
ଅନୁଗୁଳ: ମଣିଷ ସଭ୍ୟତା, ସାହିତ୍ୟ ଓ ସଂସ୍କୃତିର ମୂଳ ଉତ୍ସ। ମଣିଷର ବିକାଶ ଓ ଉନ୍ନତ ଚିନ୍ତା ସମାଜକୁ ବଳିଷ୍ଠ କରାଇଥାଏ। ପୃଥିବୀର ସ୍ଥିତି ମଣିଷକୁ ନେଇ ନିର୍ଦ୍ଧାରଣ କରାଯାଇଛି। ପ୍ରକୃତି ଓ ପରିବେଶ ମଣିଷର ଅଗ୍ରଗତି ପଥରେ ସହାୟକ ହୋଇଥାଏ; ତେଣୁ ସବୁରି ମୂଳରେ ମଣିଷ ହିଁ ଭିତ୍ତି ବୋଲି ‘କେନ୍ଦ୍ର ସାହିତ୍ୟ ଅକାଦେମି’ ଓ ‘ଆନନ୍ଦ ଆଶ୍ରମ’ ପକ୍ଷରୁ ଆୟୋଜିତ ‘ଲୋକରୁ ଶାସ୍ତ୍ର: ଦ୍ୱନ୍ଦ୍ୱ ଓ ସଂଶ୍ଲେଷ’ ଶୀର୍ଷକ ସଂପାନରେ ମତପ୍ରକାଶ ପାଇଛି।
‘କେନ୍ଦ୍ର ସାହିତ୍ୟ ଅକାଦେମି’ ଓ ‘ଆନନ୍ଦ ଆଶ୍ରମ’ ମିଳିତ ଆନୁକୂଲ୍ୟରେ ଅନୁଗୋଳ ଜିଲ୍ଲା ଖମାର, କୁଟାରୀମୁଣ୍ଡା ଠାରେ ଏକଦିବସୀୟ ସଂପାନ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବକୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ କୃଷ୍ଣା ମହାନ୍ତି ଉଦ୍ଘାଟନକରି କହିଲେ ଯେ, ମହାତ୍ମା ଗାନ୍ଧୀଙ୍କ ପଦର୍ଶିତ ମାର୍ଗ ମଣିଷକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାରେ ଗୋଟିଏ ଶ୍ରେଷ୍ଠ ମାଧ୍ୟମ। ଅହିଂସା ନୀତିକୁ ଆପଣାଇଲେ ସମାଜ ସୁନ୍ଦର ହୋଇପାରିବ। ବିଶିଷ୍ଟ ଗବେଷକ ଡକ୍ଟର ଗୌରାଙ୍ଗ ଚରଣ ଦାଶ ଭତ୍ତିପ୍ରବନ୍ଧ ଉପସ୍ଥାପନକରି ମଣିଷର ସ୍ଥିତି, ଅବସ୍ଥିତି ଓ ଭବିଷ୍ୟତ ତା’ର କର୍ମ ଏବଂ ଦୂରଦୃଷ୍ଟି ଉପରେ ନିର୍ଭରକରେ ବୋଲି କହିଥିଲେ।
ଏଥିରେ ସଭାପତିତ୍ୱ କରି ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟାମଣ୍ଡଳୀର ଆବାହକ ପ୍ରଫେସର ବିଜୟାନନ୍ଦ ସିଂହ ସ୍ୱାଧୀନତାର ୭୫ବର୍ଷ ପାଳନ ଅବସରରେ ମଣିଷକୁ ନେଇ ସାହିତ୍ୟ ଅକାଦେମିର ଏପରି ଆଲୋଚନା ସମୟପୋଯୋଗୀ ବୋଲି କହିଥିଲେ। ବିଶିଷ୍ଟ ଗବେଷକ ଦେବେନ୍ଦ୍ର କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ପ୍ରଫେସର ପ୍ରଦୀପ୍ତ କୁମାର ପଣ୍ଡା, ପ୍ରଫେସର ସନ୍ତୋଷ କୁମାର ରଥ ଓ ସୁଧୀର କୁମାର ସାହୁ ପ୍ରବନ୍ଧପାଠ କରିଥିଲେ। ଦ୍ୱିତୀୟ ଅଧିବେଶନରେ ଡକ୍ଟର ଫଣୀନ୍ଦ୍ର ଭୂଷଣ ନନ୍ଦ ସଭାପତିତ୍ୱ କରିଥିଲେ ଓ ଧନେଶ୍ୱର ସାହୁ ଏବଂ ରମାକାନ୍ତ ସାମନ୍ତରାୟ ପ୍ରବନ୍ଧପାଠ କରିଥିଲେ। ପ୍ରାରମ୍ଭରେ ସାହିତ୍ୟ ଅକାଦେମି ପୂର୍ବାଞ୍ଚଳ ଶାଖାର ସଚିବ ଡକ୍ଟର ଦେବେନ୍ଦ୍ର କୁମାର ଦେବେଶ ସ୍ୱାଗତ ଭାଷଣ ଦେଇଥିଲେ। ଡକ୍ଟର ଶାନ୍ତନୁ ସର ଅତିଥି ପରିଚୟ ପ୍ରଦାନ କରଥିଲା ବେଳେ ଆନନ୍ଦ ଆଶ୍ରମର ଅଧ୍ୟକ୍ଷ ଶିବ ପ୍ରସାଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଆନନ୍ଦ ଆଶ୍ରମର ସଂପାଦକ ଡକ୍ଟର ସାବିତ୍ରୀ ଦାଶ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।
ଅପରାହ୍ନରେ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଶ୍ରୀ ସିଂହ ସଭାପତିତ୍ୱରେ ସାହିତ୍ୟ ଅକାଦେମିର ‘ମୁଲାକାତ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୁବ ଲେଖକ ଅବକାଶ ପ୍ରଧାନ, ବିଭୂ ହୋତା, ସିପୁନ୍ ଜେନା ପ୍ରମୁଖ ସ୍ୱରଚିତ କବିତା ଓ ଗଳ୍ପ ପାଠ କରିଥିଲେ।
The post କେନ୍ଦ୍ର ସାହିତ୍ୟ ଅକାଦେମିର ଆଲୋଚନାଚକ୍ର: ସଂସ୍କୃତିର ମୂଳଉତ୍ସ ହେଉଛି ମଣିଷ first appeared on Sambad.from ଜିଲ୍ଲା | Sambad https://ift.tt/3moZXQg
0 Comments