
କଟକ : ଓଡ଼ିଶା ପୁଲିସର ୪ଜଣ ଅଧିକାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ପଦକ ପାଇଁ ଚୟନ କରାଯାଇଛି। ବିଭିନ୍ନ ମାମଲାର ସଠିକ୍ ତଦନ୍ତ ଓ ସଫଳତା ପାଇଁ ସେମାନଙ୍କୁ ସମ୍ମାନିତ କରାଯିବ ବୋଲି ଜଣାପଡ଼ିଛି।
ଏହି ଅଧିକାରୀମାନେ ହେଲେ, ଓଡ଼ିଶା ପୁଲିସରେ ଡିଏ୍ସପି ଭାବେ କାର୍ଯ୍ୟରତ ଦେବେନ୍ଦ୍ର କୁମାର ମଲ୍ଲିକ, ଇନ୍ସପେକ୍ଟର ଦେବେନ୍ଦ୍ର କୁମାର ବିଶ୍ବାଳ, ଇନ୍ସପେକ୍ଟର ତୃପ୍ତିରଂଜନ ନାୟକ ଓ ଇନ୍ସପେକ୍ଟର ଶ୍ରୀକାନ୍ତ ସାହୁ। ଡିଏସ୍ପି ଶ୍ରୀ ମଲ୍ଲିକ ସାଲେପୁର ଅଞ୍ଚଳର ଜଣେ ୬ବର୍ଷର ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ଘଟଣାର ତଦନ୍ତ କରି ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ। ତାଙ୍କର ସଠିକ୍ ସମୟାନୁସାରେ ତଦନ୍ତ ପାଇଁ ଏହି ମାମଲାରେ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇପାରିଛି। ସେ ୧୯୯୯ରେ ପୁଲିସ୍ ଏସ୍ଆଇ ଭାବ କାର୍ଯ୍ୟରେ ଯୋଗଦେଇଥିଲେ। ସେ ଦୀର୍ଘ ୨୨ ବର୍ଷ ଧରି ଓଡ଼ିଶା ପୁଲିସରେ ସେବା ଯୋଗାଇ ଆସୁଛନ୍ତି। ଦେବେନ୍ଦ୍ର କୁମାର ବିଶ୍ବାଳ ଭୁବନେଶ୍ବରର ଏକ ମୁଣ୍ଡବିହୀନ ଅର୍ଦ୍ଧନଗ୍ନ ମୃତ ଶରୀର ମାମଲାର ତଦନ୍ତ କରି ସଫଳତା ପାଇଥିଲେ। ସେ ୨୦୦୮ରେ ଏସ୍ଆଇ ପୁଲିସ ଭାବେ ଚାକିରି ଆରମ୍ଭ କରିଥିଲେ। ସେ ୧୩ ବର୍ଷ ଧରି ସେବା ଯୋଗାଇ ଆସୁଛନ୍ତି। ସେହିଭଳି, ତୃପ୍ତିରଂଜନ ନାୟକ କଳାହାଣ୍ଡିର ବିଭିନ୍ନ ମାମଲାରେ ତଦନ୍ତ କରି ସଫଳତା ପାଇଥିବାରୁ ତାଙ୍କୁ ଏଥିପାଇଁ ମନୋନୀତ କରାଯାଇଛି। ଇନସପେକ୍ଟର ଶ୍ରୀକାନ୍ତ ସାହୁ କେନ୍ଦୁଝର ଜିଲ୍ଲାର ତିନୋଟି ହତ୍ୟା ମାମଲାରେ ସଫଳତା ହାସଲ କରିଛନ୍ତି। ଉଭୟ ୨୦୧୦ରେ ଓଡ଼ିଶା ପୁଲିସରେ ଯୋଗଦେଇଥିଲେ। ଉଭୟ ଦୀର୍ଘ ୧୦ ବର୍ଷ ହେବ ଓଡ଼ିଶା ପୁଲିସରେ ନିଷ୍ଠାପର ଭାବେ ସେବା ଯୋଗାଇ ଆସୁଛନ୍ତି।
The post ରାଜ୍ୟର ୪ ପୁଲିସ ଅଧିକାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ପଦକ first appeared on Sambad.from ଜିଲ୍ଲା | Sambad https://ift.tt/3ACQKrd
0 Comments