ରସୁଲପୁର : ରସୁଲପୁର ବ୍ଲକ୍‌ରେ ସ୍ମାର୍ଟ ସ୍କୁଲ ଯୋଜନାରେ ପ୍ରଥମାଖଣ୍ତ ପଞ୍ଚାୟତର ହିଙ୍ଗୁଳା ଗୋପାଳ ପଣ୍ତା ହାଇସ୍କୁଲରେ କାମ ଆରମ୍ଭ ହୋଇଛି। କାମ ଆରମ୍ଭ ହେଉଣୁ ଏହାକୁ ନେଇ ବିବାଦ ଦେଖାଦେଲାଣି। ବିଶେଷକରି ଖେଳପଡ଼ିଆ ଉନ୍ନତୀକରଣ କାମକୁ ନେଇ ଥାନା‌ରେ ଅଭିଯୋଗ ହେଲାଣି। ବିଦ୍ୟାଳୟର ଖେଳ ପଡିଆକୁ ଉଚ୍ଚ କରିବା ପାଇଁ ଏହା ଉପରେ ମାଟି ପକାଇବା କାମ ଚାଲିଛି। ପ୍ରଥମେ ବାଲି ପଡ଼ିଛି। ତା’ ଉପରେ ମାଟି ପକାଇ ଉଚ୍ଚ କରାଯିବାର ଯୋଜନା ରହିଛି। ଆଶ୍ଚର୍ଯ୍ୟଜନକ ଭାବେ ପଡିଆରେ ୨୦ ଫୁଟ ଲମ୍ବ, ୧୦ ଫୁଟ ପ୍ରସ୍ଥ ଓ ପ୍ରାୟ ୧୦ଫୁଟ ଗଭୀରର ୫ଟି ଗାତ ଖୋଳି ସେହି ମାଟିକୁ ପଡ଼ିଆରେ ପଡ଼ିଥିବା ବାଲି ଉପରେ ପକାଯାଇଛି। ଏହି ଗାତଗୁଡ଼ିକୁ ବାଲି ଦ୍ବାରା ପୋତାଯାଉଛି। ଏଠାରୁ ବାହାରୁଥିବା ମାଟିକୁ ପଡ଼ିଆରେ ପକାଇବା ସହିତ ବାହାରେ ବିକ୍ରି କରାଯାଉଛି। ଏ ସଂପର୍କରେ ଜଣେ ପୁରାତନ ଛାତ୍ର କୁଆଖିଆ ଥାନାରେ ଅଭିଯୋଗ କରିଛନ୍ତି।

ପ୍ରଧାନଶିକ୍ଷକ କମଳ ଲୋଚନ ପଣ୍ତା ବାହାରକୁ ମାଟି ଯାଇଥିବା କଥାକୁ ସ୍ବୀକାର କରିଛନ୍ତି। କିଏ ମାଟି ତାଡ଼ିଛି ସେ ସଂପର୍କରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ। ସ୍ମାର୍ଟ ସ୍କୁଲ୍ ଯୋଜନାରେ ହେଉଥିବା କାମ ସଂପର୍କରେ ତାଙ୍କ ସହିତ କେହି ଆଲୋଚନା କରି ନଥିବା ସେ କହିଛନ୍ତି। ଏହି ମାଟି ଖୋଳା ସଂପର୍କରେ ବିଦ୍ୟାଳୟ କମିଟିର ବୈଠକ ଡକାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଅମର ପ୍ରଧାନ ମଧ୍ୟ ସମାନ ମତ ଦେଇଛନ୍ତି। ଆସନ୍ତାକାଲି ସେ ତଦନ୍ତରେ ଯିବେ ବୋଲି କସପା ରାଜସ୍ବ ନିରୀକ୍ଷକ ସନ୍ତୋଷ ପରିଡ଼ା କହିଛନ୍ତି। ଉନ୍ନତୀକରଣ ନାଁରେ ରାତିଅଧିଆ ବିଦ୍ୟାଳୟ ଖେଳପଡିଆରୁ ମାଟି ଖୋଳି ବିକ୍ରି କରିବାକୁ ବହୁ ପୁରାତନ ଛାତ୍ର ତଥା ଗ୍ରାମବାସୀ ବିରୋଧ କରିଛନ୍ତି।

The post ସ୍ମାର୍ଟ ସ୍କୁଲ୍ ଯୋଜନା: ବିଦ୍ୟାଳୟ ଖେଳପଡିଆରୁ ମାଟି ଖୋଳି ରାତିଅଧିଆ ଚାଲାଣ first appeared on Sambad.

from ଜିଲ୍ଲା | Sambad https://ift.tt/3gb03H4