
ଖଡ଼ିଆଳ : ଆଦିବାସୀଙ୍କ ପ୍ରତି ପୁଲିସ ପ୍ରଶାସନର ନିଷ୍କ୍ରିୟତା ବିରୋଧରେ ନୂଆପଡ଼ା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଏକଜୁଟ ହୋଇଛି। ପାରମ୍ପରିକ ବେଶଭୂଷା, ଅସ୍ତ୍ରଶସ୍ତ୍ର ଧରି ଖଡ଼ିଆଳ ଥାନା ଘେରାଉ କରାଯାଇଛି। ପୁଲିସ ବିରୋଧରେ ନାରାବାଜି କରି ଖଡ଼ିଆଳ ସହର ପରିକ୍ରମା କରିବା ପରେ ଥାନା ସାମ୍ନାରେ ବିଶାଳ ସଭା ହୋଇଥିଲା। ପୁଲିସ ଆଦିବାସୀଙ୍କୁ ସୁରକ୍ଷା ପ୍ରଦାନ କରୁନଥିବା ଆଦିବାସୀ ନେତାମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏଥିରେ ଜିଲ୍ଲାର ୫ଟି ବ୍ଲକ୍ର ହଜାର ହଜାର ଆଦିବାସୀ ସାମିଲ ହୋଇଥିଲେ।

ଆଦିବାସୀଙ୍କ ପ୍ରତି ନୂଆପଡ଼ା ପୁଲିସ ଅବହେଳା କରିଚାଲିଛି, ଏହାର ୪ଟି ଉଦାହରଣ ଆନ୍ଦୋଳନକାରୀ ଦେଇଥିଲେ। ପ୍ରଥମ ଅଭିଯୋଗ ହେଲା ସିନାପାଲି ଆଦିବାସୀ ହଷ୍ଟେଲରେ ଜଣେ ନବମ ଶ୍ରେଣୀର ଛାତ୍ରୀଙ୍କୁ ଉକ୍ତ ବିଦ୍ୟାଳୟର ଶିକ୍ଷକ ଗର୍ଭବତୀ କରିବା ପରେ ବି ପୁଲିସର କାର୍ଯ୍ୟାନୁଷ୍ଠାନ ଶୂନ। କୋମନା ବିଜୁଳି ବିଭାଗରେ କାର୍ଯ୍ୟରତ ଆଦିବାସୀ ଯୁବକଙ୍କୁ ମାଡ଼ ମରାଯିବା ଘଟଣାରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା। ଜଣେ ବିସ୍ଥାପିତଙ୍କ ୨୪ ଲକ୍ଷରୁ ଅଧିକ ଟଙ୍କା ଜଣେ ବ୍ୟବସାୟୀ ଓ ବିଭାଗୀୟ ଅଧିକାରୀ ଓ ବ୍ୟାଙ୍କ କର୍ତ୍ତୃପକ୍ଷ ହଡ଼ପ କରିବା ପରେ ବି ଖଡ଼ିଆଳ ପୁଲିସ ଚୁପ ରହିବା। ସେହିପରି ଭବାନୀପାଟଣା ଆଇଆଇସି ଖଡ଼ିଆଳ ଥାନାରେ ଆଟ୍ରୋସିଟି ଆଇନ ଅନୁଯାୟୀ କେସ୍ ଦାୟର କରିବା ପରେ ବି ପୁଲିସ ପ୍ରଶାସନ ନିରବ ରହିଛି। ୪୧ ସିଆର୍ପିସି ଆଇନ ଅନୁଯାୟୀ ଦୋଷୀଙ୍କୁ ଥାନାରେ ବେଲ୍ ହେବାର ନିୟମ ନାହିଁ, କିନ୍ତୁ ନୂଆପଡ଼ା ପୁଲିସ୍ ଦୋଷୀଙ୍କୁ ଥାନାରୁ ଛାଡ଼ି ଦେଉଥିବା ଅଭିଯୋଗ ହୋଇଛି।

ଜିଲ୍ଲାର ବିଭିନ୍ନ ଥାନାରେ ଧନଞ୍ଜୟ ଶବର, ଗୌରୀଶଙ୍କର ମାଝୀ, ଚନ୍ଦ୍ର ଶେଖର ଶବର ଏବଂ ଉଦୟ ମାଝିଙ୍କ ଅଭିଯୋଗକୁ ପୁଲିସ ନଶୁଣିବା ପ୍ରମୁଖ ୪ଦଫା ଦାବି ନେଇ ନୂଆପଡ଼ା ଅତିରିକ୍ତ ଏଏସ୍ପି ସୁନୀଲ ଆଚାର୍ଯ୍ୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ଦୋଷୀଙ୍କୁ ଗିରଫ କରାନଗଲେ ସମ୍ପୂର୍ଣ୍ଣ ପଶ୍ଚିମ ଓଡ଼ିଶାକୁ ବନ୍ଦ କରାଯିବ ବୋଲି ପ୍ରଶାସନକୁ ଚେତାବନୀ ଦେଇଥିଲେ। ଥାନା ଘେରାଉ ସମୟରେ ନୂଆପଡ଼ା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ଭାନୁପ୍ରତାପ ସିଂହ ମାଝୀ, ସମ୍ପାଦକ ବାଳକୃଷ୍ଣ ଶବର, ପଶ୍ଚିମ ଓଡ଼ିଶା ସଚିବ ନିରଞ୍ଜନ ବିଶି, କଳାହାଣ୍ଡି ଆଦିବାସୀ ଜିଲ୍ଲା ସଭାପତି ପରମାନନ୍ଦ ମାଝୀ, ପୂର୍ବତନ ସଭାପତି ସୋମନାଥ ଖମାରୀ, ପୂର୍ବତନ ବିଡିଓ ଚିତ୍ତରଞ୍ଜନ ବନଗୋଲା, ହୋମସିଂ ମାଝୀ, ହଜାରରୁ ଊର୍ଦ୍ଧ୍ବ ଆଦିବାସୀ ସାମିଲ ଥିଲେ।
The post ନୂଆପଡ଼ା ପୁଲିସ୍ର ନିଷ୍କ୍ରିୟତା ବିରୋଧରେ ତାତିଲେ ଆଦିବାସୀ, ଅସ୍ତ୍ରଶସ୍ତ୍ର ଧରି ଖଡ଼ିଆଳ ଥାନା ଘେରାଉ first appeared on Sambad.from ଜିଲ୍ଲା | Sambad https://ift.tt/3sxUNCB
0 Comments