
କଟକ: ପୁଣି ଓଡ଼ିଶା ଉପରେ ଏବେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆଖି। କଟକ ଓ ସମ୍ବଲପୁରରେ ପାକିସ୍ତାନୀ ଇସଲାମିକ୍ ଫୋରମର ସଦସ୍ୟ ଚାନ୍ଦା ଆଦାୟ କରୁଥିବାର ଆଭାସ ମିଳିଛି। ସଂଖ୍ୟାଲଘୁ ସଂପ୍ରଦାୟର ପିଲାଙ୍କ ମନରେ ଘୃଣା ଓ ହିଂସା ଭାବନା ଭର୍ତ୍ତି କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି। ଜମାତ-ଉଲ୍-ମୁଜାହିଦ୍ଦିନ ବାଙ୍ଗଲାଦେଶ(ଜେଏମବି)ର ସଦସ୍ୟ ଓଡ଼ିଶାକୁ ପଶି ଆସିଥିବା ସଂପର୍କରେ ଗଲା ଜୁଲାଇରେ ସୂଚନା ମିଳିଥିବା ବେଳେ ପୁଣି ଏବେ ଇସଲାମିକ୍ ଫୋରମର ଉପସ୍ଥିତି ଉଦ୍ବେଗର କାରଣ ହୋଇଛି। ରାଜ୍ୟ ଗୁଇନ୍ଦା ବିଭାଗ ଏଭଳି ଖବରକୁ ଗୁରୁତର ଭାବେ ଗ୍ରହଣ କରିଥିବା ବେଳେ ଚାନ୍ଦା ଆଦାୟ ନେଇ ଯେଉଁ ଖବର ଆସୁଛି, ସେ ନେଇ ଗୋପନୀୟ ଭାବେ ଅନୁସନ୍ଧାନ କରାଯାଉଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଅଲ୍-କଏଦା ଆତଙ୍କବାଦୀ ସଂଗଠନର ପ୍ରମୁଖ ସଦସ୍ୟ କଟକ ଜଗତପୁରର ଅବଦୁର ରହେମାନ ୨୦୧୫ ଡିସେମ୍ବର ୧୫ ତାରିଖରେ ଦିଲ୍ଲୀ ପୁଲିସ ହାତରେ ଗିରଫ ହେବା ପରେ ମଦ୍ରାସା କାରବାରକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ଆସିଥିଲା। ଅଲ୍-କଏଦା ମାଧ୍ୟମରେ ବିଲତେରୁଆଁରେ ୪ ଜଣ ମୌଲବୀଙ୍କୁ ନେଇ ମଦ୍ରାସା ଚଲାଯାଉଥିଲା। ଓଡ଼ିଶା ଓ ଝାଡ଼ଖଣ୍ଡର ସଂଖ୍ୟାଲଘୁ ସଂପ୍ରଦାୟର ୫ରୁ ୧୭ ବର୍ଷର ପିଲାଙ୍କୁ ରଖି ବନ୍ଧୁକ ଚଳାଇବା ତାଲିମ୍ ଦିଆଯାଉଥିଲା। ସେହି ସମୟରେ ପାଖାପାଖି ୮୫ ପିଲା ଉଦ୍ଧାର ହୋଇଥିବା ବେଳେ ଏବେ ପାକିସ୍ତାନୀ ଇସଲାମିକ୍ ଫୋରମର ମଦ୍ରାସା ମାଧ୍ୟମରେ ଚାନ୍ଦା ଆଦାୟ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। କଟକ ଓ ସମ୍ବଲପୁରର ନିର୍ଦ୍ଦିଷ୍ଟ ଭାବେ କେଉଁ ସ୍ଥାନରେ ଏମାନେ ମଦ୍ରାସା ଖୋଲି ଏଭଳି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି, ସେ ନେଇ କୌଣସି