ମହାନଦୀବିହାର: ସିଏମସି ୪୩ ନମ୍ବର ୱାର୍ଡ ଅନ୍ତର୍ଗତ ନୀଳାଦ୍ରିବିହାର ଅଞ୍ଚଳରେ ଜାଇକାର ବେପରୱା କାର୍ଯ୍ୟ ପାଇଁ ଜନଅସନ୍ତୋଷ ଦେଖା ଦେଇଛି। ଏହି ଅଞ୍ଚଳରେ ୬ ମାସ ହେବ ଜାଇକା ପକ୍ଷରୁ କରାଯାଉଥିବା ସ୍ବେରେଜ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିଛି। କଂକ୍ରିଟ ରାସ୍ତାକୁ ଖୋଳି ଜାଇକା ଛାଡି ଦେଇଛି। ରାସ୍ତା ତଳ ଦେଇ ଯାଇଥିବା କେତେକ ଘରର ଡ୍ରେନ୍ ପାଇପ ଜାଇକା କାର୍ଯ୍ୟ ବେଳେ ଭାଙ୍ଗି ଦିଆଯାଇଛି। ଆଉ କେତେକ ସ୍ଥାନରେ ପିଇବା ପାଣି ପାଇପ ଫାଟି ଯାଇଛି। ଜାଇକା କାମ ବେଳେ ଭାଙ୍ଗୁଥିବା ଡ୍ରେନ୍ ପାଇପ ଓ ପାଣି ପାଇପ ତୁରନ୍ତ ମରାମତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜାଇକା ଅଧିକାରୀ ଏବେ ସ୍ଥାନୀୟ ଲୋକଙ୍କୁ ଲୁଚୁଛନ୍ତି ବୋଲି ଅଭିଯୋଗ ହୋଇଛି। ନୀଳାଦ୍ରିବିହାରରେ ଦୁଇ ମାସ ହେବ ଜାଇକା କାମ‌ ବନ୍ଦ ରହିଛି। ନୀଳାଦ୍ରିବିହାର ମୁଖ୍ୟ ରାସ୍ତାରେ କେତେକ ସ୍ଥାନରେ ମାଟି ପକାଇ ଖାଲ ଖମା ପୋତା ଯାଇଥିବା ବେଳେ ବର୍ଷା ଯୋଗୁଁ ରାସ୍ତା ଅବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି। ବିପଦପୂର୍ଣ୍ଣ ଅବସ୍ଥାରେ ଲୋକେ ଯା ଆସ କରୁଛନ୍ତି। ରାସ୍ତାରେ ପାଣି ଜମି ରହିଛି ଓ କାଦୁଅ ଯୋଗୁଁ ସମସ୍ୟା ସୃଷ୍ଟି ହେଉଛି। ନୀଳାଦ୍ରିବିହାର ଅଞ୍ଚଳର ଡ୍ରେନ ସବୁ ଜାଇକା ଅଧା ପୋତି ପକାଇଛି। ରାସ୍ତା କଡରେ ଜାଇକା ଜମା କରି ରଖିଥିବା ମାଟି, କଂକ୍ରିଟ ଖଣ୍ଡ, ଅଳିଆ ଅବର୍ଜନା ବର୍ଷା ସମୟରେ ଡ୍ରେନ ଭିତରକୁ ଯାଉଛି ଓ  ଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହେଉଛି।

ଜାଇକାର ସଂପୃକ୍ତ ଯନ୍ତ୍ରୀ ଓ ଅଧିକାରୀଙ୍କୁ ଘଟଣାସ୍ଥଳକୁ ଆସି ସମସ୍ୟା ସମାଧାନ ପାଇଁ  ବାରମ୍ବାର କୁହାଯାଉଥିଲେ ମଧ୍ୟ କାହାର ଦେଖା ନାହିଁ। ଜାଇକା ଯନ୍ତ୍ରୀ ଓ ଅଧିକାରୀ ଏବେ ଲୁୁଚୁଛନ୍ତି ବୋଲି ନୀଳାଦ୍ରିବିହାର ବାସିନ୍ଦା ଆଇନଜୀବୀ ଚିରଞ୍ଜୀବୀ ଖଣ୍ଡାୟତରାୟ ଅଭି‌େଯାଗ କରିଛନ୍ତି। ଯଦି ତୁରନ୍ତ ସମସ୍ୟାର ସମାଧାନ କରା ନ ଯାଏ ତେବେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଶ୍ରୀ ଖଣ୍ଡାୟତରାୟ କହିଛନ୍ତି।

The post ନୀଳାଦ୍ରିବିହାରରେ ଜାଇକା ଯନ୍ତ୍ରଣା: ରାସ୍ତାଘାଟ ଶୋଚନୀୟ, ଲୁଚୁଛନ୍ତି ଜାଇକା ଯନ୍ତ୍ରୀ first appeared on Sambad.

from ଜିଲ୍ଲା | Sambad https://ift.tt/37Jq3Vk