ସମ୍ବଲପୁର : କାର୍‌ରେ ପ୍ରେସ୍‌ ଲେଖି ଚାଲିଥିଲା ବେଧଡ଼କ ନିଶା କାରବାର। କିଛି ନିଶା ବ୍ୟବସାୟୀ ସାମ୍ବାଦିକ ବୋଲି କହି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଖୁବ୍‌ ସହଜରେ ନିଶା ସାମଗ୍ରୀ ପରିବହନ କରୁଛନ୍ତି। ଏଭଳି ଏକ କାରବାର ଚାଲିଥିବା ନେଇ ସଦର ପୁଲିସ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଥିଲା। ଏହାପରେ ଚଢ଼ଉ କରି ବିପୁଳ ପରିମାଣର କଫ୍‌ ସିରଫ ସାଙ୍ଗକୁ ପ୍ରେସ୍‌ ଲେଖାଥିବା ଏକ କାର୍‌କୁ ମଧ୍ୟ ପୁଲିସ ଜବତ କରିଛି। ଏହି ଘଟଣାରେ ସଦର ପୁଲିସ ୪ ଜଣଙ୍କୁ ପୁଲିସ ଗିରଫ କରିଛି।

ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କଫ୍‌ ସିରପ୍‌ ଓ ନିଶା ବଟିକା କାରବାର କରାଯାଉଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା। ସୂଚନା ପାଇ ପୁଲିସ ସୋମବାର ସକାଳେ ପଡ଼ିଆବାହାଲ ନିକଟରେ ଚଢଉ କରି ପ୍ରେସ୍‌ ଲେଖାଥିବା ଏକ କାର୍‌(ଡିଏଲ୍‌୨ସିଏଜି୯୫୩୮)କୁ ଜବତ କରିଥିଲା। ପଡ଼ିଆବାହାଲ ବଡ଼ତୁରଙ୍ଗର ମନୋଜ କୁମାର ପ୍ରଧାନ(୪୪), ପଡ଼ିଆବାହାଲର ବିକ୍ରିମ ମେହେର(୨୩), ଫଟାବାହାଲର ସୁମନ୍ତ ନାଥ(୨୩) ଓ ମାଳତୀ ଗୁଣ୍ଡେରପୁରର ପ୍ରକାଶ ବିଶି(୨୪)କୁ ପୁଲିସ ଗିରଫ କରିଥିଲା। ସେମାନଙ୍କ ପାଖରୁ ପୁଲିସ ୧୦୭ ବୋତଲ କଫ୍‌ ସିରପ୍‌, ପ୍ରେସ୍‌ ଲେଖାଥିବା କାର୍‌ ଓ ୫ଟି ମୋବାଇଲ୍‌ ଫୋନ୍‌ ପୁଲିସ ଜବତ କରିଛି। ତେବେ ମୁଖ୍ୟ ଅଭିଯୁକ୍ତ ସୁବର୍ଣ୍ଣପୁର ଉଲୁଣ୍ଡାର ଦିବ୍ୟ ଜଗଦଲା(ଟ୍ରାନ୍ସପୋର୍ଟର) ଘଟଣା ସ୍ଥଳରୁ ଖସି ପଳାଇବାରେ ସମର୍ଥ ହୋଇଥିଲା। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ପ୍ରେସ୍‌ ଲେଖା ଗାଡ଼ି ମାଳମାଳ
ସମ୍ବଲପୁର ସହରରେ ଏବେ ପ୍ରେସ୍‌ଲେଖା ଥିବା ଗାଡ଼ି ମାଳ ମାଳ। ଜିଲ୍ଲା ପ୍ରଶାସନ ସ୍ଥାଣୁ ପାଲଟି ଯାଇଥିବା ବେଳେ ଅନେକ ଅସାମାଜିକ ବ୍ୟକ୍ତି ନିଜ ଗାଡ଼ିରେ ପ୍ରେସ୍‌ ଲେଖି ନିର୍ଦ୍ବନ୍ଦ୍ବରେ ବୁଲି ବେଆଇନ କାରବାରରେ ସମ୍ପୃକ୍ତ ରହୁଛନ୍ତି। ଯାହା ଫଳରେ ସାମ୍ବାଦିକ ମାନଙ୍କ ମାନ ମଧ୍ୟ ହାନୀ ହେଉଛି। ଅନ୍ୟପଟେ ଗାଡ଼ିରେ ପ୍ରେସ୍‌ ଲେଖି ଅନେକ ଲୋକ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି। ଯାଞ୍ଚ ହେଉ ନଥିବା କାରଣରୁ ଏହି ପ୍ରେସ୍‌ ଲେଖା ଗାଡ଼ି ସଂଖ୍ୟା ବଢ଼ିବାରେ ଲାଗିଛି। ଆଶ୍ଚର୍ଯ୍ୟର ବିଷୟ ନିକଟରେ ଲକ୍ଷ୍ମୀଟକିଜ୍‌ ଛକ ନିକଟରେ ଲକ୍‌ଡାଉନ୍‌ ସମୟରେ ଗାଡ଼ି ଯାଞ୍ଚ ବେଳେ ଜଣେ ବ୍ୟକ୍ତି ତାଙ୍କ ମୋଟର ସାଇକେଲ୍‌ରେ ପ୍ରେସ୍‌ ଲେଖି ଯାଉଥିବା ବେଳେ ଧରା ପଡ଼ିଥିଲେ। ଛାପାଖାନାରେ କାମ କରୁଛି ବୋଲି ପ୍ରେସ୍‌ ଲେଖିଥିବା ବ୍ୟକ୍ତି ଜଣକ କହିଥିଲେ। ଏହାପରେ ଅତିରିକ୍ତ ଏସ୍‌ପି ଗାଡ଼ିରୁ ପ୍ରେସ୍‌ ଲେଖା ହଟାଇବାକୁ ନିର୍ଦ୍ଦେଶ ଦେବା ପରେ ବ୍ୟକ୍ତି ଜଣକ ସେହିଠାରେ ପ୍ରେସ୍‌ ଷ୍ଟିକର ହଟାଇଥିଲେ। ତାପରେ ତାଙ୍କୁ ସେଠାରୁ ଯିବାକୁ ଦିଆଯାଇଥିଲା। କିନ୍ତୁ ପ୍ରକୃତରେ କେବଳ ସମ୍ବଲପୁର ସହରରେ ଏଭଳି ଅନେକ ଅସାମାଜିକ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜ କାର୍‌ରେ ପ୍ରେସ୍ ଲେଖି ବୁଲିଛନ୍ତି ଏବଂ ନିଜକୁ ସାମ୍ବାଦିକ ବୋଲି ମଧ୍ୟ ଅନେକ ସ୍ଥାନରେ କହୁଛନ୍ତି। ସଦର ଥାନା ଘଟଣା ପରେ ଏହାର ଯାଞ୍ଚ ହେବା ନିତାନ୍ତ ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି।

The post ପ୍ରେସ୍‌ ଲେଖି ଗାଡ଼ିରେ ଚାଲିଥିଲା ନିଶା କାରବାର; ୪ ଗିରଫ, ୧୦୭ କଫ୍‌ ସିରପ୍‌ ଜବତ first appeared on Sambad.

from ଜିଲ୍ଲା | Sambad https://ift.tt/3C84zPX