କଣ୍ଟାମାଳ : ଜାତୀୟ ରାଜପଥ ନଂ ୫୭ର ମନମୁଣ୍ଡା ଥାନା ବସୁଦେବପାଲି ଗ୍ରାମର ମାଉଲି ମନ୍ଦିର ସାମ୍ନାରେ ଥିବା ଏକ ବିରାଟ ପିପଳ ଗଛ ଶୁକ୍ରବାର ଦିନ ପ୍ରାୟ ୧୨ଟାରେ ଝଡ଼ତୋଫାନରେ ଧରାଶାୟୀ ହୋଇପଡ଼ିଥିଲା। ଫଳରେ ପ୍ରାୟ ୪ ଘଣ୍ଟା ଯାତାୟତ ଠପ ହୋଇ ଯାଇଥିଲା।

ଗତ ବର୍ଷ ଏକ ରାତ୍ରିକାଳୀନ ଦ୍ରୁତଗାମୀ ବସ୍‌ ଭୁବନେଶ୍ବରରୁ ବଲାଙ୍ଗୀର ଫେରୁଥିବା ବେଳେ ଏହି ଗଛକୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏହି ଧକ୍କାରେ ଏହି ଗଛ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା। ପରବର୍ତୀ ସମୟରେ ଏହି ଗଛ ମଧ୍ୟକୁ ପାଣି ପଶି ଦୁର୍ବଳ ହୋଇ କୋରଡ ସୃଷ୍ଟି କରିଥିଲା। ଆଜି ଜୋରରେ ପବନ ବୋହିବାରୁ ଗଛ ଭାଙ୍ଗି ରାସ୍ତା ଉପରେ ପଡି ଅବରୋଧ ହୋଇଥିଲା। ଗ୍ରାମବାସୀ ଉକ୍ତ ଗଛକୁ ଦୀର୍ଘ ୪ ଘଣ୍ଟା ପରେ ରାସ୍ତାରୁ ଆଂଶିକ ହଟାଇଥିଲେ। ଫଳରେ ଛୋଟ ଛୋଟ ଗାଡ଼ି ଚଳାଚଳ କରିପାରୁଥିବା ବେଳେ ଟ୍ରକ, ବସ୍‌ ଆଦି ଭାରୀଯାନ ବାଇପାସ ଦେଇ ଯାଉଛନ୍ତି। ତେବେ ଏହି ରାସ୍ତାରୁ ଉକ୍ତ ଗଛକୁ ସମ୍ପୂର୍ଣ୍ଣ ହଟାଇ ଯାତାୟତ ସ୍ୱାଭାବିକ କରିବାକୁ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚଙ୍କଠାରେ ଅଭିଯୋଗ କରିଛନ୍ତି। ତେବେ ଆସନ୍ତାକାଲି ଏହାର ବ୍ୟବସ୍ଥା କରାଯିବ ବୋଲି ସରପଞ୍ଚ ମିନାକ୍ଷୀ ସାହୁ ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି।

The post ବିରାଟ ଗଛ ପଡ଼ି ରାସ୍ତା ଅବରୋଧ, ୪ ଘଣ୍ଟା ପରେ ହଟିଲା first appeared on Sambad.

from ଜିଲ୍ଲା | Sambad https://ift.tt/3j94D9o