
ରଗଡ଼ି : କୋରେଇ ଥାନା ଅନ୍ତର୍ଗତ ଅନ୍ଧାରୀ ପଞ୍ଚାୟତ କୋରାବନ୍ଦି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ବିକଳ ତ୍ରିପାଠୀଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଏହି ଗ୍ରାମର ଦୁଇଜଣଙ୍କ ଘରୁ ଚୋରି କରିଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତିଙ୍କ ଘରୁ ଚୋରି ଉଦ୍ୟମ କରିଥିଲେ। ଏନେଇ ଆଜି କୋରେଇ ଥାନାରେ ଅଭିଯୋଗ ହୋଇଛି।
ରାସ୍ତା ପାର୍ଶ୍ବରେ ଥିବା ଶ୍ରୀ ତ୍ରିପାଠୀଙ୍କ ଘରର ଝରକା ଭାଙ୍ଗି ଦୁର୍ବୃତ୍ତମାନେ ଘରେ ପଶିଥିଲେ। ଭୁବନେଶ୍ବର ସମ୍ବାଦ କାର୍ଯ୍ୟାଳୟରେ କାର୍ଯ୍ୟରତ ଶ୍ରୀ ତ୍ରିପାଠୀଙ୍କ ବଡ଼ପୁଅ ସନ୍ତୋଷଙ୍କ ଶୋଇବା ଘରେ ପଶି ଦୁର୍ବୃତ୍ତମାନେ ତାଙ୍କ ଆଲମିରା ଭାଙ୍ଗି ଦେଇଥିଲେ। ସେଥିରେ ଥିବା ୩୦ ଗ୍ରାମର ଦୁଇଟି ସୁନା ଚେନ, ୧୨ ଗ୍ରାମର ତିନିହଳ କାନଫୁଲ, ୧୫ ଗ୍ରାମର ଅନ୍ୟ ଗୋଟିଏ ସୁନା ହାର ଓ ୨୪ ଗ୍ରାମର ୮ଟି ସୁନାମୁଦି ସମେତ ପ୍ରାୟ ୪ଶହ ଗ୍ରାମର ରୁପା ଅଳଙ୍କାର ଲୁଟି ନେଇଥିଲେ। ପ୍ରାୟ ୫ ଲକ୍ଷ ଟଙ୍କାର ସମ୍ପତ୍ତି ଚୋରି ହୋଇଛି ବୋଲି ଶ୍ରୀ ତ୍ରିପାଠୀ ଅଭିଯୋଗରେ ଦର୍ଶାଇଛନ୍ତି।
ସେହିପରି ଗ୍ରାମର ପବିତ୍ର ରାଉତଙ୍କ ଏକ ତେଜରାତି ଦୋକାନର କବାଟ ଭାଙ୍ଗି ୪୬୦୦ ଟଙ୍କା ଓ ୪୦ ହଜାର ଟଙ୍କାର ଜିନିଷ ଚୋରି କରିନେଇଥିଲେ। ଚୋରମାନେ ସେଠାରେ ଲାଗିିଥିବା ଏକ ସିସି ଟିଭି କ୍ୟାମେରାକୁ ଭାଙ୍ଗି ଦେଇଥିଲେ। ଯାଜପୁରରୋଡ ଏସଡିପିଓ ଚିନ୍ମୟ କୁମାର ନାୟକ ଓ କୋରେଇ ଥାନା ଅଧିକାରୀ ରଞ୍ଜିତ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପ୍ରକାଶ ଯେ, ଗତ ସୋମବାର ରାତିରେ ରଣପୁର ପଞ୍ଚାୟତ ଓ ତା’ ପୂର୍ବରୁ ଅନ୍ଧାରୀ ପଞ୍ଚାୟତର ସାହାଡ଼ାକୋଳି ଗ୍ରାମରେ ଚୋରି ହୋଇଥିଲା। ଏହି ସମୟରେ ଦୁର୍ବୃତ୍ତମାନେ ଘରମାଲିକଙ୍କୁ ରକ୍ତାକ୍ତ ଆକ୍ରମଣ କରିଥିଲେ। ଏହି ସବୁ ଘଟଣାରେ ପୁଲିସ ଦୁର୍ବୃତ୍ତମାନଙ୍କୁ ଧରିବାରେ ସଫଳ ହୋଇନାହିଁ।
The post ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି first appeared on Sambad.from ଜିଲ୍ଲା | Sambad https://ift.tt/2VuwqJe
0 Comments