
ଭବାନୀପାଟଣା : ଓଡ଼ିଶା ସ୍କୁଲ୍ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆହ୍ବାନ କ୍ରମେ କଳାହାଣ୍ଡି ଶାଖା ତରଫରୁ ୩ ଜଣ ଆବାହକ ପ୍ରଭାତ ରଥ, ପ୍ରତାପ ଦାଶ ଓ ପ୍ରଦୀପ ମିଶ୍ରଙ୍କ ନେତୃତ୍ଵରେ ଏକ ୫ଦଫା ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ପ୍ରଦାନ କରାଯାଇଛି। ଏହାର ନକଲ ମୁଖ୍ୟଶାସନ ସଚିବ, ଉଚ୍ଚଶିକ୍ଷା ମନ୍ତ୍ରୀ, ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ମଧ୍ୟ ପ୍ରଦାନ କରାଯାଇଛି। ଜିଲ୍ଲାପାଳଙ୍କର ପ୍ରତିନିଧି ଭାବରେ ସହକାରୀ ଜିଲ୍ଲାପାଳ ଶଙ୍କର ବାଗ ଦାବିପତ୍ର ଗ୍ରହଣ କରିଥିଲେ।
ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକୁ ଗତ ୨୦୧୮ ମସିହା ଜାନୁଆରି ୧ ତାରିଖରୁ ଅବିକଳ ସପ୍ତମ ବେତନ କମିସନ୍ ପ୍ରଦାନ, ବାଦ୍ ପଡ଼ିଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକୁ ଅନୁଦାନ ପରିସରଭୁକ୍ତ କରିବା, ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ଦିଆଯାଉଥିବା ସମସ୍ତ ଚାକିରିକାଳୀନ ସୁବିଧା ଓ ଅବସରକାଳୀନ ସୁବିଧା ପ୍ରଦାନ, ଖାଲି ପଡ଼ିଥିବା ପଦବି ପୂରଣ ଏବଂ ଅବସରକାଳୀନ ବୟସ ସୀମା ବୃଦ୍ଧି ପାଇଁ ମଞ୍ଚ ପକ୍ଷରୁ ଦାବି କରାଯାଇଛି। ରାଜ୍ୟ ସରକାର ଏହି ଦାବିକୁ ତୁରନ୍ତ ପୂରଣ ନକଲେ ଆଗାମୀ ଅଗଷ୍ଟ ୧୬ ତାରିଖରେ ଭୁବନେଶ୍ଵରସ୍ଥିତ ଗାନ୍ଧୀ ମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି। ତିନି ଆବାହକଙ୍କ ସହ ମନୋରଞ୍ଜନ ପାଣିଗ୍ରାହୀ, ସମୀର ମହାପତ୍ର, ସଞ୍ଜୟ ମିଶ୍ର, ବିଷ୍ଣୁ ଗଉଡ଼, ମୃତ୍ୟୁଞ୍ଜୟ ବେହେରା, ରାଜେନ୍ଦ୍ର ମହାନ୍ତି, ଶୁଭେନ୍ଦୁ ମହାପତ୍ର, ସଂଘମିତ୍ରା ପଣ୍ଡା, ଘନଶ୍ୟାମ ଭାଟି, ସରୋଜ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
The post କଳାହାଣ୍ଡି ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଦାବିପତ୍ର first appeared on Sambad.from ଜିଲ୍ଲା | Sambad https://ift.tt/3Cvt8qh
0 Comments