ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ କାନକୁଟରୁ ପଞ୍ଚାୟତ ତାଲସୁର ଗାଁରେ ବ୍ରଜପାତରେ ୧୪ଟି ବଳଦଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ବିଶ୍ୱନାଥପୁର ମେଡିକାଲରେ ଆହତଙ୍କୁ ଭର୍ତ୍ତି କରାଯାଇଛି। ଏଭଳି ଅଭାବନୀୟ ଘଟଣା ପରେ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି।

ସୂଚନାନୁସାରେ ଶୁକ୍ରବାର ସକାଳୁ ଗାଈ ଚରାଳି ବୁଡୁ ମାଝୀ ତାଲସୁର ଗାଁର ଲୋକଙ୍କ ବଳଦକୁ ନିକଟସ୍ଥ ଜଙ୍ଗଲକୁ ଚରାଇବା ପାଇଁ ନେଇଥିଲେ। ତାଙ୍କ ସହିତ କିଛି ପିଲା ନିଜ ନିଜ ବଳଦ ଚରାଇ ଯାଇଥିଲେ। ଅପରାହ୍ନ ୩ଟାରେ ବର୍ଷା ଯୋଗୁଁ ସମସ୍ତ ବଳଦକୁ ଗୋଟିଏ ଗଛ ମୂଳରେ ଗୋଠ କରିଥିଲେ। ଏହି ସମୟରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାରୁ ୧୪ଟି ବଳଦଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟପଟେ ଗାଈ ଚରାଳିଙ୍କ ସମେତ ୬ଜଣ ଆହତ ହୋଇଥିଲେ। ଆହତମାନେ ହେଲେ ପରମେଶ୍ବର ମାଝୀ (୧୪), ଦାମୋଦର ମାଝୀ (୧୦), ସଞ୍ଜୁ ମାଝୀ(୯), ଗୌତମ ମାଝୀ (୭) ନିରନ୍ତି ମାଝୀ (୧୨) ଓ ଗାଈ ଚରାଳି ବୁଡୁ ମାଝୀ। ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ବିଶ୍ୱନାଥପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ୩ଜଣ ନାବାଳକ ଓ ୨ଜଣ ନାବାଳିକା ଅଛନ୍ତି। ପରମେଶ୍ବର ମାଝୀ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ମୃତ ୧୪ଟି ବଳଦ ମଧ୍ୟରୁ ଗୁଣନିଧି ବିଭାରଙ୍କ ୧ଟି, ଲାଖନା ମାଝୀଙ୍କ ୨ଟି, ଗଣପତି ହରିଜନଙ୍କ ୧ଟି, ଦୟାନିଧି ବିଭାରଙ୍କ ୧ଟି, ଦମେରାଜ ମାଝୀଙ୍କ ୨ଟି, ରତ୍ନ ମାଝୀଙ୍କ ୧ଟି, ରମେଶ ମାଝୀଙ୍କ ୧ଟି, ଲାଖନୁ ମାଝୀଙ୍କ ୧ଟି, ଡ୍ରାକି ମାଝୀଙ୍କ ୧ ଟି, ବିର ମାଝୀଙ୍କ ୨ଟି ଓ ରାମଜି ବିଭାରଙ୍କ ୨ଟି ବୋଲି ଜଣାପଡ଼ିଛି।

ତେବେ, ପ୍ରାଣୀ ସମ୍ପଦ ବିଭାଗର କର୍ମଚାରୀ କିମ୍ବା କୌଣସି ପ୍ରାଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଚାଷ କାର୍ଯ୍ୟ ସମୟରେ ବଳଦଙ୍କ ବଜ୍ରପାତରେ ମୃତ୍ୟୁ ହେବାରୁ ଅନେକ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ସରକାର ଚାଷୀମାନଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହୋଇଛି।

The post ବଜ୍ରପାତରେ ୧୪ ବଳଦ ମୃତ, ଗାଈ ଚରାଳିଙ୍କ ସମେତ ୬ ଆହତ first appeared on Sambad.

from ଜିଲ୍ଲା | Sambad https://ift.tt/3z9mLa7