ଲରମ୍ଭା : ବଲାଙ୍ଗୀର ଜିଲ୍ଲାରେ ଅସଲି ଜମିରେ ନକଲି ଚାଷୀ ସାଜି ବୀମା କରାଇ ନେଇଥିବା କିଛି ଲୋକଙ୍କୁ ପୁଲିସ ଗିରଫ କରି ଜେଲ୍‌ ପଠାଇଛି। ଏବେ ପାଟଣାଗଡ଼ ଥାନା ସୁନାମୁଦି ପଞ୍ଚାୟତରୁ ଏପରି ଆଉ ଏକ ଅଭିଯୋଗ ଆସିଛି। ଅନ୍ୟ ଚାଷୀଙ୍କ ଜମି ଦେଖାଇ ନକଲି ଚାଷୀ କୃଷିବୀମା କରାଇବା ବ୍ୟାଙ୍କରୁ ଋଣ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଏନେଇ ପାଟଣାଗଡ଼ ଥାନାରେ ମାମଲା ରୁଜୁ ହୋଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ନକ୍ଟାସର ଗାଁର କପିଳ ପଟେଲ ଓ ତାଙ୍କ ଭାଇ ହର ପଟେଲଙ୍କ ଖାତା ନଂ ୧୧, ପ୍ଲଟ୍‌ ନଂ ୧୬୭ ଓ ୧୬୮ରେ ଉକ୍ତ ଗାଁର ଅରବିନ୍ଦ ପଟେଲ ଉଭୟଙ୍କ ଅଜାଣତରେ ନକଲି କୃଷିବୀମା କରାଇବା ସହ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଭଇଁଷା ଶାଖାରୁ ୯୯ ହଜାର ଟଙ୍କା ଋଣ ଉଠାଇ ନେଇଛନ୍ତି। ଏ ସଂପର୍କରେ କପିଳ ପଟେଲ ଜାଣିବା ପରେ ଥାନାରେ ଏତଲା ଦେଇଛନ୍ତି। ସେମାନଙ୍କ ଦସ୍ତଖତ ଜାଲିଆତି କରି ଏଭଳି ଚଞ୍ଚକତା କରାଯାଇଛି ବୋଲି ଏତଲାରେ ଦର୍ଶାଇଛନ୍ତି। ପାଟଣାଗଡ଼ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ବୋଲି ଥାନାଧିକାରୀ ଅନନ୍ତ ପଧାନ ସୂଚନା ଦେଇଛନ୍ତି। ଶୁକ୍ରବାର ଭଇଁଷା ୟୁଜିବିକୁ ଯାଇ ଯାଇ ତଦନ୍ତ କରିବା ପରେ ସତ ଜଣାପଡ଼ିବ ବୋଲି ସେ ପ୍ରକାଶ କରିଛନ୍ତି।

The post ଅସଲି ଜମିରେ ନକଲି ଚାଷୀଙ୍କ କାରନାମା: କୃଷିବୀମା କରାଇଲେ, ଋଣ ବି ଉଠାଇଲେ first appeared on Sambad.

from ଜିଲ୍ଲା | Sambad https://ift.tt/3D0Yp4C