ରାଇସୁଆଁ  : ତେଲକୋଇ ବ୍ଲକ୍‌ ଶିରିଗିଡ଼ା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବ୍ୟାପକ ଅନିୟମିତତା ନେଇ ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଶତାଧିକ ପୁରୁଷ ଓ ମହିଳା ସ୍ଥାନୀୟ ସରପଞ୍ଚ ଜିଙ୍ଗପାଟ ପିଙ୍ଗୁଆଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଥିଲେ।

ସୂଚନାଯୋଗ୍ୟ, ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଓ ୱାର୍ଡସଭ୍ୟମାନେ ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସରପଞ୍ଚ କାର୍ଯ୍ୟକ୍ରମ ସାରି ଘରକୁ ବାହାରୁଥିବା ବେଳେ ତାଙ୍କୁ ଲୋକେ ଅଟକାଇ କାର୍ଯ୍ୟାଳୟ‌ରେ ତାଲା ପକାଇ ଦେଇଥିଲେ। ୨୦୧୮-୧୯ ମସିହାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ତାଲିକାରେ କିଛି ହିତାଧିକାରୀଙ୍କ ନାମ ଥାଇ ମଧ୍ୟ ସେମାନେ ଘର ପାଇନାହାନ୍ତି। ୨୦୨୧-୨୨ର ହିତାଧିକାରୀ ତାଲିକାରେ ଯୋଗ୍ୟ ଲୋକଙ୍କ ନାମ ନଥିବା ଜଣାଯାଇଛି। ଅନ୍ୟପକ୍ଷରେ ଅଯୋଗ୍ୟ ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇଛି। ଏନେଇ ଲୋକେ ଦୁଇଦିନ ତଳେ ଜିଲ୍ଲାପାଳ ଓ ତେଲକୋଇ ବିଡିଓଙ୍କୁ ଜଣାଇଥିଲେ।

ଏହି ସମସ୍ୟା ନେଇ ସରପଞ୍ଚ ଶ୍ରୀମତୀ ପିଙ୍ଗୁଆଙ୍କ ସହ ପଞ୍ଚାୟତବାସୀ ଆଲୋଚନା କରିଥିଲେ। ସରପଞ୍ଚଙ୍କଠାରୁ କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବାରୁ ତାଙ୍କୁ ତାଲା ପକାଇ ଦେଇଥିଲେ। ଖବର ପାଇ ତେଲକୋଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଧାରଣାରେ ବସିଥିବା ଲୋକଙ୍କୁ ବୁଝାସୁଝା କରିଥିଲା। ଦୀର୍ଘ ୮ଘଣ୍ଟା ପରେ ସରପଞ୍ଚଙ୍କୁ ଉଦ୍ଧାର କରାଯାଇଥିଲା।

The post ସରପଞ୍ଚଙ୍କୁ ତାଲା ଠୁଙ୍କିଲେ ଗ୍ରାମବାସୀ first appeared on Sambad.

from ଜିଲ୍ଲା | Sambad https://ift.tt/3yRLUGk