ସ୍ପଷ୍ଟ ସୂଚନା ଯଦିଓ ଏଯାଏ ମିଳିପାରି ନାହିଁ କିନ୍ତୁ ଏ ଦିଗରେ ଏବେ ଖୋଳତାଡ଼ ଆରମ୍ଭ ହୋଇଛି। କିନ୍ତୁ ଅବଦୁର ରହେମାନ ଭଳି ଜନବସତିଠାରୁ ଦୂରରେ ମୁଖ୍ୟତଃ ଆତଙ୍କବାଦ କାର୍ଯ୍ୟକଳାପରେ ଲିପ୍ତ ସଂଗଠନ ମଦ୍ରାସା ଖୋଲୁଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ପାକିସ୍ତାନୀ ଆତଙ୍କବାଦୀ ସଂଗଠନ କଟକ, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ ଓ ରାଉରକେଲାର ସଂଖ୍ୟାଲଘୁ ବହୁଳ ଅଞ୍ଚଳରେ ଆଶ୍ରୟ ନେଉଥିବା ବେଳେ ଏହି ଅଞ୍ଚଳରେ ଲୁଚିଲେ ସହଜରେ ଚିହ୍ନଟ ହୋଇପାରିବେ ନାହିଁ ବୋଲି କୁହାଯାଉଛି।
ଅନ୍ୟପଟେ ଓଡ଼ିଶାରେ ୧୫ରୁ ୨୦ ଆତଙ୍କବାଦୀ ସଂଗଠନ ସଦସ୍ୟ ସକ୍ରିୟ ଥିବା ପୂର୍ବରୁ ଅବସରପ୍ରାପ୍ତ ପୁଲିସ ଡିଜି ସଂଜୀବ ମାରିକଙ୍କ ବୟାନ ଚର୍ଚ୍ଚା ସୃଷ୍ଟି କରିଥିଲା। ଏବେ ପାକିସ୍ତାନୀ ଇସଲାମିକ ଫୋରମର ସଦସ୍ୟ ସକ୍ରିୟ ହେବା ପ୍ରସଂଗରେ ଶ୍ରୀ ମାରିକ କହିଛନ୍ତି ଯେ ଲସ୍କର-ଏ-ତୋଏବା ହୁଅନ୍ତୁ କି ପାକିସ୍ତାନୀ ଇସଲାମିକ୍ ଫୋରମ କିମ୍ବା ସିମି (ଷ୍ଟୁଡେଣ୍ଟ ଇସ୍ଲାମିକ୍ ମୁଭମେଣ୍ଟ ଅଫ୍ ଇଣ୍ତିଆ) ଭଳି ସଂଗଠନ। ଏମାନେ ମୁଖ୍ୟତଃ ପାକିସ୍ତାନରୁ ନିୟନ୍ତ୍ରଣ ହେଉଛନ୍ତି। ସେମାନଙ୍କ ଆଇଡୋଲଜି ହେଉଛି ମଦ୍ରାସା ମାଧ୍ୟମରେ ପିଲାଙ୍କ ବ୍ରେନ୍ ୱାସ୍ କରିବା। ମୁସଲିମଙ୍କୁ ଶୋଷଣ କରାଯାଉଛି। ମୁସଲିମ ମହିଳା ନିର୍ଯାତିତା ହେଉଛନ୍ତି:- ଏ ପ୍ରକାର ଧାରଣା ମଦ୍ରାସାରେ ପିଲାଙ୍କ ଭିତରେ ସେମାନେ ସୃଷ୍ଟି କରାଉଛନ୍ତି। ଜଗତପୁରରେ ଅବଦରୁ ରହେମାନ୍ ଓ ରାଉରକେଲାରେ ସିମି ପୂର୍ବରୁ ଧରାପଡ଼ିଥିବା ବେଳେ ରହେମାନ ମଦ୍ରାସା ମାଧ୍ୟମରେ ବିଭିନ୍ନ କାର୍ଯ୍ୟରେ ଲିପ୍ତ ରହିଥିବା ଶ୍ରୀ ମାରିକ କହିଛନ୍ତି।
The post ଓଡ଼ିଶା ଉପରେ ପାକିସ୍ତାନ ଆଖି: ସ୍କାନର୍ରେ ପାକିସ୍ତାନୀ ଇସଲାମିକ୍ ଫୋରମ୍ first appeared on Sambad.from ଜିଲ୍ଲା | Sambad https://ift.tt/2Wy0Fzx
0 Comments