ନବରଙ୍ଗପୁର : ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି ନବରଙ୍ଗପୁର ଆର୍‌ଡବ୍ଲୁଏସ୍‌ଏସ୍‌ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ସୁମିତ କୁମାର। ଠିକା କାମର ଚୁକ୍ତି ପାଇଁ ଏହି ଟଙ୍କା ନେଉଥିବାବେଳେ ଚଢ଼ଉ କରି ତାଙ୍କୁ ଗିରଫ କରିଛି ଭିଜିଲାନସ୍‌। ପଚରାଉଚୁରା ଚାଲିଛି ଏବଂ କାଗଜପତ୍ର କାମ ସରିବା ପରେ କୋର୍ଟଚାଲାଣ କରାଯିବ ବୋଲି ଭିଜିଲାନସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ (ଆରଡବ୍ଲୁଏସ୍‌ଏସ୍‌) ପକ୍ଷରୁ ଉମରକୋଟ ବ୍ଲକ୍ ଅନ୍ତର୍ଗତ ଉମଗାଁ ଠାରେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଓ ରକ୍ଷଣାବେକ୍ଷଣ ପାଇଁ ୧ କୋଟି ୬୭ ଲକ୍ଷ ୫୭ ହଜାର ଟଙ୍କାର ଟେଣ୍ଡର ହୋଇଥିଲା। ଆବେଦନ କରି ଏହି ଟେଣ୍ଡର ଠିକାଦାର ନବୀନ ନାୟକ ପାଇଥିଲେ। କିନ୍ତୁ ଦିନପରେ ଦିନ ଗଡ଼ି ଚାଲିଲା ହେଲେ ଚୁକ୍ତି ହୋଇପାରି ନଥିଲା। ତେଣୁ କାମ ଆରମ୍ଭ କରିପାରୁ ନଥିଲେ ସଂପୃକ୍ତ ଠିକାଦାର। ଅନେକଥର ନିବେଦନ କରିବା ପରେ ଶେଷରେ ବିଭାଗୀୟ ଆକାଉଣ୍ଟାଣ୍ଟ ୨୦ହଜାର ଟଙ୍କା ଲାଞ୍ଚ ଆକାରରେ ଦେଲେ ଚୁକ୍ତି କରାଇ ଦେବାକୁ କହିଥିଲେ। ପୂର୍ବ ଯୋଜନା ଅନୁଯାୟୀ ସୁମିତ ଆଜି ଠିକାଦାରଙ୍କଠାରୁ ଏହି ଲାଞ୍ଚ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ଧରିିଥିଲା।

The post ଭିଜିଲାନ୍ସ ଜାଲରେ ଆରଡବ୍ଲୁଏସ୍ଏସ୍ ଆକାଉଣ୍ଟାଣ୍ଟ first appeared on Sambad.

from ଜିଲ୍ଲା | Sambad https://ift.tt/3fYKvGk