ମାଲକାନଗିରି: ରୀନା ମାଢୀ। ମାଲକାନଗିରି ଜିଲ୍ଲାର କୋରକୋଣ୍ଡା ବ୍ଲକର ନିଳାକାମ୍ବେରୁ ପଞ୍ଚାୟତର ସରପଞ୍ଚ। ଜଣେ ଆଦିବାସୀ ମହିଳା ହୋଇଥିଲେ ମଧ୍ୟ ରାଜନୀତିରେ ପ୍ରବେଶ କରି ବେଶ ଲୋକଙ୍କ ପାଇଁ କାମ କରିବାର ଏକ ଜୋସ ଦେଖିବାକୁ ମିଳିଛି। ନିଜ ପଞ୍ଚାୟତର ଉନ୍ନତି ପାଇଁ ସେ ଦିନରାତି ଏକ କରି ଦେଇଛନ୍ତି। ତେବେ ସରପଞ୍ଚ କାମ କରିବା ସହ ନିଜର ଜମିରେ ସେ ଏବେ ବିଭିନ୍ନ ପ୍ରକାରର ପନିପରିବା ଫଳାଇ ଏବେ ଚର୍ଚ୍ଚାରେ ଅଛନ୍ତି। ନିଜ ଜମିରେ ସେ ବାଇଗଣ, ଭେଣ୍ଡି, ବଇତାଳୁ, ଜହ୍ନି, ଲାଉ, ମକା, ଫୁଲକୋବି ଭଳି ପରିବା ଚାଷ କରୁଛନ୍ତି। ତେବେ ଏହି ପରିବା ଚାଷକୁ ସେ ଜୈବିକ ପଦ୍ଧତିରେ କରୁଛନ୍ତି। କୌଣସି ସାର କିମ୍ବା ବିଷାକ୍ତ କେମିକାଲ ପରିବା ଚାଷରେ ପ୍ରୟୋଗ କରୁନଥିବା କହିଛନ୍ତି। ତେବେ ପ୍ରତିଦିନ ତଟକା ପରିବା ନିଜେ ଖାଇବା ସହ ବଜାରରେ ବିକ୍ରି ମଧ୍ୟ କରୁଛନ୍ତି। ତେବେ ପରିବା ଚାଷରେ ନିଜେ ସ୍ବାବଲମ୍ବୀ ହୋଇ ପାରିଥିବା କହିଛନ୍ତି ରୀନା। ତେବେ ଏହି କାମରେ ସ୍ବାମୀ ମଧ୍ୟ ତାଂକୁ ସହଯୋଗ କରିଥାନ୍ତି। ଆଦିବାସୀ ମହିଳା ହେଲେ ମଧ୍ୟ ସେ ସରକାରୀ କାର୍ଯ୍ୟକୁ ପ୍ରାଥମିକତା ଦେବା ପରେ ପରିବାରର କାର୍ଯ୍ୟ ଏବଂ ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ ଚାଷ କରନ୍ତି। ରୀନାଙ୍କର ଦୁଇଟି ସନ୍ତାନ। ସେମାନଙ୍କୁ ଭଲ ପାଠ ପଢାଇବା ସହ ଆଗକୁ ଭଲ ମଣିଷ କରି ଗଢି ତୋଳିବା ପାଇଁ ମଧ୍ୟ ଏବେ ଠାରୁ ପ୍ରୟାସ ଆରମ୍ଭ କରି ଦେଇଛନ୍ତି।

Sambad

ନିଜର ବାଡିରେ ଯାହା ପରିବା ବାହାରେ ସେ ନିଜେ ବିକ୍ରି କରିବା ପାଇଁ ବାହାରି ପଡୁଥିବା ଦେଖିବାକୁ ମିଳିଛି। ଜଣେ ସରପଞ୍ଚ ହୋଇଥିବା ବେଳେ ଜମିରେ କାମ କରିବା ଏବଂ ପରିବା ବିକ୍ରି କରିବା ଭଳି ନିଜ କାମକୁ କେବେ ଛୋଟ ଭାବନ୍ତି ନାହିଁ। ଜମିରେ ହଳ ଧରିବା ସହ ସମସ୍ତ କାମ କରିବାରେ ସେ ସିଦ୍ଧ ହସ୍ତ। ପିଲାଟି ଦିନରୁ ଜମିରେ କାମ କରିବାର ଅଭିଜ୍ଞତା ରହିଥିବାରୁ ସେ ଏବେ ସୁନ୍ଦର ଭାବେ ସମସ୍ତ କାମକୁ ତୁଲାଇ ପାରୁଛନ୍ତି। ଲୋକଙ୍କର ପ୍ରିୟ ନେତ୍ରୀ ହୋଇଥିବାରୁ ଲୋକେ ମଧ୍ୟ ତାଙ୍କ ନିକଟକୁ ଆସି ଖାଲିରେ ଫେରନ୍ତି ନାହିଁ। ଲୋକଙ୍କ କାମକୁ ଆଗରେ କରିବା ପରେ ଅନ୍ୟ କାମ କରନ୍ତି। ପରିବା ଚାଷ କରି ସ୍ବାବଲମ୍ବୀ ହୋଇପାରିଥିବା ସେ କହନ୍ତି। ରୀନା ଏବେ ଅନ୍ୟମାନଙ୍କ ପାଇଁ ସ୍ପଷ୍ଟ ଉଦାହରଣ ପାଲଟିଛନ୍ତି। ପ୍ରଶାସନ ତରଫରୁ ତାଂକୁ ଆହୁରି ସୁଯୋଗ ଦିଆଗଲେ ସେ ନିଜର ଏହି ଚାଷକୁ ଆହୁରି ବଢାଇପାରିବେ ବୋଲି କହିଛନ୍ତି।

The post ପରିବା ଚାଷକରି ମହିଳା ସରପଞ୍ଚ ସ୍ବାବଲମ୍ବୀ, ପଞ୍ଚାୟତର କାମ କରିବା ସହ ପରିବା ଚାଷକୁ ପ୍ରାଧାନ୍ୟ first appeared on Sambad.

from ଜିଲ୍ଲା | Sambad https://ift.tt/3zA4L90