ପାଟଣାଗଡ଼ : ଖପ୍ରାଖୋଲ ବ୍ଲକ୍‌ ପଡ଼ିଆବାହାଲ ପଞ୍ଚାୟତ ଦେଦର୍ହ ଗ୍ରାମର ‌ଅ‌ନେକ ଚାଷୀଙ୍କ ଜମିରେ କେହି ଅଜଣା ବ୍ୟକ୍ତି କୃଷିବୀମା କରାଇ ନେଇଥିବା ଜଣାପଡ଼ିଛି। ଏନେଇ ସଂପୃକ୍ତ ଚାଷୀମାନେ ଗୁରୁବାର ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି।

ସେମାନଙ୍କ ଅଭି‌ଯୋଗ ଅନୁସାରେ, ଦେଦର୍ହ ଗାଁର ଚାଷୀ ଦେବରାଜ ପଧାନ ତାଙ୍କ ଜମିର କୃଷିବୀମା କରାଇବାକୁ ଗ୍ରାହକ ସେବା କେନ୍ଦ୍ରକୁ ଯାଇଥିଲେ। ହେଲେ ତାଙ୍କ ଜମିର କୃଷିବୀମା ଅନ୍ୟ କେହିଜଣେ କରାଇ ନେଇଥିବା ସେ ଜାଣିବାକୁ ପାଇଥିଲେ। ସେହିପରି ଗାଁର ଆଉ କିଛି ଚାଷୀ ବୀମା କରାଇବା ପାଇଁ ଯାଇ ସେଠାରେ ତାଙ୍କ ଜମିକୁ ପୂର୍ବରୁ କେହି ଜଣେ ବୀମା କରାଇଥିବା ଜାଣିବାକୁ ପାଇଥିଲେ। ଗୁରୁବାର ସେମାନେ ପ୍ରଥମେ ଖପ୍ରାଖୋଲ ବିଡିଓ, ତହସିଲଦାର, କୃଷି ବିଭାଗ ଅଧିକାରୀ ଏବଂ ଥାନାରେ ଅଭିଯୋଗ କରିବା ପ‌ରେ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ। ସହକାରୀ ଜିଲ୍ଲାପାଳ କ୍ଷୀରୋଦ୍ର ସାହୁ ଦାବିପତ୍ର ଗ୍ରହଣ କରିଥିଲେ। ପଞ୍ଚାୟତର ପଡ଼ିଆବାହାଲ, ସାନଉଡେନ, ଦେଦର୍ହ, ପାଚେର, କନଗାଁ, ପତରାପାଲି, ସାଲେପାଲି ଆଦି ଗ୍ରାମର ବହୁ ଚାଷୀଙ୍କ କୃଷିବୀମା ଏପରି ଭାବେ ଚଞ୍ଚକତା ହୋଇଥିବା ଅଭିଯୋଗ ହୋଇଛି। ତେଣୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଚାଷୀମାନେ ଦାବି କରିଛନ୍ତି।

ଏ ସମ୍ପର୍କରେ ଉପଜିଲ୍ଲାପାଳ ଦାୟିତ୍ବରେ ଥିବା ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡାଙ୍କୁ ପଚାରିବାରୁ ସେ ଏହାକୁ ନେଇ ସମ୍ପୃକ୍ତ ବୀମା କମ୍ପାନିକୁ ଅବଗତ କରାଯିବା ସହ ଘଟଣା ଉପରେ ଦୃଷ୍ଟିଦେଇ ଉଚିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯିବ ବୋଲି କହିଥିଲେ। ଦାବିପତ୍ର ପ୍ରଦାନ ସମୟରେ ଗୁପ୍ତେଶ୍ବର ପଧାନ, ସୁବାସ ଚନ୍ଦ୍ର ମେହେର, କୃଷ୍ଣ ପଧାନ, କିଶୋର ମେହେର, ଖଗେଶ୍ବର ମେହେର, ରୂପବନ୍ତ ପଧାନ, ଗଙ୍ଗାଧର ବେହେରା, ଟଙ୍କଧର ବେହେରା ପ୍ରମୁଖ ଚାଷୀ ଉପସ୍ଥିତଥିଲେ।

The post ଅସଲି ଜମିରେ ନକଲି କୃ‌ଷି ବୀମା, ପଡ଼ିଆବାହାଲ ପଞ୍ଚାୟତରେ ଅନେକ ଚାଷୀ ନିରାଶ first appeared on Sambad.

from ଜିଲ୍ଲା | Sambad https://ift.tt/3eLemla