ଦାନଗଦୀ : କାରଖାନା ପାଇଁ ବିସ୍ଥାପିତ ହେଲୁ। ଭିଟାମାଟି ହରାଇଲୁ। ହେଲେ ଆମ ସମସ୍ୟା ସମାଧାନ ହେଉନି। ବର୍ଷବର୍ଷ ଧରି ବିସ୍ଥାପିତଙ୍କ ସମସ୍ୟା ଲାଗି ରହିଛି। ନିଜର ନ୍ୟାଯ୍ୟ ଦାବି ହାସଲ କରିବା ପାଇଁ କଳିଙ୍ଗନଗର ବିସ୍ଥାପିତ ଆଦିବାସୀମାନେ ଆନ୍ଦୋଳନ ପାଇଁ ଆଗେଇ ଆସିବାକୁ ବିସ୍ଥାପିତ ପରିବାର ଉନ୍ନୟନ ପରିଷଦ ପକ୍ଷରୁ ଆହ୍ବାନ ଦିଆଯାଇଛି। ରବିବାର ଡୁବୁରିସ୍ଥିତ ଏକ ରିସୋର୍ଟରେ ପରିଷଦ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିସ୍ଥାପିତଙ୍କ ସମସ୍ୟା ସମାଧାନ କରାଯାଉ ନଥିବା ଅଭିଯୋଗ ଉଠିଛି।

କାରଖାନା କର୍ତ୍ତୃପକ୍ଷ କି ପ୍ରଶାସନ କେହି ଏଥିପ୍ରତି ଆନ୍ତରିକତା ଦେଖାଉ ନଥିବା କୁହାଯାଇଛି। ବିସ୍ଥାପିତ ଓ ପୁନଃବସତି କଲୋନିଗୁଡ଼ିକର ଅବସ୍ଥା ଶୋଚନୀୟ ରହିଛି। ମୌଳିକ ସୁବିଧା ଉପଲବ୍‌ଧ କରାଯାଉ ନାହିଁ। କଳିଙ୍ଗନଗର ଅଞ୍ଚଳର ସମସ୍ତ ଆଦିବାସୀଙ୍କୁ ଆଗେଇ ଆସିବାକୁ ଆହ୍ବାନ ଦିଆଯାଇଛି। ଏଥିସହ ଉନ୍ନୟନ ପରିଷଦ ପକ୍ଷରୁ ବିଭିନ୍ନ ଦାବି ଯଥା- ଖଣି ଖାଦାନ ଓ ଶିଳ୍ପାଞ୍ଚଳ ଦ୍ବାରା ବିସ୍ଥାପିତଙ୍କୁ ସରକାର ଦରମା ଦେବା, ପ୍ରତ୍ୟେକ ଖଣି ଓ ଶିଳ୍ପାଞ୍ଚଳ ଚତୁଃପାର୍ଶ୍ବରେ ଥିବା ଗାଁଗୁଡ଼ିକୁ ପୋଷ୍ୟ ଭାବେ ଗ୍ରହଣ କରିବା, ଜିଲ୍ଲା ଖଣିଜ ପାଣ୍ଠି ଅନୁଦାନରେ ମିଲିଟାରି ଛକଠାରୁ ସୁକିନ୍ଦାଗଡ଼ ଓ ବାଘବାହାଳି ଛକଠାରୁ ଟମକା ପର୍ଯ୍ୟନ୍ତ ଆଲୋକୀକରଣ କରିବା, କଳିଙ୍ଗନଗରଠାରେ ଉଚ୍ଚଶିକ୍ଷା ନିମନ୍ତେ ବୈଷୟିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା, ଟିଏସି(ଜନଜାତି ପରାମର୍ଶ ପରିଷଦ)ରେ କଳିଙ୍ଗନଗର ବିସ୍ଥାପିତ ପରିବାର ସଦସ୍ୟ ରୂପେ ସାମିଲ, ଡିଏମ୍‌ଏଫ୍‌ ଅର୍ଥରେ ଡ୍ରାଇଭି˚ ଟ୍ରେନିଂ ସ୍କୁଲ ପ୍ରତିଷ୍ଠା, ସୁକିନ୍ଦା ନିର୍ବାଚନମଣ୍ଡଳୀରେ ଶିକ୍ଷିତ ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି କ୍ଷେତ୍ରରେ ୪୦ ପ୍ରତିଶତ ସ˚ରକ୍ଷଣ ଦେବା ଆଦି ରହିଛି। ଏ ସଂକ୍ରାନ୍ତ ଦାବିପତ୍ର ଯାଜପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ବୀରେନ ଜାମୁଦାଙ୍କ ସଭାପତିତ୍ବରେ ଆୟୋଜିତ ଏହି ସାମ୍ବାଦକ ସମ୍ମିଳନୀରେ ସଭାପତି ତ୍ରିଲୋଚନ ମହାନ୍ତ, ଲକ୍ଷ୍ମଣ ଜାମୁଦା, ଧ୍ରୁବଚରଣ ମହାନ୍ତ, ଭୀମସେନ ମହାନ୍ତ, ରବି ଜେନାମଣିଙ୍କ ସମେତ ବିସ୍ଥାପିତ ପରିବାର ଉନ୍ନୟନ ପରିଷଦର କର୍ମକର୍ତ୍ତା ଉପସ୍ଥିତ ଥିଲେ।

The post ଅସ‌ନ୍ତୋଷ ଝାଡ଼ିଲେ କଳିଙ୍ଗନଗର ଶିଳ୍ପାଞ୍ଚଳ ବିସ୍ଥାପିତ, ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ first appeared on Sambad.

from ଜିଲ୍ଲା | Sambad https://ift.tt/3BnKm7H