ଗାଇସିଲାଟ୍‌ : ବରଗଡ଼ ଜିଲ୍ଲା ଗାଇସିଲାଟ୍‌ ବ୍ଲକ ଅନ୍ତର୍ଗତ ସରଧାପାଲି ପଞ୍ଚାୟତର କୁଦୁଲା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକ-ପ୍ରେମିକା ଫେରାର ହେବା ଘଟଣାକୁ କେନ୍ଦ୍ରକରି ଝିଅ ଘର ଲୋକେ ପୁଅଘର ପରିବାର ଉପରେ ଦାଉ ସାଧିଛନ୍ତି। ବୁଧବାର ସଂଧ୍ୟା ସମୟରେ ପୁଅ ଘରକୁ ଯାଇ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଘର ଓ ମୋଟର ସାଇକଲକୁ ପୋଡ଼ି ଦେଇଛନ୍ତି। ଗାଇସିଲାଟ୍‌ ଥାନାରେ ଏଭଳି ଅଭ‌ିଯୋଗ ଆଣିଛନ୍ତି ପୁଅର କାକୀ ଜନତା କୁମ୍ଭାର। ଗାଇସିଲାଟ୍‌ ଥାନାରେ କେସ୍ ନଂ ୧୪୭ରେ ଏକ ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ ଯେ, ପ୍ରାୟ ମାସେ ତଳେ ସୂର୍ଯ୍ୟ କୁମ୍ଭାରଙ୍କ ପୁଅ ଉକ୍ତ ଗ୍ରାମର ଜଣେ ନାବାଳିକା ଝିଅ (୧୫ ବର୍ଷ)ଙ୍କ ସହ ତାମିଲନାଡ଼ୁ ଫେରାର ହୋଇଥିଲେ। ଏନେଇ ଝିଅ ଘର ପରିବାର ପକ୍ଷରୁ ଗାଇସିଲାଟ୍‌ ଥାନାରେ ଅଭିଯୋଗ ହୋଇଥିଲା। ବାରମ୍ବାର ଝିଅକୁ ଫେରାଇ ଆଣିବା ପାଇଁ ଗାଇସିଲାଟ୍‌ ଥାନାରେ ପରିବାରବର୍ଗ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଶେଷରେ ଝିଅ ଘର ପରିବାର ପୁଅଘର ପରିବାରକୁ ଗାଁରୁ ତଡ଼ିଦେବା ଭଳି ଉଦ୍ୟମ କରିବା ସହ ଘର ଓ ମୋଟରସାଇକେଲ ଆଦିକୁ ବୁଧବାର ରାତିରେ ପୋଡି ଦେବା ଭଳି ଘଟଣା ଦେଖିବାକୁ ମିଳିଛି। ପରିବାରର ମୁରବିଙ୍କ ଅନୁପସ୍ଥିତିରେ ଏଭଳି ଘଟଣା ଘଟିଥିବା ପୁଅର କାକୀ ଜନତା କୁମ୍ଭାର ଅଭିଯୋଗ କରିଛନ୍ତି।

ଏନେଇ ଗାଇସିଲାଟ୍‌ ଥାନାଧିକାରୀ ସୁଷମା କୁଅଁରଙ୍କୁ ଏ ସଂକ୍ରାନ୍ତରେ ପଚରାଯିବାରୁ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କୁ ଏ ବିଷୟରେ ଅବଗତ କରିଥିଲି। ସେମାନେ ତାମିଲନାଡୁରେ ଥିବାର ପ୍ରମାଣ ମଧ୍ୟ ମିଳିଥିଲା। ମାତ୍ର ଉପରିସ୍ଥ ଅଧିକାରୀଙ୍କ ଆଦେଶ ନ ମିଳିଥିବାରୁ ସାମାନ୍ୟ ବିଳମ୍ବ ହୋଇଛି ବୋଲି ପ୍ରକାଶ କରିଥିଲେ। ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖାଯାଇଛି। ଖୁବ୍‌ଶୀଘ୍ର ନାମିଲନାଡ଼ୁରେ ଥିବା ପୁଅ-ଝିଅଙ୍କୁ ଫେରାଇ ଆଣାଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ପଦ୍ମପୁର ଏସ୍‌ଡିପିଓ ବିଭୂତି ଭୂଷଣ ଭୋଇ ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ ଜାରି ରଖିଛନ୍ତି।

The post ପ୍ରେମିକ-ପ୍ରେମିକା ଫେରାର ଘଟଣା: ଝିଅ ଘରଲୋକେ ଜାଳିଦେଲେ ପୁଅଘର first appeared on Sambad.

from ଜିଲ୍ଲା | Sambad https://ift.tt/3AEITcI