ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍‌ ଜୋଙ୍କ ଥାନା ଅଞ୍ଚଳର ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଘଟଣାରେ ପୁଲିସ୍‌ ସେହି ଗ୍ରାମର ଯୁବକଙ୍କୁ କୋର୍ଟଚାଲାଣ କରିଛି। ଜୋଙ୍କ ପୁଲିସର ସୂଚନାନୁସାରେ ଖରିଆର ରୋଡ୍‌ ଜୋଙ୍କ ଥାନା ଅଞ୍ଚଳର ଯୁବତୀ (୨୦ ବର୍ଷ) ଅଗଷ୍ଟ ୯ତାରିଖରେ ‌ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ସେହି ଗାଁର ଯୁବକ କମଳ ଶବର (୩୦ ବର୍ଷ) ଯୁବତୀଙ୍କୁ ଅପହରଣ କରି ଗାଁ ମୁଣ୍ଡରେ ଥିବା ଏକ ପୋଖରୀ ପାଖକୁ ନେଇ ଦୁଷ୍କର୍ମ କରି ‌ଫେରାର ହୋଇଥିଲା। ପରିବାର ଲୋକ ଯୁବତୀଙ୍କୁ ବହୁ ଖୋଜାଖୋଜି କରିବା ପରେ ବି ପତ୍ତା ମିଳିନଥିଲା।

ଗତ ୧୨ ତାରିଖରେ ଯୁବତୀ ଜଣଙ୍କ ଘରକୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲେ। ୧୩ ତାରିଖରେ ଯୁବତୀଙ୍କ ପରିବାର ଲୋକ ଗାଁର କିଛି ଲୋକଙ୍କୁ ନେଇ ବୈଠକ କରିଥିଲେ। ଏଥିରେ ପୀଡ଼ିତା ଯୁବତୀ ଓ ଅଭିଯୁକ୍ତ ଉପସ୍ଥିତ ଥିଲେ। ଯୁବକ ଜଣକ ଦୁଷ୍କର୍ମ କରିଥିବା ସ୍ବୀକାର କରିଥିଲା। ତେଣୁ ଯୁବତୀଙ୍କୁ ଦ୍ବିତୀୟ ବିବାହ କରିବା ପାଇଁ ରାଜି ହୋଇଥିଲା। ପରେ ଯୁବତୀଙ୍କୁ ଘରକୁ ନେଇ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିଲା। ନିର୍ଯାତନା ସହିନପାରି ଯୁବତୀ ଜଣକ ବାପା ଘରକୁ ଚାଲି ଆସିଥିଲେ। କିନ୍ତୁ ଘର ଲୋକ ଯୁବତୀଙ୍କୁ ରଖିବାକୁ ମନା କରିଥିଲେ। ଏହାପରେ ୧୫ ତାରିଖରେ ଯୁବତୀ ଖରିଆର ରୋଡ୍‌ ଜୋଙ୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ପୁଲିସ ଏକ ମାମଲା ରୁଜୁ କରି ଯୁବତୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲା। ପରେ ଅଭିଯୁକ୍ତ କମଳକୁ ଗିରଫ କରି କୋର୍ଟଚାଲଣ କରିଛି।

The post ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ବିବାହିତ ଯୁବକ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3AYAwsF