appeared on Sambad.from ଜିଲ୍ଲା | Sambad https://ift.tt/3hH72aN
0 Comments