ଦଶରଥପୁୁର : ମଙ୍ଗଳପୁର ଥାନା ଅଞ୍ଚଳରେ ପୁଣି ଜଣେ କଲେଜ ଛାତ୍ରଙ୍କ ସହ ତାଙ୍କ ବୃଦ୍ଧା ଜେଜେମା’ ଓ ବିବାହିତ ପିଉସୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ମଙ୍ଗଳପୁର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ କରୁ ନଥିବାରୁ ପୀଡ଼ିତ ପରିବାର ଆଜି ଯାଜପୁର ଏସ୍‌ପିଙ୍କୁ ଭେଟି ନ୍ୟାୟ ଭିକ୍ଷାକରିଛନ୍ତି। ଏହି ଥାନା ଅନ୍ତର୍ଗତ ଛଞ୍ଚିଣା ପଞ୍ଚାୟତ ହୋସନପୁର ଗ୍ରାମରେ ଏପରି ଅଭିଯୋଗ ହୋଇଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଗ୍ରାମର ସନ୍ଦିପ କୁମାର ଭୂୟାଁ(୧୭)ଙ୍କ ସମେତ ତାଙ୍କ ଜେଜେମା’ ଓ ପିଉସୀଙ୍କୁ ମାଡ଼ ମାରିବା ସହ କିଛି ଲୋକ ତାଙ୍କ ବାଇକ୍‌କୁ ଭାଙ୍ଗି ଦେଇଛନ୍ତି। ଗତ ଶନିବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ସନ୍ଦିପ ବଉଳାଙ୍ଗ ଛକରୁ ବାଇକ୍‌ରେ ଘରକୁ ଫେରୁଥିଲେ। ଆରୁହା ନିକଟରେ ଜଣେ ବ୍ୟକ୍ତି ସନ୍ଦିପଙ୍କୁ ରାସ୍ତାରେ ଅଟକାଇ ବାଇକ୍‌ର ଚାବି କାଢ଼ି ନେଇଥିଲେ। ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ କିଛି ସହଯୋଗୀ ସନ୍ଦିପଙ୍କୁ ଗାଲିଗୁଲଜ କରିବା ସହିତ ନିସ୍ତୁକ ମାଡ଼ ମାରିଥିଲେ। ଅଭିଯୁକ୍ତମାନେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ୍‌ ଦେଇଥିଲେ ବୋଲି ସନ୍ଦିପ ମଙ୍ଗଳପୁର ଥାନାରେ ଅଭିଯୋଗ କରିଥିଲେ।

ଥାନାରେ ଅଭିଯୋଗ କରିଥିବା ଜାଣିବା ପରେ ଅଭିଯୁକ୍ତମାନେ ଗତ ଶନିବାର ତାଙ୍କ ଘରେ ପହଞ୍ଚି ଖୋଜିଥିଲେ। ସନ୍ଦିପ ଓ ତାଙ୍କ ଜେଜେମା’ଙ୍କୁ ଥାନାରୁ ଅଭିଯୋଗ ଉଠାଇ ଆଣିବାକୁ ଚେତାବନୀ ଦେବା ସହିତ ଘରର ଗେଟ୍ ଓ ବାଡ଼କୁ ଭାଙ୍ଗି ଦେଇଥିଲେ। ଏହି ସମୟରେ ସନ୍ଦିପଙ୍କ ପିଉସୀ ସୁଜାତା ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ସେମାନଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏହାକୁ ନେଇ ସୁଜାତା ମଙ୍ଗଳପୁର ଥାନାରେ ପୁଣି ଅଭିଯୋଗ କରିଥିଲେ ମଧ୍ୟ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ କରୁନାହିଁ। ଫଳରେ ପରିବାର ଲୋକେ ଆଜି ଯାଜପୁର ଏସ୍‌ପିଙ୍କୁ ଭେଟି ଅଭି‌ଯୋଗ କରିବା ସହ ନ୍ୟାୟ ଭିକ୍ଷା କରିଛନ୍ତି।

The post କଲେଜ ଛାତ୍ରଙ୍କୁ ପ୍ରାଣାନ୍ତକ ଆକ୍ରମଣ, ବୃଦ୍ଧା ଜେଜେମା’ ଓ ପିଉସୀଙ୍କୁ ବି ନିସ୍ତୁକ ମାଡ଼ first appeared on Sambad.

from ଜିଲ୍ଲା | Sambad https://ift.tt/3sY2p1c