
ବଣାଇଗଡ଼ : ସୁନ୍ଦରଗଡ଼ ସରକାରୀ ଅର୍ଥକୁ କିପରି ମନମୁଖି ଭାବେ ବରବାଦ କରାଯାଉଛି ତାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗୁରୁଣ୍ତିଆ ବ୍ଲକର ବାଙ୍କୀ ବନାଂଚଳରେ ଥିବା ଦେଓଦରହ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀକୁ ସଂଯୋଗ ହୋଇଥିବା ରାସ୍ତାକାମରେ। ଗତ ୫ ମାସ ତଳେ ଦେଓଦରହ ଜଳପ୍ରପାତକୁ ରାସ୍ତା ନିର୍ମାଣ ପାଇଁ ୪ କୋଟି ୮୨ ଲକ୍ଷ ଟଙ୍କା ଜିଲ୍ଲା ମଞ୍ଜୁର କରାଯାଇ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ମାତ୍ର କାମ ପାଇବା ପାଇଁ ଠିକାଦାର ଏହାକୁ ଖୋଳି ଦେଇଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଫଳରେ ୨୫ ଲକ୍ଷ ଟଙ୍କାର ରାସ୍ତା ବରବାଦ ହେବା ସହ ୫ ମାସ ହେବ ଠିକା ସଂସ୍ଥା ରାସ୍ତାକୁ ଖୋଳି ଦେଇ ଆଉ ନିର୍ମାଣ କାର୍ଯ୍ୟ କରିପାରୁ ନାହିଁ। ତେବେ ରାସ୍ତାକଡ଼ର ଗଛ କାଟିବା ପାଇଁ ବନବିଭାଗ ପକ୍ଷରୁ ଅନୁମତି ମିଳି ନଥିବାରୁ ଏହି ରାସ୍ତା କାର୍ଯ୍ୟ ଆଗେଇ ପାରୁନାହିଁ ବୋଲି କୁହାଯାଉଛି।
ପ୍ରକାଶ ଯେ, ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଦେଓଦରହ ବଣଭୋଜି ସ୍ଥଳକୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ରାସ୍ତା ନିର୍ମାଣ କରାଯିବାକୁ ଯୋଜନା ହୋଇଥିଲା। ୧୪୩ ନମ୍ବର ଜାତୀୟ ରାଜପଥ ମଧୁପୁର ଛକରୁ ଅଙ୍ଗାରପଡ଼ା ଗ୍ରାମ ପର୍ଯ୍ୟନ୍ତ ଜଙ୍ଗଲ ବିଭାଗର ୪.୪ କିଲୋମିଟର ରାସ୍ତା ଲମ୍ବିଥିବାବେଳେ ଏହି ରାସ୍ତାର ଆରମ୍ଭରୁ ପ୍ରାୟ ୨ କିଲୋମିଟର ରାସ୍ତାକୁ ଗତ ୫ ବର୍ଷ ତଳେ ଆଇଏପି ଯୋଜନାରେ ୨୫ ଲକ୍ଷ ଟଙ୍କା ବିନିମୟରେ ନୂତନ କଂକ୍ରିଟ କାର୍ଯ୍ୟ ବନବିଭାଗ ଦ୍ବାରା କରାଯାଇଥିଲା। ବର୍ତ୍ତମାନ ଏହି ରାସ୍ତାଟି ସମ୍ପୂର୍ଣ୍ଣ ଠିକ୍ ରହିଥିବାବେଳେ ପୁନର୍ବାର ଏହି ରାସ୍ତାଟିକୁ ନୂତନ ଭାବେ ନିର୍ମାଣ କରିବା ପାଇଁ ୪ କୋଟି ୧୭ ଲକ୍ଷ ୮୨ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ନୂଆଦିଲ୍ଲୀର ଇଞ୍ଜିନିୟରିଂ ପ୍ରୋଜେକ୍ଟ ଇଣ୍ତିଆ ଲିମିଟେଡ୍ ନାମକ ଠିକାସଂସ୍ଥା କାର୍ଯ୍ୟାଦେଶ ପାଇଥିବାବେଳେ ଏଥିପାଇଁ ପ୍ରଥମ ଦଫାରେ ୨ କୋଟି ୮୮ ଲକ୍ଷ ଟଙ୍କାର କାର୍ଯ୍ୟ ଗତ କିଛି ଦିନ ତଳେ ଆରମ୍ଭ କରାଯାଇଛି। ଇକୋଟୁରିଜିମ କାର୍ଯ୍ୟକରିବା ପାଇଁ ପୂର୍ବରୁ ନିର୍ମାଣ ହୋଇଥିବା ଏହି ଭଲରାସ୍ତାକୁ ଖୋଳି ଦିଆଯାଇଛି। ସରକାରଙ୍କ ନିୟମାନୁଯାଇ କୌଣସି କଂକ୍ରିଟ ରାସ୍ତାର ଆୟୁଷ ଅତିକମ୍ରେ ୧୦ ବର୍ଷ ରହିଥିବାବେଳେ କିପରି ଭାବେ ୫ ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ଏହି ରାସ୍ତାକୁ ଭାଙ୍ଗି ସମ୍ପ୍ରସାରଣ କରୁଛନ୍ତି, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି।
ରାସ୍ତାର ସମ୍ପ୍ରସାରଣ ପାଇଁ ପାହାଡ଼ କାଟିବା ସହ ଦୁଇଟି ଗାଡ଼ି ଯାତାୟାତ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲେ ରାସ୍ତାଟି ଅଧିକ ଉନ୍ନତମାନର ହୋଇଥାନ୍ତା। ପ୍ରଶାସନର ଅପରିଣାମଦର୍ଶିତା ପାଇଁ ଟଙ୍କା ସବୁ ପାଣିରେ ପଡ଼ିଲା ବୋଲି ଅଭିଯୋଗ ହେଉଛି। ଏହାର ଉଚିତ ତଦନ୍ତ କରାଯାଇ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି ଜଣାଇଛନ୍ତି। ଏ ବିଷୟରେ ବାଙ୍କୀ ବନାଂଚଳ ଅଧିକାରୀ ଅଜୟ ଖେସଙ୍କୁ ଯୋଗାଯୋଗ କରିବାରୁ ଏହି କାର୍ଯ୍ୟ ବନବିଭାଗର ନୁହେଁ, ଇକୋଟୁରିଜିମ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟ କରାଯାଉଛି ବୋଲି କହିଛନ୍ତି।
The post ୫ କୋଟିର ରାସ୍ତା ଦେଖିଲାନି ଦେଓଦରହ ପର୍ଯ୍ୟଟନସ୍ଥଳୀ first appeared on Sambad.from ଜିଲ୍ଲା | Sambad https://ift.tt/37sF4Lr
0 Comments