
ବ୍ୟାସନଗର : କହ୍ନେଇପୁର ଅଞ୍ଚଳର ଜଣେ ମହିଳାଙ୍କୁ ଫୋନ ପେ ନମ୍ବର ମାଗି ୭ ହଜାର ଟଙ୍କା ନେଇଗଲେ ସାଇବର ଠକ। ଅଭିଯୋଗ ମୁତାବକ ଯାଜପୁର ରୋଡ୍ ଥାନା କହ୍ନେଇପୁରରେ ସ୍ୱପ୍ନା ବେହେରା ବହୁ ଦିନ ହେବ ଅନଲାଇନରେ ଶାଢ଼ି ବେପାର କରନ୍ତି। ଆଜି ସକାଳୁ ଏକ ଶାଢ଼ି ନେବାକୁ ଫେସବୁକରେ ଜଣେ ବ୍ୟକ୍ତି ସ୍ୱପ୍ନାଙ୍କୁ ମେସେଜ କରିଥିଲେ। ଏଥିସହିତ ଏକା ରଙ୍ଗର ୬ ହଜାର ଟଙ୍କାର ଦୁଇଟି ଶାଢ଼ି ନେବାକୁ କହିଥିଲେ। ସ୍ୱପ୍ନା ଦୁଇଟି ଶାଢ଼ି ଅନଲାଇନରେ ମଗାଇ ସେ ବ୍ୟକ୍ତିଙ୍କୁ ଦେଖାଇଥିଲେ। ଶାଢ଼ି ଦୁଇଟି ନେବାକୁ ସେ ରାଜି ହେବା ସହିତ ସ୍ୱପ୍ନାଙ୍କ ଫୋନ ପେ ନମ୍ବର ମାଗିଥିଲେ।
ଟ୍ରାଏଲରେ ପ୍ରଥମେ ଏକ ଟଙ୍କା ପଠାଇବାକୁ କହିଥିଲେ। ଏହାପରେ ଟଙ୍କା ନଯିବାରୁ ସେହି ବ୍ୟକ୍ତି ସ୍ୱପ୍ନାଙ୍କ ହ୍ବାଟ୍ସଆପ ନମ୍ବରରେ ଏକ ସ୍କାନର ପଠାଇଥିଲେ। ଏହି କୋଡ୍ରେ ସ୍କାନ କରିବାକୁ କହିଥିଲେ। ସ୍ୱପ୍ନା ନିଜ ମୋବାଲରେ ସ୍କାନ କରିବା ମାତ୍ରକେ ତାଙ୍କ ଆକାଉଣ୍ଟରୁ ୭ ହଜାର ଟଙ୍କା କଟିଯାଇଥିଲା। ଏହା ଦେଖି ସେ ସେହି ନମ୍ବରକୁ କଲ କରିଥିଲେ। ସଂପୃକ୍ତ ଠକର ମୋବାଇଲ ସୁଇଚ୍ ଅଫ ହୋଇଯାଇଥିଲା। ଯେତେ ଚେଷ୍ଟା କଲେ ବି ଆଉ ଯୋଗାଯୋଗ କରିପାରି ନଥିଲେ। ସ୍ୱପ୍ନା ସାଇବର ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିବା ସହିତ ସବୁ କାଗଜପତ୍ର ଥାନାରେ ଦାଖଲ କରିଛନ୍ତି। ଏସ୍ଆଇ ଜଗଦୀଶ କର ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ ବି ସାଇବର ଠକ ବିଷୟରେ ସୂଚନା ମିଳିନାହିଁ।
The post ବ୍ୟାସନଗରରେ ସାଇବର ଠକେଇ: ୭ ହଜାର ଲୁଟିନେଲେ first appeared on Sambad.from ଜିଲ୍ଲା | Sambad https://ift.tt/3saflkp
0 Comments