କାଳିଆପାଣି : ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ(ଓମ୍ବାଡ୍‌ସି) ଅନୁଦାନରେ ୮୦ କୋଟି ଟଙ୍କା ବ୍ୟୟରେ ପ୍ରତ୍ୟକ୍ଷ ଖଣି ପ୍ରଭାବିତ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ଯୋଜନାରେ ନିର୍ମାଣାଧୀନ ସୁକିନ୍ଦା ବ୍ଲକ୍‌ ପ୍ରଥମ ମେଗା ପ୍ରକଳ୍ପର ବହୁ ସ୍ଥାନରେ ଘଳିଆ ରହିଥିବା ଅଭିଯୋଗ ହୋଇଛି। ପ୍ରଥମ ଦିନରେ ପାନୀୟ ଜଳ ଯୋଗାଣ ପରୀକ୍ଷଣ ସମୟରେ ମେନ୍‌ ଲାଇନ୍‌ ପାଇପ୍‌ରେ ଜଳ ବିସ୍ଫୋରଣ ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ମଧ୍ୟାହ୍ନ ୧୨ଟା ୧୫ ମିନିଟ୍‌ ସମୟରେ ଖଣିଅଞ୍ଚଳ ମୁଖ୍ୟ ରାସ୍ତା ଟମକା-ମଙ୍ଗଳପୁର ସଡ଼କ ଉପରେ ହଠାତ୍‌ ୬ ଫୁଟ ଉଚ୍ଚତାରେ ପାଣି ଉଠିବା ସହ ଏହା ପାର୍ଶ୍ବସ୍ଥ ଏକ ମୋଟର ସାଇକଲ ଗ୍ୟାରେଜ୍‌କୁ ବୁଡ଼ାଇ ଦେଇଥିଲା।

ହଠାତ୍‌ ଏଠାରେ ପ୍ରଚଣ୍ଡ ଶବ୍ଦକରି ପାଣି ମାଡ଼ି ଆସିଥିଲା। ଟାଟା ଖଣି ମେନ୍‌ଗେଟ୍‌ ସମ୍ମୁଖ ଗଣେଶ ବଜାର ତପନ ସାହୁଙ୍କ ମୋଟର ସାଇକଲ୍‌ ଗ୍ୟାରେଜ୍‌ ଏଥିପାଇଁ ଜଳାର୍ଣ୍ଣବ ହୋଇଯାଇଥିଲା। ବିନା ବର୍ଷାରେ ବଜାର ପଛପଟ ରାଁସୋଳ ପଞ୍ଚାୟତ ଅନ୍ତର୍ଗତ ୧୦ ନମ୍ବର ଓ ୫ ନମ୍ବର ୱାର୍ଡରେ ବନ୍ୟା ଦୃଶ୍ୟ ଦେଖିବାକୁ ମିଳିଥିଲା। ମାଙ୍କଡ଼ାପଥର ଚଟାଣ ଉପରେ ଥିବା ଏହି ଢାଲୁ ଇଲାକାରେ ପାଣିର ଲହଡ଼ି ଖେଳିଥିଲା। ମାଙ୍କେଡ଼ିଆ ବସ୍ତି ମଝିରେ ଥିବା ହାଣ୍ଡିଆ ରସି ଗୋଦାମ ସମ୍ମୁଖରେ ଘଳିଆ ବାହାରି ବସ୍ତିର ଦାଣ୍ଡେଦାଣ୍ଡେ ପାଣି ପ୍ରବାହିତ ହୋଇଥିଲା। ପାଣି ବାହାରି ଡମଶାଳ ନାଳରେ ଭାସି ଯାଇଥିଲା।

ଘଣ୍ଟାଘଣ୍ଟା ଧରି ପାଣି ମାଡ଼ିବା ପରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସୂଚନା ମିଳିଥିଲା। ପମ୍ପ ବନ୍ଦ କରାଯାଇଥିଲେ ମଧ୍ୟ ସଂଧ୍ୟା ପର୍ଯ୍ୟନ୍ତ ଜଳ ପ୍ରବାହ ଜାରି ରହିଥିଲା। ସଂଧ୍ୟାରେ ସଂପୃକ୍ତ ଠିକାଦାରଙ୍କ ପକ୍ଷରୁ ଶ୍ରମିକମାନେ ଘଟଣାସ୍ଥଳରେ ପହଞ୍ଚି ଜେସିବି ମେସିନ୍‌ ସହାୟତା‌ରେ ଫଟା ପାଇପ୍‌ ବାହାର କରିଥିଲେ। ଏହି ପାଇପ୍‌ ଅତ୍ୟନ୍ତ ନିମ୍ନମାନର ଥିବା ସୂଚନା ମିଳିଛି। ଏଥିସହ ଏକ ମିଟର ଗଭୀର ତଳେ ଡିଆଇ ଲୁହା ପାଇପ୍‌ ପୋତିବାକୁ ନିୟମ ଥିବା ବେଳେ ଏହି ପାଇପ୍‌ ଦେଢ଼ ଫୁଟ ତ‌ଳେ ପୋତା ଯାଇଥିବା ଜଣା ପଡ଼ିଥିଲା। ମେଗା ପାନୀୟ ଜଳ ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ଅଞ୍ଚଳବାସୀ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।

The post ମେଗା ପାନୀୟଜଳ ପ୍ରକଳ୍ପରେ ଘଳିଆ: ସଡ଼କରେ ପାଣି ଭାସିଲା, ବଜାର ଓ ବସ୍ତିରେ ବନ୍ୟା first appeared on Sambad.

from ଜିଲ୍ଲା | Sambad https://ift.tt/37zMooc