
କାଳିଆପାଣି : ବିଶ୍ବ ଆଦିବାସୀ ଦିବସରେ ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ କାଙ୍କଡ଼ପାଳ ଛକରେ ସୋମବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ପୁଲିସ୍ ଭ୍ୟାନ୍ରେ କୋର୍ଟ୍ ଚାଲାଣ ହେଉଥିବା ୩ ଜଣ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଛଡ଼ାଇନେବା ଲାଗି ଗରାମିଆଁ ଗାଁର ସଂଘବଦ୍ଧ ଉତ୍ତ୍ୟକ୍ତ ଆଦିବାସୀ ପିଛାକଲେ। ପୁଲିସ୍ ଗାଡ଼ିକୁ ଅଧ କିଲୋମିଟର ପର୍ଯ୍ୟନ୍ତ ୧୦ରୁ ଅଧିକ ବାଇକ୍ରେ ଗୋଡ଼ାଇ କାଙ୍କଡ଼ପାଳ ହମ୍ପ୍ସ ଛକରେ ଉଭୟ ପାର୍ଶ୍ବରୁ ୨ଟି ବାଇକ୍ରେ ଆଡ଼ ପକାଇଥିଲେ। ହମ୍ପ୍ସ ପାଖରେ ବେଗ ହ୍ରାସ ହେବା ସୁଯୋଗରେ ଭ୍ୟାନ୍ ଆଗକୁ ମାଡ଼ିଯାଇ ଏଥିରେ ବସିଥିବା ସେହି ଗାଁର ୩ ଅଭିଯୁକ୍ତଙ୍କୁ ବଳପୂର୍ବକ ଛଡ଼ାଇନେବା ଉଦ୍ୟମ କରିଥିଲେ। ନିମିଷକ ମଧ୍ୟରେ ୫୦ ରୁ ଅଧିକ ମହିଳାଙ୍କ ସମେତ ଶତାଧିକ ଭ୍ୟାନ୍କୁ ଘେରି ଯାଇଥିଲେ। ଭ୍ୟାନ୍ରେ ଥିବା ୪ ପୁଲିସ ପ୍ରମାଦ ଗଣିବା ସହ ଉପାୟଶୂନ୍ୟ ହୋଇ ଥାନା ସହାୟତା ଲୋଡ଼ିଥିଲେ। ଥାନା ଅଧିକାରୀ ରମାକାନ୍ତ ମୁଦୁଲି ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ କୌଣସିମତେ ବୁଝାସୁଝା କରିବା ସହ ଉକ୍ତ ଭ୍ୟାନ୍କୁ ତା’ ବାଟରେ ଯିବାକୁ ଦେଇଥିଲେ। ସୌଭାଗ୍ୟକୁ ଉକ୍ତ ସ୍ଥାନଟି ଅଣଆଦିବାସୀ ଇଲାକା ହୋଇଥିବା ଓ କାଙ୍କଡ଼ପାଳ ଗ୍ରାମବାସୀ ପୁଲିସକୁ ସହାୟତା ପାଇଁ ଆଗେଇ ଆସିବାରୁ ପୁଲିସ ପାଇଁ ଏକ ବଡ଼ ଅଘଟଣ ଟଳି ଯାଇଥିଲା। ଘଣ୍ଟାଏ ଧରି ଖଣିଅଞ୍ଚଳ ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କ ଉପରେ ଦେଖିବାକୁ ମିଳିଥିବା ଏହି ହାଇଡ୍ରାମାକୁ ନେଇ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି।
ଗତ ୫ ତାରିଖ ରାତିରେ ଗରାମିଆଁ ଗାଁର ଜଣେ ସ୍ବାମୀ ପରିତ୍ୟକ୍ତ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ପୁଲିସ ଗତକାଲି ରାତିରେ ସେହି ଗାଁର ୨ ଜଣ ନାବାଳକ ସମେତ ୩ ଜଣ ଅଭିଯୁକ୍ତଙ୍କୁ ଉଠାଇ ଆଣିଥିଲା। ଏହାକୁ ନେଇ ଗତକାଲିଠୁ ଗାଁରେ ବାତାବରଣ ଉଷ୍ମ ରହିଥିଲା। ପୁଲିସ କାର୍ଯ୍ୟାନୁଷ୍ଠାନକୁ ଦୃଢ଼ ବିରୋଧ କରାଯାଇଥିଲା। ପୂର୍ବରୁ ଗାଁରେ ଏକଘରିଆ ହୋଇଥିବା ଅଭିଯୋଗକାରିଣୀ ମହିଳାଙ୍କ କାର୍ଯ୍ୟକଳାପକୁ ଭିନ୍ନ ଦୃଷ୍ଟିରେ ଦେଖୁଥିବା ଗ୍ରାମବାସୀ ଘଟଣାକ୍ରମକୁ ମନଗଢ଼ା କାହାଣୀ ବୋଲି ଅଭିହିତ କରିଥିଲେ। ତେବେ ଅଭିଯୁକ୍ତମାନେ ଗିରଫ ହୋଇଥିବା ଓ ଆଜି କୋର୍ଟ ଚାଲାଣ ହେଉଥିବା ଖବର ମିଳିବା ପରେ ଗରାମିଆଁରେ ଆଦିବାସୀ ମେଳି ଦେଖିବାକୁ ମିଳିଥିଲା। କାଳିଆପାଣିରେ ଅନୁଷ୍ଠିତ ବିଶ୍ବ ଆଦିବାସୀ ଦିବସକୁ ନ’ଆସି ସ୍ବତନ୍ତ୍ର ବୈଠକରେ ରଣନୀତି ପ୍ରସ୍ତୁତ ହୋଇଥିଲା। ହେଲେ ପୁଲିସ ଏହାର ଟେର୍ ପାଇନଥିଲା। ଅନ୍ୟଥା ଅଭିଯୁକ୍ତମାନଙ୍କୁ ଟମକା ବାଟରେ କୋର୍ଟ ପଠାଇ ପାରିଥାନ୍ତା।
ପୁଲିସ ଭ୍ୟାନରେ ଅଭିଯୁକ୍ତମାନେ ବସିବା ମାତ୍ରେ ଗାଁକୁ ଖବର ଯାଇଥିଲା। ଗ୍ରାମବାସୀ ସଜାଗ ହୋଇଯାଇଥିଲେ। ଗରାମିଆଁ ଛକରେ ଲୋକେ ପ୍ରଥମେ ପୁଲିସ ଭ୍ୟାନକୁ ଅଟକାଇବା ଉଦ୍ୟମ କରିଥିଲେ। ଚାଳକ ଦ୍ରୁତଗତିରେ ଭ୍ୟାନ୍ ଚଳାଇ ଲୋକଙ୍କ ମେଳରୁ ମୁକ୍ତି ଖୋଜିଥିଲେ। ତେବେ କାଙ୍କଡ଼ପାଳ ହମ୍ପ୍ସ ପୁଲିସକୁ ହରଡ଼ଘଣାରେ ପକାଇ ଦେଇଥିଲା।
The post ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଛଡ଼ାଇ ନେବାକୁ ପୁଲିସ ଭ୍ୟାନ୍ ଅଟକାଇଲେ ଉତ୍ତ୍ୟକ୍ତ ଲୋକେ first appeared on Sambad.from ଜିଲ୍ଲା | Sambad https://ift.tt/3lNCyrq
0 Comments