
କଟକ : କଟକ ପରିବାର ଅଦାଲତରେ ଆଜି ଛାଡ଼ପତ୍ର ମାମଲାର ଶୁଣାଣି ସମୟରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। ଅଦାଲତରେ ବିଚାରପତିଙ୍କ ନିକଟରେ ଉଭୟ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ଆପୋସ ବୁଝାମଣା ପ୍ରସଂଗରେ ନିଜ ନିଜ ମତ ରଖିଥିଲେ। ଦୀର୍ଘ ତିନି ଘଣ୍ଟା ଧରି ଉଭୟ ଅଦାଲତ ପରିସରରେ ଉପସ୍ଥିତ ଥିଲେ। ଆପୋସ ବୁଝାମଣ ଜରିଆରେ ବିବାଦର ସମାଧାନ ଦିଗରେ ଆଜି କୌଣସି ସୁଫଳ ମିଳି ପାରି ନଥିବା ସୂଚନା ମିଳିଛି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୭କୁ ଧାର୍ଯ୍ୟ କରାଯାଇଛି।
ଅନୁଭବ ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ଗଲା ବର୍ଷ ଜୁଲାଇ ୧୬ରେ ପିଟିସନ୍ ଦାଖଲ କରିଥିଲେ। ଏହି ଛାଡ଼ପତ୍ର ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ପାଇଁ ବର୍ଷା ସୁପ୍ରିମେକାର୍ଟଙ୍କ ଦ୍ବାରସ୍ଥ ହେବା ପରେ ଏହା କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ହୋଇଥିଲା। ଏପ୍ରିଲ ୫ରେ ଉଭୟ ପରିବାର ଅଦାଲତରେ ହାଜର ହୋଇଥିଲେ। ଏହା ପରେ ମଧ୍ୟସ୍ଥତା କେନ୍ଦ୍ରରେ ଉଭୟଙ୍କୁ ହାଜର ହେବାକୁ ପରିବାର ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ମଧ୍ୟସ୍ଥତା ପ୍ରକ୍ରିୟାକୁ ନେଇ ବର୍ଷା ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଦର୍ଶାଇ ଅନୁଭବ ଏକ ଆବେଦନ ଦାଖଲ କଲା ପରେ ଉଭୟଙ୍କୁ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ପୂର୍ବ ନିର୍ଦ୍ଦେଶ ଅନୁସାରେ ଆଜି ଉଭୟ ପରିବାର ଅଦାଲତରେ ହାଜର ହୋଇଥିଲେ। ଅନ୍ୟପକ୍ଷରେ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ପରିବାର ଅଦାଲତରେ ଦାୟର ଛାଡ଼ପତ୍ର ମାମଲାର ଶୁଣାଣି ଶେଷ ପ୍ରସଙ୍ଗ ନେଇ ଅନୁଭବ ହାଇକୋର୍ଟରେ ରୁଜୁ କରିଥିବା ଆବେଦନ ଏବେ ବିଚାରାଧୀନ ରହିଛି। ଅନୁଭବଙ୍କ ତରଫରୁ ଆଇନଜୀବୀ ଆଲୋକ ମହାପାତ୍ର ଓ ବର୍ଷାଙ୍କ ପକ୍ଷରୁ ଆଇନଜୀବୀ ରାମକୃଷ୍ଣ ରଥ ମାମଲା ପରିଚାଳନା କରୁଛନ୍ତି।
The post ପରିବାର ଅଦାଲତରେ ହାଜର ହେଲେ ବର୍ଷା-ଅନୁଭବ, ଆପୋସ ବୁଝାମଣା ପ୍ରସଂଗରେ ରଖିଲେ ମତ first appeared on Sambad.from ଜିଲ୍ଲା | Sambad https://ift.tt/3k9k7e8
0 Comments